ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଟିକାକରଣ ନିୟମରୁ ରିହାତି ପାଇବା ଲାଗି ସେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନାହାନ୍ତି। ଏଣୁ ସେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ।

ଜୋକୋଭିଚ୍‌ଙ୍କ ଦେଶ ସର୍ବିୟା ରାଷ୍ଟ୍ରପତି ଆଲେକଜାଣ୍ଡର ଭୁସିସ ଘଟଣା ଉପରେ କହିଛନ୍ତି, ମେଲବୋର୍ନସ୍ଥିତ ତୁଲାମାରିନ୍‌ ଏୟାରପୋର୍ଟରେ ଅଟକ ରଖାଯିବା ଦ୍ୱାରା ଷ୍ଟାର ଖେଳାଳିଙ୍କୁ ଏକପ୍ରକାର ନିର୍ଯାତନା ଦିଆଯାଇଛି। ଅନ୍ୟ ଦେଶର ଟେନିସ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ ପାଇଁ ମେଡିକାଲ ଛାଡ଼ ମିଳୁଛି। କିନ୍ତୁ ଜୋକୋଭିଚ୍‌ଙ୍କ ସହ ଯାହା ଘଟିଲା ତାହା ଉଚିତ ନୁହେଁ। ପ୍ରତ୍ୟେକଙ୍କ ପାଇଁ ଦେଶରେ କୋଭିଡ୍‌ ନିୟମ ସମାନ ଥିବା ଅଷ୍ଟ୍ରେଲିଆନ ପ୍ରଧାନମନ୍ତ୍ରୀ ଦର୍ଶାଉଛନ୍ତି।

ଅଷ୍ଟ୍ରେଲିଆନ ଆମ୍ବାସାଡରଙ୍କୁ ସର୍ବିୟା ଅଧିକାରୀ ଦୁଇ ଥର ଯୋଗାଯୋଗ କରିଥିଲେ। ସର୍ବିୟାର ପ୍ରଧାନମନ୍ତ୍ରୀ ଆନା ବ୍ରନାବିକ୍‌ ଅଷ୍ଟ୍ରେଲିଆନ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୋକୋଭିଚ୍‌ କରୋନା ଭ୍ୟାକ୍ସିନ ନେଇଛନ୍ତି କି ନା ତାହା ବାହାରେ ପ୍ରକାଶ କରିବାକୁ ରାଜି ହେଉନାହାନ୍ତି। ବିମାନବନ୍ଦରରେ ୮ ଘଣ୍ଟା ଅଟକ ରଖିବା ବେଳେ ଇମିଗ୍ରେଶନ କର୍ମଚାରୀମାନେ ତାଙ୍କୁୁ ଏକ ହେଟେଲକୁ ସ୍ଥାନାନ୍ତର କରିଛନ୍ତି। ସର୍ବୀୟ ଖେଳାଳିଙ୍କ ପ୍ରତ୍ୟର୍ପଣ ଯୋଜନା ଚାଲିଛି। ଅନ୍ୟପଟେ ଜୋକୋଭିଚ୍‌ଙ୍କ ଓକିଲମାନେ ଭିଜା ରୁଲିଂକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଜୋକୋଭିଚ୍‌ ଅଷ୍ଟ୍ରେଲିଆରେ ଅବତରଣ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ସୀମା ସୁରକ୍ଷା ବାହିନୀ ଏକ ବିବୃତିରେ କହିଛି ଜୋକୋଭିଚ୍‌ଙ୍କ ପାଖରେ ଦେଶରେ ପ୍ରବେଶ ଲାଗି ଦରକାର ଥିବା କାଗଜପତ୍ର ନ ଥିଲା।

 

Share