Posted inଜାତୀୟ

ତେଜୁଛି ରାଜନୀତି, ଥମୁନି ବଳାତ୍କାର

ନୂଆଦିଲ୍ଲୀ,୩୧ା୮: ୨୦୧୨ ଡିସେମ୍ବର ୧୬ ରାତି ପ୍ରାୟ ୯ଟାରେ ଦକ୍ଷିଣ ଦିଲ୍ଲୀ ମୁନିରକାରେ ଜଣେ ୨୩ ବର୍ଷୀୟା ଫିଜିଓଥେରାପିଷ୍ଟ ଛାତ୍ରୀ ବସ୍‌ରେ ଚଢ଼ିଥିଲେ ଘରକୁ ଯିବା ପାଇଁ। ସେହି ଚଳନ୍ତା ବସ୍‌ରେ ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ପାରାମେଡିକ୍‌ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ସହ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ୍‌ ପୂରାଇ ତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିବା ଛାତ୍ରୀଙ୍କୁ ଦେଶ ନଁା ଦେଇଥିଲା ‘ନିର୍ଭୟା’। ଏହି ବହୁଚର୍ଚ୍ଚିତ ଘଟଣାର ପ୍ରାୟ ୧୨ ବର୍ଷ ପରେ ଦେଶକୁ ଆନ୍ଦୋଳିତ କରିଦେଇଛି ଆଉ ଏକ ବଳାତ୍କାର ଓ ହତ୍ୟା।
୮ ବିଳମ୍ବିତ ରାତିରେ କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ସେମିନାର ହଲ୍‌ରେ ୩୧ ବର୍ଷୀୟା ପିଜି ଛାତ୍ରୀଙ୍କୁ ବଳାତ୍କାର ପରେ ବର୍ବର ହତ୍ୟା କରାଯିବା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ବିଶ୍ୱରେ ଦୁର୍ନାମ ମୁଣ୍ଡାଇଛି ଭାରତ। ଏଥିସହ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନବାଚୀ। ପୀଡ଼ିତା ଛାତ୍ରୀଙ୍କ ସାଙ୍କେତିକ ନାମକରଣ କରାଯାଇଛି ‘ଅଭୟା’।
କର ହସ୍ପିଟାଲ ମାମଲାରେ କାଲକାଟା ହାଇକୋର୍ଟଙ୍କଠାରୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଦେଶ ଆଉ ଏକ ବଳାତ୍କାରକୁ ଅପେକ୍ଷା କରିପାରିବ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବହୁତ ହୋଇଗଲା, ଏବେ ଭାରତକୁ ତତ୍ପର ହୋଇ ମହିଳା ବିରୋଧୀ ଅପରାଧ ରୋକିବାକୁ ପଡ଼ିବ ବୋଲି ଚେତାଇଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମତରେ କୋଲକାତା ଘଟଣା ଏକ ଯନ୍ତ୍ରଣାଦାୟକ ଅପରାଧ। ଏଭଳି ଅପରାଧ ଭିଆଉଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ କଠୋର ଆଇନ ବ୍ୟବସ୍ଥା କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ବିରୋଧୀ ଅପରାଧକୁ ଅକ୍ଷମଣୀୟ କହି ନିନ୍ଦା କରିଛନ୍ତି। ସେପଟେ ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପଦସ୍ଥ କରିବା ପାଇଁ ବିକ୍ଷୋଭ ଜାରି ରଖିଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବଳାତ୍କାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ସୋମବାର ବିଧାନସଭାରେ ଆଇନ ଆଣିବାକୁ ଯାଉଛନ୍ତି। ବଳାତ୍କାର ଏକ ଜାତୀୟ ପ୍ରସଙ୍ଗ ହୋଇଥିବା ଦର୍ଶାଇ କଠୋର ଆଇନ ପ୍ରଣୟନ ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମମତା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦ୍ୱିତୀୟ ପତ୍ର ଲେଖିଛନ୍ତି। ପ୍ରଥମ ଚିଠିର ଉତ୍ତର ନ ଦେବା କେନ୍ଦ୍ରର ସମ୍ବେଦନହୀନତା ବୋଲି ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ଯହିଁରେ ମମତା ଉକ୍ତ ଚିଠିକୁ ମଧ୍ୟ ପୋଷ୍ଟ କରିଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମମତାଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପଦକ୍ଷେପ ନେବାରେ ମମତାଙ୍କ ସରକାର ବିଫଳ ହୋଇଥିବା କହିଛନ୍ତି। ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଓ ପୋକ୍ସୋ ମାମଲା ଗଡ଼ୁଥିବାବେଳେ ରାଜ୍ୟ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରି ନ ଥିବା ଅନ୍ନପୂର୍ଣ୍ଣା ସମାଲୋଚନା କରିଛନ୍ତି। ଟିଏମ୍‌ସି ନେତା ଡେରେକ୍‌ ଓ୍ବ’ବ୍ରାଏନ୍‌ କହିଛନ୍ତି, ଦେଶରେ ମୋଟ ୨୭,୨୦୨୩ ଫାଷ୍ଟ ଟ୍ରାକ୍‌ କୋର୍ଟ ଥିବାବେଳେ ପଶ୍ଚିମବଙ୍ଗରେ ୮୮ଟି ରହିଛି। ଉତ୍ତର ପ୍ରଦେଶ (୩୭୨) ଓ ମହାରାଷ୍ଟ୍ର (୯୭) ପରେ ପଶ୍ଚିମବଙ୍ଗ ହେଉଛି ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ତୁରନ୍ତ ଦଣ୍ଡବିଧାନ କରିବା ପାଇଁ ଉଦ୍ଦିଷ୍ଟ ଏଭଳି ଅଦାଲତ ପ୍ରତିଷ୍ଠା କରିବାରେ ତୃତୀୟ ରାଜ୍ୟ। ଇତିମଧ୍ୟରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନୂଆଦିଲ୍ଲୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ଆର୍‌.ଜି. କର ଘଟଣା ପରବର୍ତ୍ତୀ ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ସ୍ଥିତି ଉପରେ ଅବଗତ କରାଇଛନ୍ତି। ରାଜ୍ୟପାଳଙ୍କଠୁ ନେଇ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବଳାତ୍କାରକୁ ନିନ୍ଦା କରିବା ସହ କଠୋର ଶାସ୍ତିବିଧାନ କରାଯିବା ଉପରେ ମତ ଦେଉଥିବାବେଳେ ଏହି କଳଙ୍କିତ ଧାରା ବଜାୟ ରହିଛି।

ଅସ୍ତ୍ର ଧରି ହସ୍ପିଟାଲ ଯିବାକୁ ଚାହୁଁଛନ୍ତି ମହିଳା ଡାକ୍ତର

ଦେଶର ହସ୍ପିଟାଲଗୁଡ଼ିକରେ ଏକ-ତୃତୀୟାଂଶ ଡାକ୍ତର ନିଜକୁ ଅସୁରକ୍ଷିତ ମଣୁଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ନାଇଟ୍‌ ସିଫ୍ଟରେ କାର୍ଯ୍ୟ କରୁଥିବା ୪୫% ଡାକ୍ତରଙ୍କ ପାଇଁ ଡ୍ୟୁଟି ରୁମ୍‌ ନାହିଁ। ହସ୍ପିଟାଲରେ ସୁରକ୍ଷା କର୍ମଚାରୀଙ୍କ ଅଭାବ, ଆଲୋକ ବ୍ୟବସ୍ଥା, ସିସିଟିଭି କ୍ୟାମେରା ନ ରହିବା ଏବଂ ଅନଧିକାର ପ୍ରବେଶ ଭଳି ଅନେକ ଅସୁବିଧା ରହିଛି। ଏଥିଯୋଗୁ ଅନେକ ମହିଳା ଡାକ୍ତର ଆମତ୍ରକ୍ଷା ପାଇଁ ସାଙ୍ଗରେ ଅସ୍ତ୍ର ନେଇ ହସ୍ପିଟାଲକୁ ଯିବା ଆବଶ୍ୟକ ବୋଲି ଅନୁଭବ କରୁଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି।

ମଲିଉଡ୍‌ରେ ମି ଟୂ ଝଡ଼

କେରଳ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ୨୦୧୭ରେ ଗଠିତ କମିଟି ଗତ ୧୯ରେ ରିପୋର୍ଟ ସାର୍ବଜନୀନ ପରଠୁ ମଲିଉଡ୍‌ରେ ଆଉ ଏକ ମି ଟୂ ଝଡ଼ ଉଠିଛି। ସିନେମାରେ ସୁଯୋଗ ଦେବା ପାଇଁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନେ ଅଭିନେତ୍ରୀମାନଙ୍କୁ ସୁଯୋଗ ଦେବା ଆଳରେ କିପରି ସେମାନଙ୍କୁ ଯୌନ ଶୋଷଣ କରୁଛନ୍ତି, ତାହା ଉକ୍ତ ରିପୋର୍ଟରେ ପ୍ରଘଟ ହୋଇଛି। ବଙ୍ଗଳା ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗକୁ ନେଇ ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ରଞ୍ଜିତ ବାଲାକ୍ରିଷ୍ଣନ୍‌ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ ସାଉଥ୍‌ ଆକ୍ଟ୍ରେସ୍‌ ରେବତୀ ସମ୍ପତଙ୍କ ଅଭିଯୋଗ କ୍ରମେ ବର୍ଷିୟାନ ଅଭିନେତା ସିଦ୍ଦିକି ଆସୋସିଏଶନ୍‌ ଅଫ୍‌ ମାଲାୟାଲମ୍‌ ମୁଭି ଆର୍ଟିଷ୍ଟସ (ଏଏମ୍‌ଏମ୍‌ଏ) ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି। ପୋଲିସ ଏନେଇ କେତେଜଣ ସିନେ ବ୍ୟକ୍ତିତ୍ୱଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପ୍ରତି ମିନିଟ୍‌ରେ ୧୬ ବଳାତ୍କାର

ଦେଶର କେଉଁଠି ନା କେଉଁଠି ପ୍ରତି ୧ ମିନିଟ୍‌ରେ ଜଣେ ମହିଳା ବଳାତ୍କାରର ଶିକାର ହେଉଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ କହୁଛି। ସର୍ବାଧିକ ମାମଲାରେ ପୀଡ଼ିତାଙ୍କ ବୟସ ୧୮-୩୦ ବର୍ଷ ମଧ୍ୟରେ। ୨୦୨୨ରେ ମୋଟ ୩୧,୯୩୨ ପୀଡ଼ିତାଙ୍କ ମଧ୍ୟରୁ ୬୬% ବା ୨୧,୦୬୩ ଜଣ ଏହି ଆୟୁ ବର୍ଗର। ୨୦୨୧ରେ ସେମାନଙ୍କ ସଂଖ୍ୟା ୨୦,୦୬୫ ଥିଲା, ଯାହାକି ମୋଟ ୩୧,୮୭୮ ଜଣ ବଳାତ୍କାର ପୀଡ଼ିତାଙ୍କ ୬୩%। ୧୬ ବର୍ଷରୁ କମ୍‌ ବୟସ୍କ ଝିଅ ବଳାତ୍କାର ଶିକାର ହେଲେ ଅନେକ କ୍ଷେତ୍ରରେ ଲୋକଲଜ୍ଜା, ଅପରାଧୀଙ୍କ ଧମକ ଓ ପାରିବାରିକ ଚାପ ଯୋଗୁ ଏତଲା ଦେଉନାହାନ୍ତି। ଏହି କାରଣରୁ ସ୍ବଳ୍ପବୟସ୍କାଙ୍କ ମାମଲା ସଂଖ୍ୟା କମ୍‌ ରହୁଥିବା ସମାଜ ବିଜ୍ଞାନୀମାନେ ମତ ଦେଇଛନ୍ତି।

ଦଣ୍ଡବିଧାନ ହାର ମାତ୍ର ୨୭%

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ବେଳେ ଦେଶରେ ବାର୍ଷିକ ୨୫,୦୦୦ ବଳାତ୍କାର ମାମଲା ରୁଜୁ ହେଉଥିଲା। ଏହା ପରେ ବାର୍ଷିକ ୩୦,୦୦୦ରୁ ଊର୍ଦ୍ଧ୍ୱ ବଳାତ୍କାର ମାମଲା ରୁଜୁ ହୋଇଆସୁଛି। ୨୦୧୬ରେ ଏହା ସର୍ବାଧିକ ୩୯,୦୦୦କୁ ଛୁଇଁଥିଲା। ମାମଲା ସଂଖ୍ୟା ବଢ଼ିଚାଲିଥିବାବେଳେ ଦଣ୍ଡବିଧାନ ହାର ମାତ୍ର ୨୭ରୁ ୨୮% ରହୁଛି। ବ୍ରିଟେନ୍‌ରେ ଦଣ୍ଡବିଧାନ ହାର ୬୩.୫% ଥିବାବେଳେ କାନାଡାରେ ୪୨%।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri