ମାଟ୍ଟିଆ ଫେରାରେସି
ପେନ୍ସିଲଭାନିଆରେ ଏକ ନିର୍ବାଚନ ପ୍ରଚାର ରାଲିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଏଭଳି ରାଜନୈତିକ ହିଂସା ପାଇଁ ୟୁରୋପ ମଧ୍ୟ ଅଧିକ ଜଣାଶୁଣା। ନିକଟରେ ହୋଇଥିବା ଫ୍ରାନ୍ସ ସାଧାରଣ ନିର୍ବାଚନ ସମୟରେ ୫୦ରୁ ଅଧିକ ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ନିକଟ ଅତୀତର ବିଭିନ୍ନ ୟୁରୋପୀୟ ଦେଶରେ ରାଜନୈତିକ ଚର୍ଚ୍ଚାରେ ହିଂସା ଏକ ଅଂଶ ଥିବା ବିଷୟ ସ୍ମରଣଯୋଗ୍ୟ ,ଯାହା ଚିନ୍ତାର କାରଣ। କିନ୍ତୁ ଆମେରିକାରେ ରାଜନୈତିକ ହିଂସା ଭିନ୍ନ ଧରଣର। କାରଣ ଏହା ଏଭଳି ଏକ ସମାଜରେ ଘଟିଥାଏ ଯେଉଁଠାରେ ସାଧାରଣ ନାଗରିକଙ୍କ ପାଖରେ ୩୦୦ ନିୟୁତରୁ ଅଧିକ ବନ୍ଧୁକ ରହିଛି ଏବଂ ଗଣ ଗୁଳିକାଣ୍ଡ ବାରମ୍ବାର ଘଟୁଛି। ଏହା ଶୁଣିବାକୁ ଅସୁନ୍ଦର ଲାଗୁଥିଲେ ବି ଟ୍ରମ୍ପଙ୍କୁ ହତ୍ୟା କରିବାର ପ୍ରୟାସ କିଛି ମାତ୍ରାରେ ସ୍ବାଭାବକ ଥିଲା। ଅର୍ଥାତ୍ ଏହା ଆମେରିକୀୟ ଜୀବନରେ ବର୍ବର ଶକ୍ତି ପାଇଁ ଏକ ବ୍ୟାପକ ମାର୍ଗର ଅନୁରୂପ ବିଚାର ବୋଲି ଧରିନେବାକୁ ପଡ଼ିବ। ଆମେରିକାରେ ରାଜନୈତିକ ହିଂସା ସବୁବେଳେ ପରିବର୍ତ୍ତିତ ରୂପ ନେଇଥାଏ। କିନ୍ତୁ ଏକ ନିରନ୍ତର ବୈଶିଷ୍ଟ୍ୟ ହେଉଛି ପ୍ରତ୍ୟେକ ଘଟଣା ପରେ ହେଉଥିବା ଘୃଣ୍ୟ ବାକ୍ଯୁଦ୍ଧ। ଶୁଟରଙ୍କୁ ଉତ୍ତେଜିତ କରିବାକୁ ଉସୁକାଇବା ଭଳି ବିବୃତି ଦେଇ ପ୍ରତ୍ୟେକ ପକ୍ଷ ଦୃଢ଼ତାର ସହ ଅନ୍ୟକୁ ଦାୟୀ କରନ୍ତି। ଏଥିରୁ ବୁଝାପଡ଼େ ଯେ ପୀଡ଼ିତଙ୍କ ରାଜନୈତିକ ବିରୋଧୀମାନେ ହିଂସା ପାଇଁ ନୈତିକ ଦାୟିତ୍ୱ ବହନ କରିଥାନ୍ତି।
ଆମେରିକାର ରାଜନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହମତିର ଖୁବ୍ କମ୍ ସୁଯୋଗ ଥାଏ। ପୀଡ଼ିତଙ୍କ ରାଜନୈତିକ ଦଳ ଦୋଷୀକୁ ନିଶ୍ଚିତ କରେ, କିନ୍ତୁ ଘଟଣା ସୃଷ୍ଟି ଓ ଉପସ୍ଥାପନା ସର୍ବଦା ସମାନ । ହିଂସାକୁ ନିରପେକ୍ଷ ଭାବେ ନିନ୍ଦାକରିବାର ସମୟସୀମା ପ୍ରତ୍ୟେକ ଘଟଣାରେ ଛୋଟ ହୋଇଯାଏ। ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ରାଲିରେ ଥିବା ଜଣେ ବ୍ୟକ୍ତି ଓ ୨୦ ବର୍ଷୀୟ ଶୁଟରଙ୍କ ମୃତ୍ୟୁ ହୋଇଥିଲା, ଯାହାର ଦୁଇଟି ତତ୍କ୍ଷଣାତ ପ୍ରଭାବ ପଡ଼ିଲା। ପ୍ରଥମେ, ଏହା ଟ୍ରମ୍ପଙ୍କ ଏମ୍ଏଜିଏ ( ମେକ୍ ଆମେରିକା ଗ୍ରେଟ୍ ଏଗେନ) ପ୍ରଚାର ଅଭିଯାନର ଶହୀଦ ବିଷୟକୁ ପୁନର୍ଜୀବିତ କଲା ଏବଂ ସମର୍ଥକମାନେ ସଙ୍ଗେ ସଙ୍ଗେ ବଞ୍ଚିଥିବା ହିରୋଙ୍କ ସମ୍ପର୍କରେ ବଢ଼େଇଚଢ଼େଇ କରି କହି ପ୍ରଚାର କରିବା ଆରମ୍ଭ କରିଦେଲେ। ଟ୍ରମ୍ପ୍ ମଧ୍ୟ ଘୋଷଣାକଲେ ଯେ ସେ ଦୁଷ୍ଟତା ସାମ୍ନାରେ ନତମସ୍ତକ ହେବେ ନାହିଁ। ଦ୍ୱିତୀୟରେ,ସମାନ ଭାବରେ ପୂର୍ବାନୁମାନଯୋଗ୍ୟ ପ୍ରଭାବ ହେଉଛି ଏହି ଆକ୍ରମଣ ପାଇଁ ଡେମୋକ୍ରାଟ୍ମାନେ ଦାୟୀ ବୋଲି ଅଭିଯୋଗ ହୋଇଛି। ଟ୍ରମ୍ପଙ୍କ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସିନେଟର ଜେ.ଡି. ଭାନ୍ସ ଯୁକ୍ତି କରିଥିଲେ, ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଚାର ଅଭିଯାନରେ ଟ୍ରମ୍ପଙ୍କୁ ଗଣତନ୍ତ୍ର ପ୍ରତି ବିପଦ ବୋଲି ଦର୍ଶାଇବାର ପ୍ରତ୍ୟକ୍ଷ ପରିଣାମ ହେଲା ଏହି ଘଟଣା। ଏହି କାରଣରୁ ତାଙ୍କୁ ବଳପୂର୍ବକ ହଟାଇବା ପ୍ରୟାସକୁ ବୈଧକରାଯାଉଛି। ଭାନ୍ସ ଦାବି କରିଥିଲେ ଯେ, ଏହିଭଳି ମନ୍ତବ୍ୟର ପ୍ରତ୍ୟକ୍ଷ ପରିଣାମ ହେଉଛି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ।
ସେହିଭଳି ଆମେରିକା କଂଗ୍ରେସର ସଦସ୍ୟ ମାଇକ୍ କଲିନ୍ସ ପରାମର୍ଶ ଦେଇଥିଲେ ଯେ ହତ୍ୟା ଘଟଣାକୁ ଉସୁକାଇଥିବାରୁ ତୁରନ୍ତ ଜୋସେଫ୍ ଆର୍. ବାଇଡେନ୍ଙ୍କ ବିରୋଧରେ ପେନ୍ସିଲଭାନିଆର ବଟଲର ଜିଲାର ଜିଲା ଓକିଲ ସଂଘ ମାମଲା ରୁଜୁକରିବା ଉଚିତ। ଏପରିକି ୨୦୧୭ରେ ଜଣେ ଚରମ ବାମପନ୍ଥୀଙ୍କ ଦ୍ୱାରା କଂଗ୍ରେସ ପ୍ରତିନିଧି ଷ୍ଟିଭ୍ ସ୍କାଲାଇଜ୍ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପଛରେ ଡେମୋକ୍ରଟ୍ସଙ୍କ ହିଂସା ଉସୁକାଇବା ମନ୍ତବ୍ୟ ଥିବା ସୂଚିତ କରିଥିଲା ଏବଂ ଏହାକୁ ଏଫ୍ବିଆଇ ଘରୋଇ ଆତଙ୍କବାଦ ଭାବରେ ଶ୍ରେଣୀଭୁକ୍ତ କରିଥିଲା। ସାମ୍ପ୍ରତିକ ସମୟରେ, ଟ୍ରମ୍ପଙ୍କ ପ୍ରଚାର ଅଭିଯାନରେ ଡେମୋକ୍ରାଟିକ୍ ପ୍ରତିନିଧି ଡନ୍ ଗୋଲ୍ଡମ୍ୟାନ୍ଙ୍କ ଭିଡିଓର ଛୋଟ ଅଂଶ ପ୍ରସାରଣ କରାଯାଇଥିଲା। ଗୋଲ୍ଡମ୍ୟାନ୍ ଲାଇଭ ଟେଲିଭିଜନରେ କହିଥିଲେ ଯେ ଟ୍ରମ୍ପଙ୍କୁ ଶେଷ କରାଯିବା ଦରକାର, ଯାହା ପୂର୍ବତନ ହାଉସ୍ ସ୍ପିକର ନାନ୍ସୀ ପେଲୋସିଙ୍କ ଦ୍ୱାରା ପ୍ରକାଶିତ ହୋଇଛି ଏବଂ ତାଙ୍କର କାର୍ଯ୍ୟକର୍ତ୍ତାମାନେ ହତାଶ ବାଇଡେନ୍ଙ୍କ ବର୍ତ୍ତମାନର ଏକ ଧମକପୂର୍ଣ୍ଣ କଥାକୁ ପୁଣି ଥରେ ସାମ୍ନାକୁ ଆଣିଥିଲେ, ଯେଉଁଥିରେ ବାଇଡେନ୍ ତାଙ୍କର ବିପର୍ଯ୍ୟସ୍ତ ବିତର୍କ ପ୍ରଦର୍ଶନ ପରେ କହିଥିଲେ ଯେ ଆମେ ବିତର୍କ ବିଷୟରେ କେବଳ କଥାବାର୍ତ୍ତା କରୁଛୁ, କିନ୍ତୁ ଟ୍ରମ୍ପଙ୍କୁ କଡ଼ା ନଜରରେ ରଖିବାର ଏହା ହିଁ ଉପଯୁକ୍ତ ସମୟ।
ଡେମୋକ୍ରାଟ୍ ଏବଂ ସେମାନଙ୍କ ସମର୍ଥକମାନେ ଆକ୍ରମଣ ଘଟଣାକୁ ତରବରିଆ ଭାବେ ନିନ୍ଦାକରିବା ସହ ସମସ୍ତଙ୍କୁ ମନେପକାଇ ଦେଇଛନ୍ତି ଯେ ଟ୍ରମ୍ପ ୬ ଜାନୁଆରୀ ୨୦୨୧ରେ ଆମେରିକାର କ୍ୟାପିଟୋଲ୍ରେ ଆକ୍ରମଣ କରିବାକୁ ଉତ୍ତେଜିତ ଲୋକଙ୍କୁ ପ୍ରେରିତ କରିଥିଲେ । ଏହା ଥିଲା ଆମେରିକାର ଇତିହାସରେ ରାଜନୈତିକ ହିଂସାର ସବୁଠାରୁ ଭୟଙ୍କର ଘଟଣା । ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବଦଳାଇଦେବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ। ପ୍ରଭାବିତ କରିବା ଭଳି ଏହି ପ୍ରକାର ବାକ୍ଯୁଦ୍ଧ ନିର୍ବାଚନରେ ବାଇଡେନ୍ଙ୍କ ବିରୋଧରେ ଟ୍ରମ୍ପଙ୍କ ବିଜୟକୁ ନିଶ୍ଚିତ କରିବା ସମ୍ଭାବନା ରହିଛି। କିନ୍ତୁ ଘୃଣା, ଉପତ୍ୀଡ଼ନ ଏବଂ ଅସନ୍ତୋଷ ଦ୍ୱାରା ବଢୁଥିବା ଜାତୀୟସ୍ତରର ବାକ୍ଯୁଦ୍ଧର ଦୀର୍ଘମିଆଦୀ ପରିଣାମଗୁଡ଼ିକ ଅଧିକ ବିନାଶକାରୀ। ୨୦୧୧ରେ ଆରିଜୋନାରେ କଂଗ୍ରେସ ପ୍ରତିନିଧି ଗାବି ଗିଫୋର୍ଡଙ୍କ ଉପରେ ହତ୍ୟା ଉଦ୍ୟମ ପରେ ଏକ ଡେମୋକ୍ରାଟିକ୍ ସପକ୍ଷବାଦୀ ନ୍ୟୁଜ ସଂସ୍ଥା ‘ଷ୍ଟୋକାଷ୍ଟିକ୍ ଟେରୋରିଜମ୍’ (କଟରପନ୍ଥୀ ପରିବେଶ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଘଟିଥିବା ରାଜନୈତିକ ହିଂସାବାଦ) ଶବ୍ଦକୁ ଲୋକପ୍ରିୟ କରିଥିଲା। ଏଭଳି ଜଣେ ଆତଙ୍କବାଦୀ ଆଲାସ୍କାର ପୂର୍ବତନ ରାଜ୍ୟପାଳ ଏବଂ ପରେ ଟି-ପାର୍ଟିର ନେତା ସାରା ପାଲିନ ବୋଲି ଜଣାପଡ଼ିଥିଲା। ସେ ପରବର୍ତ୍ତୀ ନିର୍ବାଚନରେ ଟାର୍ଗେଟ କରାଯିବାକୁ ଥିବା ଗିଫୋର୍ଡଙ୍କ ଜିଲା ସମେତ ଅନ୍ୟ କଂଗ୍ରେସ ଜିଲାଗୁଡ଼ିକୁ ଏକ ମାନଚିତ୍ରରେ ଚିହ୍ନିତକରି ତାହାକୁ ବାଣ୍ଟିଥିଲେ, ଯେଉଁଗୁଡ଼ିକ ଆକ୍ରମଣର ଅସ୍ତ୍ର ଭାବେ କାର୍ଯ୍ୟକରିଥିଲା। ପରେ ଏହା ଜଣାପଡ଼ିଲା ଯେ ଗିଫୋର୍ଡଙ୍କ ଆକ୍ରମଣକାରୀଙ୍କର ଗଭୀର ମାନସିକ ସମସ୍ୟା ଥିଲା। ପାଲିନଙ୍କ ମାନଚିତ୍ର, ସମାବେଶ କିମ୍ବା ରାଜନୈତିକ ବିତର୍କ ବିଷୟରେ ତାଙ୍କର କୌଣସି ଜ୍ଞାନ ନ ଥିଲା। ଏହା ସତ୍ତ୍ୱେ ଏବଂ ପ୍ରରୋଚିତ କରୁଥିବା ରାଜନୈତିକ ବାକ୍ୟ ଓ ଏଭଳି ସବୁ ଆକ୍ରମଣ ମଧ୍ୟରେ ଏକ ଯୁକ୍ତିଯୁକ୍ତ ସମ୍ପର୍କର ପ୍ରମାଣ ଅଭାବ ସତ୍ତ୍ୱେ ପ୍ରତ୍ୟେକ ଆକ୍ରମଣ ପରେ ‘ଷ୍ଟୋକାଷ୍ଟିକ୍ ଟେରୋରିଜମ୍’ ଶବ୍ଦ ପୁନର୍ବାର ପ୍ରକାଶ ପାଏ ଏବଂ ଏହି ଶବ୍ଦ ଏକ ସ୍ବତନ୍ତ୍ର ସାହିତ୍ୟରେ ପ୍ରବେଶକଲା, ସତେ ଯେପରି ଏହା ଏକ ବୈଧ ଧାରଣାକୁ ବର୍ଣ୍ଣନା କରିଥିଲା।
ଅନିୟମିତତା,ନିର୍ଦ୍ଦିଷ୍ଟ ବିଚାରକୁ କାର୍ଯ୍ୟକାରୀ କରିବା ଓ ଆତ୍ମ ଉପତ୍ୀଡ଼ନର ସହଭାଗୀ କୌଶଳଗୁଡ଼ିକ ମାଧ୍ୟମରେ ଡେମୋକ୍ରାଟ୍ ଏବଂ ରିପବ୍ଲିକାନ୍ମାନେ ଏକ ଜଟିଳ ଯୁକ୍ତିରେ ଫସିରହିଛନ୍ତ,ଯାହା ଯେତିକି ବିପଜ୍ଜନକ ସେତିକି ତର୍କବିରୁଦ୍ଧ । ହିଂସା ଏବଂ ହିଂସା ଉଦ୍ରେକକାରୀ ରାଜନୈତିକ ବାକ୍ୟଗୁଡ଼ିକ ମଧ୍ୟରେ ଏକ ସମ୍ପର୍କ ଥିବାର ଅଭିଯୋଗ ଅଣାଯାଉଛି। ହେଲେ ସେଭଳି ଅଭିଯୋଗ ହିଁ ସ୍ବୟଂ ବାକ୍ଯୁଦ୍ଧର ଅସ୍ତ୍ର ପାଲଟିଯାଏ। ଏହା ଅତ୍ୟଧିକ ଧ୍ରୁବୀକରଣକୁ ଇନ୍ଧନ ଯୋଗାଇଥାଏ, ଯେଉଁଥିରେ ରାଜନୈତିକ ହିଂସାର ଅଧିକ ସମ୍ଭାବନା ରହିଥାଏ ।
ଇଟାଲୀର ଖବରକାଗଜ ଡୋମାନିର
ପରିଚାଳନା ସମ୍ପାଦକ