ମହାନଦୀ ପ୍ରସଙ୍ଗରେ ପୁଣି ତେଜିଲା ରାଜନୀତି

ଭୁବନେଶ୍ୱର,୧ା୨(ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ଜୋର୍‌ ଧରିଛି। ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ ଗଠନର ଅବଧି ଶେଷ ହେବାକୁ ୨ମାସ ବାକି ଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ବିଜୟ ମହାପାତ୍ର କେତେକ ପ୍ରଶ୍ନ ଉଠାଇଛନ୍ତି। ରବିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୟ କହିଛନ୍ତି, ମହାନଦୀକୁ ନେଇ କ’ଣ ଶୁଣାଣି ଚାଲିଛି ତାହା ଜଣାପଡୁନାହିଁ। ପୂର୍ବରୁ ମହାନଦୀ ପାଇଁ ସ୍ବର ଉଠାଉଥିବା ସରକାର, ବିରୋଧୀ ଏବଂ ବିଭିନ୍ନ ସଙ୍ଗଠନ ବର୍ତ୍ତମାନ ଚୁପ୍‌ କାହିଁକି ଅଛନ୍ତି ବୋଲି ବିଜୟ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ଟ୍ରିବ୍ୟୁନାଲ ଗଠନକୁ ୩ ବର୍ଷ ବିତିଗଲାଣି। ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ଟି ପ୍ରକଳ୍ପ କୁଆଡ଼େ ଗଲା। ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉଠିବା ଦରକାର। ନଚେତ୍‌ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ବିଜୟ ଚେତାଇ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଧାନସଭାରେ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯିବ। ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡକାନ୍ତୁ। ଏହି ପ୍ରସଙ୍ଗରେ ଉଭୟ ଭାଜପା ଓ ବିଜେଡି ରାଜ୍ୟ ସ୍ବାର୍ଥକୁ ଅଣଦେଖା କରୁଛନ୍ତି ବୋଲି ତାରା ଅଭିଯୋଗ ଆଣିଛନ୍ତି। ଭାଜପା ଓ କଂଗ୍ରେସ ନେତାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶା ସପକ୍ଷରେ ଯିବ। ଓଡ଼ିଶାକୁ ତା’ର ହକ୍‌ର ପାଣି ମିଳିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

Share