ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…

ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା ଅଧିକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆୟୁଷ ଉପରେ ସମ୍ପ୍ରତି ଅନୁସନ୍ଧାନ ଆଧାରରେ କିଛି ବିଶେଷଜ୍ଞଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜନେତା ସାଧାରଣ ଜନତାଙ୍କଠାରୁ ହାରାହାରି ୧୫ ବର୍ଷ ଅଧିକ ବଞ୍ଚିଥାନ୍ତି। ଅଧିକ ଆୟୁଷ ଥିବା ତାଲିକା ଶ୍ରେଣୀରେ ଧନୀ ଏବଂ ରାଜନେତା ଅନ୍ତର୍ଭୁକ୍ତ ଅଛନ୍ତି। ଯେଉଁମାନେ ସମାଜର ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷା ଏବଂ ସ୍ବାସ୍ଥ୍ୟର ଅଧିକ ଲାଭ ଉଠାନ୍ତି ପାଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀ ଫିଲିପ କ୍ଲାର୍କ, ଲରେନ୍ସ ରୋପ ଏବଂ ମେଲବୋର୍ଣ୍ଣ ୟୁନିଭରସିଟିର ଲରେନ୍ସ ରୁପେନ ଟ୍ରାନ-ଡୁଇଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ରାଜନେତା ତଥା ସାଧାରଣ ଜନତାଙ୍କ ମଧ୍ୟରେ ମୃତ୍ୟୁ ହାରର ପାର୍ଥକ୍ୟ ଆକଳନ କରାଯାଇଛି। ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସ୍ବିଜରଲାଣ୍ଡ, ବ୍ରିଟେନ ଏବଂ ଆମେରିକାର ଆଦି ୧୧ଟି ଉଚ୍ଚ ଆୟକାରୀ ଦେଶ ଉପରେ ଏହି ତଥ୍ୟ ପାଇଁ ବିଶ୍ଳେଷଣ କରାଯାଇଥିଲା। ଏହି ସର୍ଭେରେ ସାଧାରଣ ଜନତାଙ୍କ ସହ ୫୭ ହଜାର ରାଜନେତାଙ୍କ ଆୟୁଷର ତୁଳନା କରାଯାଇଥିଲା।

ଅନୁସନ୍ଧାନକାରୀମାନଙ୍କ ଅନୁସାରେ ଆୟୁଷ ଅସମାନତା ନିର୍ଦ୍ଧାରଣ କରିବା ପାଇଁ ପ୍ରତ୍ୟେକ ରାଜନେତାଙ୍କୁ ସେମାନଙ୍କ ଦେଶ, ବୟସ ଏବଂ ଲିଙ୍ଗ ଅନୁଯାୟୀ ସାଧାରଣ ଜନତାଙ୍କ ମୃତ୍ୟୁ ହାର ସହିତ ତୁଳନା କରାଯାଇଥିଲା। ସେହିପରି ପ୍ରତିବର୍ଷ ମୃତ୍ୟ ଘଟୁଥିବା ରାଜନେତାଙ୍କ ସଂଖ୍ୟାକୁ ଜନସଂଖ୍ୟା ଅନୁଯାୟୀ ମୃତ୍ୟୁ ହାର ସହିତ ତୁଳନା କରାଯାଇଥିଲା। ବିଂଶ ଶତାବ୍ଦୀରେ ୪୫ ବର୍ଷ ବୟସ୍କା ନେତାଙ୍କ ଅବଶିଷ୍ଟ ଜୀବନ ୧୪.୬ ବର୍ଷ ବୃଦ୍ଧି ପାଉଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଏହା ହାରାହାରି ୧୦.୨ ବର୍ଷ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share