Categories: ଜାତୀୟ

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ସେ କହିଛନ୍ତି ଯେ ମୁଁ କେଉଁ ମିଳିତ ମଞ୍ଚରେ ଅଛି କିମ୍ବା କେଉଁ ମନ୍ତ୍ରୀ ପଦବୀରେ ଅଛି, ଯେଉଁ ଦିନ ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ଏବଂ ସଂରକ୍ଷଣ ସହ ଖେଳାଯାଉଛି, ମୁଁ ସେହିଦିନ ମନ୍ତ୍ରୀ ପଦକୁ ତୁଚ୍ଛ କରିଦେବି, ଯେମିତି ମୋ ବାପା କରିଥିଲେ। ଚିରାଗ ପାସୱାନଙ୍କ ଏହି ବୟାନକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା କରାଯାଉଛି।

ସୂଚନାଯୋଗ୍ୟ, ଲୋକଜନଶକ୍ତି ପାର୍ଟି ରାମ ବିଲାସ ଅନୁସୂଚିତ ଜାତି ଜନଜାତି ସେଲ ପକ୍ଷରୁ ଅଭିନନ୍ଦନ ସାମ୍ମାନ ସମାରୋହ ସହ ସଂଗଠନ ସମୀକ୍ଷା ବୈଠକର ଅଭିଭାଷଣରେ ଚିରାଗ ପାସୱାନଙ୍କ ବକ୍ତବ୍ୟର ଅର୍ଥ କ’ଣ ତାହା ଉପରେ ଆଲୋଚନା ଆରମ୍ଭ ହୋଇଛି। ବାସ୍ତବରେ, ଚିରାଗ ପାସୱାନ ତାଙ୍କ ବିବୃତ୍ତିକୁ ସ୍ପଷ୍ଟ ଭାବେ ରଖିବାରେ ବେଶ ପରିଚିତ। ଏହାପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ସଂରକ୍ଷଣ ପ୍ରସଙ୍ଗରେ ମିଳିତ ମଞ୍ଚ ବାହାରେ ନିଜର ବିବୃତ୍ତି ଦେଇଥିଲେ। ବିହାର ବିଧାନସଭା ନିର୍ବାଚନ ୨୦୨୦ସମୟରେ ମଧ୍ୟ ସେ ଏନଡିଏରୁ ଅଲଗା ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ତେଣୁ ଏବେ ପୁଣିଥରେ ୨୦୨୦ର ଷ୍ଟୋରୀ ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ସେ ଯାହା କୁହନ୍ତି ଅନେକ ସମୟରେ ତାହା କରି ଦେଖାନ୍ତି ବୋଲି ବି ନଜିର ରହିଛି।

ଅନ୍ୟପଟେ, ଚିରାଗ ପାସୱାନ କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଏହି ଦଳ କେବଳ ସଂରକ୍ଷିତ ଜାତିଙ୍କୁ ଭୋଟ ପାଇଁ ବ୍ୟବହାର କରୁଛନ୍ତି। କିଛି କରୁ ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ୨୮ନଭେମ୍ବରରେ ଏକ ଭବ୍ୟ ସ୍ଥାପନା ଦିବସ ଆୟୋଜିତ ହେବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଚିରାଗ ପାସୱାନଙ୍କ ଠାରୁ ଆରମ୍ଭ କରି ସମସ୍ତ ନେତା ନିର୍ବାଚନ ମୋଡରେ ଆସି ସାରିଛନ୍ତି। ସେ ତାଙ୍କ ପାର୍ଟିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଏହି ନେତା ବର୍ତ୍ତମାନ ବିହାରରୁ ୟୁପି ଏବଂ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ତାଙ୍କ ଦଳର ପରିସର ବିସ୍ତାର କରିବାରେ ବ୍ୟସ୍ତ ଅଛନ୍ତି।

Share