ରାଜନୀତି ବଡ଼ ବିଚିତ୍ର

ଶ୍ରୀବତ୍ସ ନାୟକ

 

ସୁରେନ୍ଦ୍ର ମହାନ୍ତି ତାଙ୍କ ନୀଳଶୈଳ ଉପନ୍ୟାସରେ ଲେଖିଥିଲେ ଯେ, ‘ରାଜନୀତି ବଡ଼ ବିଚିତ୍ର! ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ; ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରି ଚଲା ମେଘ ପରି ଅସ୍ଥିର। ଏହି ମୁହୂର୍ତ୍ତର ଶତ୍ରୁ ପର ମୁହୂର୍ତ୍ତର ପରମ ସୁହୃଦ ବାନ୍ଧବ’। ଯେଉଁ ସମୟରେ ଶତ୍ରୁକୁ ନିପାତ କରିବା ପାଇଁ ଖଡ୍‌ଗ ପ୍ରସ୍ତୁତ ହେଉଥାଏ ତାହା ନିମିଷକ ମଧ୍ୟରେ ଲେଉଟି ଆସି ମିତ୍ରର ଶିର ଛେଦନ କରିପାରେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଏଠି କେବେ ପରମ ମିତ୍ର ପାଲଟିଯାଏ ତ ପୁଣି କେବେ ବନ୍ଧୁଟିଏ ବନ୍ଧୁକ ପାଲଟିଯାଏ। ସାମ୍ପ୍ରତିକ ରାଜନୀତି ସୁବିଧାବାଦୀର ଏକ ମହାରଣ୍ୟ ପାଲଟିଗଲାଣି। ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ରାଜନୀତିର ଏକ ଧର୍ମ ବୋଲି ଅନୁଭବ ହେଲାଣି। କ୍ଷମତାର ମୋହରେ ବଶବର୍ତ୍ତୀ ହୋଇ ରାଜନେତାମାନେ ରାଜନୀତିର ମୂଳତତ୍ତ୍ୱକୁ ଭୁଲିଗଲେଣି। ଏହା ଏକ ଖେଳ ହୋଇଗଲାଣି। ରାଜନେତାଙ୍କ ଭଳି ଚତୁର ଲୋକମାନେ ଏହାକୁ ଖେଳୁଥିବା ବେଳେ ଆମ ଭଳି ଅଶିକ୍ଷିତ, ନିରୀହ, ଗାଉଁଲି, ନିଷ୍କପଟ ଲୋକ, ଯେଉଁମାନେ ରାଜନୀତିର ସଂଜ୍ଞା କ’ଣ ଜାଣନ୍ତି ନାହିଁ ସେମାନେ ଦିନ ସାରା ବସି ଏହାର ଚର୍ଚ୍ଚା, ଆଲୋଚନାକରି ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପ୍ରିୟ ପରିଜନଙ୍କ ସହ ସମ୍ପର୍କ ଖରାପ କରିଚାଲନ୍ତି।
ଆସିଲାଣି ଗଣତନ୍ତ୍ରର ମହାପର୍ବ। ଆଉ ଦିନ କେଇଟା ପରେ ସର୍ବଧର୍ମ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅଷ୍ଟାଦଶ ଲୋକ ସଭା ନିର୍ବାଚନ ସାଙ୍ଗକୁ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଭୋଟରମାନେ ମତଦାନ ସାବ୍ୟସ୍ତ କରି ଗଠନ କରିବେ ସରକାର। ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ, କାର୍ଯ୍ୟକ୍ଷେତ୍ରରୁ କୃଷିକ୍ଷେତ୍ର, କ୍ରୀଡ଼ା କ୍ଷେତ୍ରରୁ ରଣକ୍ଷେତ୍ର ଯାଏଁ ସବୁଠି ଚର୍ଚ୍ଚା। କିଏ ଗଢ଼ିବ ସରକାର? କେଉଁଠି କାହାର ପଲ୍ଲା ଭାରି ରହିଛି? କାହାର କଟିବ ଟିକେଟ? କିଏ ପାଇବ ଟିକେଟ? ଏହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଗଲାଣି। ନିର୍ବାଚନ ଯେତିକି ପଖେଇ ଆସୁଛି ତାହାର ଉଷ୍ମତା ସେତିକି ବଢ଼ିବଢ଼ି ଯାଉଛି। ନେତାମାନେ ନିର୍ବାଚିତ ହୋଇ ଶାସନ ଭାର ସମ୍ଭାଳିବାକୁ ଯେତିକି ବ୍ୟଗ୍ର ହେଲେଣି ଜନତାମାନେ ମଧ୍ୟ ନିର୍ବାଚନ ମାଧ୍ୟମରେ ନିଜର ମନ ପସନ୍ଦ ପ୍ରାର୍ଥୀ ବାଛିବା ପାଇଁ ଠିକ୍‌ ସେତିକି ତତ୍ପର ହୋଇଉଠିଲେଣି।
ବିଶ୍ବର ସପ୍ତ ଆଶ୍ଚର୍ଯ୍ୟ ଭଳି ଭାରତର ରାଜନୀତି ମଧ୍ୟ ଏକ ଆଶ୍ଚର୍ଯ୍ୟ! ଏଠି ସମ୍ଭବ ହେଉଥିବା ଅନେକ କାର୍ଯ୍ୟ ଅସମ୍ଭବ ହୋଇପଡ଼େ ତ କେବେ ସମ୍ପୂର୍ଣ୍ଣ ଅସମ୍ଭବ ମନେହେଉଥିବା କାର୍ଯ୍ୟ ସମ୍ଭବପର ହୋଇପାରେ। ବେଙ୍ଗ କୁହେ ବେଙ୍ଗୁଲୀ ଲୋ ପୃଥୀ କ୍ଷଣ କ୍ଷଣକେ ଆନ। ଉକ୍ତିଟିର ଯଥାର୍ଥତା ବେଶ୍‌ ପ୍ରତିଫଳିତ ହେଉଛି ଆମ ରାଜନୀତିରେ। ରାଜନୀତିରେ ପ୍ରତିକ୍ଷଣ ହେଉଛି ପରିବର୍ତ୍ତନର। କେହି ଏଠି କାହାର ନୁହନ୍ତି। କିଏ ଆପଣାର ନୁହନ୍ତି, କି କେହି ପର ନୁହନ୍ତି। କେତେବେଳେ ଏଠି ଦୂର ଅପରିଚିତ ବ୍ୟକ୍ତିଟିଏ ଅତି ନିଜର ହୋଇଯାଏ ତ କେବେ ନିଜର ଥିବା ବ୍ୟକ୍ତି ସାତପର ହୋଇଯାଏ। ଏକଦା ଏକ ସମୟ ଥିଲା ରାଜନୀତିରେ କର୍ମୀମାନେ ନେତା ବାଛୁଥିଲେ, କିନ୍ତୁ ଅଧୁନା ନେତାମାନେ କର୍ମୀ ବାଛିବା ଆରମ୍ଭ କରିଦେଲେଣି। ଆଜି ଯିଏ ଗୋଟିଏ ରାଜନୈତିକ ଦଳରେ ଏକ ନିର୍ଦ୍ଦିଷ୍ଟ ନେତା ପାଇଁ ପ୍ରଚାର କରୁଛି କାଲି ଟଙ୍କା ନେଇ ଆଉ କାହା ପାଇଁ ପ୍ରଚାର କଲାଣି। ଏହା ହେଉଛି ରାଜନୀତି ଯେଉଁଠି ନେତାଟିଏ କୌଣସି ଏକ ଦଳରୁ ଟିକେଟ ପାଇଁ ଚେଷ୍ଟା କରୁଛି, ଫଳରେ ଦଳ ପାଇଁ ଜିନ୍ଦାବାଦ ଜିନ୍ଦାବାଦ କରୁଛି। କିନ୍ତୁ ଟିକେଟ ନ ମିଳିଲେ ଦଳକୁ ମୁର୍ଦ୍ଦାବାଦ କହିବାକୁ ପଛାଉନାହିଁ। ଏଠି ବାପା ଯେଉଁ ଦଳରୁ ବିତାଡ଼ିତ ହେଉଛି ପୁଅ ଠିକ୍‌ ସେହି ଦଳରୁ ନିର୍ବାଚନ ଲଢ଼ୁଛି। ବୋହୂ ଗୋଟିଏ ଦଳକୁ ସମର୍ଥନ କରୁଥିବା ବେଳେ ଶଶୁର ଅନ୍ୟ ଏକ ଦଳର ପ୍ରତିନିଧିତ୍ ଅଛନ୍ତି। ଦଳର ଶୃଙ୍ଖଳା ଭଙ୍ଗକରି ଦଳରୁ ନିର୍ବାସିତ ହୋଇଥିବା ନେତା ଦଳକୁ ଫେରୁଛି। ନେତାମାନେ ଦଳ ଡିଆଁ କରୁଛନ୍ତି। ନୀତି ନୈତିକତା ପଛରେ ପଡ଼ିଛି, କିନ୍ତୁ କ୍ଷମତା ପାଇଁ ଲମ୍ବ ଘୋଡ଼ା ଦୌଡ଼ ଆରମ୍ଭ ହେଉଛି।
ରାଜନୀତି ଏଭଳି ଏକ କ୍ଷେତ୍ର ପାଲଟିଯାଇଛି ଯେଉଁଠି ମାଟି ଆଗ ନୁହେଁ ବରଂ ପାର୍ଟି ଆଗ। ରାଜନେତାଙ୍କ ମୃତ୍ୟୁ ପରେ ସହାନୁଭୂତିକୁ ଆୟୁଧକରି ତାଙ୍କର ଅଧୁରା ସ୍ବପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ସେମାନଙ୍କର ଉତ୍ତରାଧିକାରୀ ଭାବେ ରାଜନୀତିକୁ ଓହ୍ଲାଉଛନ୍ତି କେତେଜଣ ବ୍ୟକ୍ତି। ଏଠି ପ୍ରତିଶୁତି ମିଳେ। ଏଠି ପ୍ରତାରଣା ମଧ୍ୟ ମିଳେ। କ୍ଷମତା ହାସଲ କରିବା ପାଇଁ ଏ କ୍ଷେତ୍ରରେ ନେତାମାନେ ପ୍ରତିଶୁତି ଦେଇଥାନ୍ତି। କିନ୍ତୁ ନିର୍ବାଚନ ସରିଲେ ପ୍ରତିଶୁତିକୁ ଭୁଲିଯାଆନ୍ତି, ଫଳରେ ଜନତାଙ୍କୁ ମିଳେ ଖାଲି ପ୍ରତାରଣା। ଏଠି କେହି କାହାର ଶତ୍ରୁ ନୁହନ୍ତି କି କେହି କାହାର ମିତ୍ର ନୁହନ୍ତି। ନିଜର ସ୍ବାର୍ଥ ହାସଲ କରିବା ପାଇଁ ନେତାମାନେ ପରକୁ ଆପଣା ଓ ଆପଣାରକୁ ପର କରିପାରନ୍ତି। ଏଠି ଶତ୍ରୁକୁ ନିଧନ କରିବା ପାଇଁ ଅସ୍ତ୍ର ପ୍ରସ୍ତୁତ ହୁଏ, କିନ୍ତୁ ନିମିଷକ ମଧ୍ୟରେ ଏହା ଓଲଟି ପଡ଼ି ମିତ୍ରର ମସ୍ତକ ଛେଦନକରେ। ପାଦ ଧରୁଥିବା ଲୋକ ଏଠି ସମୟ ଆସିଲେ ମସ୍ତକ ଛ଼େଦନ କରିବାକୁ ପଛାଏ ନାହିଁ। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୂହିକ ସ୍ବାର୍ଥ ବଳି ପଡ଼େ। କିଏ ଏଠି ଘରକୁ ବାହୁଡୁଛି ତ କିଏ ଘରୁ ବାହାରିଯାଉଛି। ଏହା ଏମିତି ଏକ କ୍ଷେତ୍ର ପାଲଟିଗଲାଣି ଯେଉଁଠି କିଛି ବି ସମ୍ଭବପର ମନେହୁଏ। କାଲି ଯିଏ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଥିଲା ଆଜି ସେ ନିଜ ଦଳରେ ସାମିଲ ହେଉଛି। ସମାଲୋଚିତ ହେଉଥିବା ବ୍ୟକ୍ତି ବି ପ୍ରଶଂସାର ପାତ୍ର ହୋଇପାରିଛି। ଦେଶ ସେବା ପାଇଁ ନେତାମାନେ କ୍ଷମତାର ଦାସ ପାଲଟିଯାଇଛନ୍ତି। କ’ଣ ସେବା ପାଇଁ କ୍ଷମତା ନିହାତି ଜରୁରୀ? ସତରେ ବଡ଼ ବିଚିତ୍ର ଏ ରାଜନୀତି। ଏଠି କେତେକେ କ୍ଷମତାକୁ ଆସିବା ପାଇଁ କଳ, ବଳ ଓ କୌଶଳ ଲଗାଇ ଥାଆନ୍ତି। ରାଜନୀତିରେ କି ରସ ଅଛି, ପାନକଲା ଲୋକ ହିଁ ଜାଣିଛି। ହଁ , ଅଛି ନିଶ୍ଚିତ ଅଛି। କାରଣ ଥରେ କ୍ଷମତାକୁ ଆସିଲେ ତିନି ପୁରୁଷ ଉଦ୍ଧାର ହୋଇଯିବ। କାହିଁକି ବା ହେବନି? ରାଜନୀତିରେ ଉଚ୍ଚ ଦରମା ସାଙ୍ଗକୁ ପେନ୍‌ସନ ଏବଂ ପ୍ରତି କାର୍ଯ୍ୟରେ ପିସି କାରବାରର ସୁବିଧା ଅଛି। ସଦ୍ୟସଦ୍ୟ ଓଡ଼ିଶା ରାଜ୍ୟ ସରକାର ରାଜନେତାମାନଙ୍କର ମାସିକ ବେତନକୁ ବେଶ୍‌ ବୃଦ୍ଧି କରାଇଛନ୍ତି। ଏଠି ପ୍ରଶ୍ନ ଉଠେ ଯଦି ନେତାମାନେ ଦେଶ ସେବା କରୁଛନ୍ତି ତା’ହେଲେ ଦରମା କାହିଁକି? ଯଦି ଦରମା ତା’ହେଲେ ଶିକ୍ଷାଗତ ଯୋଗ୍ୟତା କାହିଁକି ନୁହେଁ? ଏହା ହିଁ ତ ରାଜନୀତିର ସବୁଠୁ ବଡ଼ ବୈଚିତ୍ର୍ୟ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥାଏ ।
ପିଲାଦିନେ ପଢ଼ିଥିଲୁ- ଆମେ ଚଳାଉଛୁ ଦେଶ ଆମରି, ଆମରି ନାଆ ରେ ଆମେ ନାଉରି। ହଁ, ଆଜ୍ଞା ଆମ ଦେଶ ଆଜକୁ ପ୍ରାୟ ୭୭ ବର୍ଷ ପୂର୍ବେ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ପରାଧୀନର ଶୃଙ୍ଖଳ ଭାଙ୍ଗି ସ୍ବାଧୀନତାର ସ୍ବାଦ ଚାଖିଥିବା ଭାରତର ଶାସନ ଭାର ତା’ର ନାଗରିକମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ହିସାବରେ ପ୍ରତି ୫ ବର୍ଷରେ ନାଗରିକମାନେ ନିଜର ମନ ପସନ୍ଦ ପ୍ରାର୍ଥୀ ଚୟନକରି ସେମାନଙ୍କୁ ୫ବର୍ଷ ନିମନ୍ତେ ଦେଶର ଶାସନ ଭାର ଦେଇଥାନ୍ତି। ୧୯୫୨ରୁ ଏହା ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ହୋଇଆସୁଥିଲେ ମଧ୍ୟ ଆଜି ଆମକୁ ପୁଣି ଥରେ ପଚାରିବାକୁ ପଡୁଛି, ଆମେ ସତରେ ଆମ ଶାସନ ବ୍ୟବସ୍ଥାର ପରିଚାଳକ କି। ଖାଲି ଭୋଟ ଦେଇଦେଲେ ଆମର ଦାୟିତ୍ୱ ସରିଗଲା କି। ୫ବର୍ଷରେ ଥରେ ଭୋଟ ଦେବାର ଅଧିକାର ହିଁ କେବଳ ଆମର ଶାସକ ହେବାର ସଙ୍କେତ କି। ଆମେ ଭୋଟ ଦେଉଛୁ, ତେଣୁ ଆମେ ଆମ ଦେଶକୁ ଚଳାଉଛୁ ବୋଲି ଭାବିନେବା ସାମ୍ବିଧାନିକ ସତ୍ୟ କି। କେବେ ନୁହେଁ। ସମୟ ଆସିଛି, ପ୍ରତ୍ୟେକ ଭୋଟରଙ୍କୁ ଏହାର ଗୁରୁତ୍ୱ ଅନୁଭବ କରିବାକୁ ପଡ଼ିବ। ନିଜର ଭୋଟ ଖଣ୍ଡିକୁ ସ୍ବଳ୍ପ ଅର୍ଥ ବିନିମୟରେ ବିକ୍ରି ନ କରି ନିଜର ଅମୂଲ୍ୟ ଭୋଟ ଖଣ୍ଡିକ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ରହିବା ଉଚିତ। ଏହାଦ୍ୱରା ଦେଶର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇପାରିବ।
ଅଧ୍ୟାପକ, ବାଣିଜ୍ୟ ବିଭାଗ
ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ, ଫୁଲନଖରା
ମୋ: ୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri