ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ସେ ଆସିଛନ୍ତି ବେଶ୍‌ ଚର୍ଚ୍ଚାକୁ। ଗୋଟିଏ ପଟେ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତା କହୁଥିବା ବେଳେ ବଲିଉଡ୍‌ର ଆଉ କେତେଜଣ ସେଲିବ୍ରିଟି ଏହାକୁ ହତ୍ୟା ବୋଲି କହୁଛନ୍ତି। ଏବେ ଏହାକୁ ନେଇ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ଆସୁଥିବା ବେଳେ ପୋଲିସ ବଦଳରେ ଏହାର ସିବିଆଇ ତଦନ୍ତ କରାଯିବା ଭଲ। କିନ୍ତୁ ଏହାକୁ ନେଇ ରାଜନୀତି ନ କରାଯାଉ ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ନେତା ସୁବ୍ରମଣ୍ୟମ ସ୍ବାମୀ ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟେଲିଫୋନରେ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ। ଅବଶ୍ୟ ଏଥିରେ ନୀତୀଶଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ନୀତୀଶଙ୍କ ମତ ହେଉଛି ଯାହାବି ହେଉ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ଓ ଦୋଷୀକୁ ଦଣ୍ଡ ମିଳୁ।

Share