Categories: ଜାତୀୟ

କେଜ୍‌ରିୱାଲଙ୍କ ପ୍ରଶ୍ନ: ଭାଜପାଠାରୁ କ’ଣ ଶିଖିବେ ଦେଶର ଯୁବକ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରଥମ ଥର ପାଇଁ ତାଙ୍କ ସରକାରୀ ବାସଭବନରେ ହୋଇଥିବା ଆକ୍ରମଣକୁ ନେଇ ଗୁରୁବାର ମୁହଁ ଖୋଲିଛନ୍ତି। କେଜ୍‌ରିୱାଲ ଗୁରୁବାର ଭାଜପାକୁ ପ୍ରଶ୍ନ କରି କହିଛନ୍ତି, ଯଦି ଦେଶର ଶାସକ ଦଳ ଦିଲ୍ଲୀରେ ଏପରି ଗୁଣ୍ଡାଗିରି କରନ୍ତି, ତେବେ ଏହା ଦେଶର ଯୁବକମାନଙ୍କୁ କେଉଁ ବାର୍ତ୍ତା ଦେବ? ଗତକାଲି ମୋ ଘର ଉପରେ ଆକ୍ରମଣ କରାଯାଇଥିଲା, ମୋ ଜୀବନ ମଧ୍ୟ ଦେଶ ପାଇଁ ସମର୍ପିତ। କିନ୍ତୁ ମୁଁ ନୁହେଁ, ଦେଶ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଗୁଣ୍ଡାଗିରି ଠିକ ନୁହେଁ। ଏପରି କଲେ ଦେଶ ଅଗ୍ରଗତି କରିବ କି? ନା ନା? ଆସନ୍ତୁ ସମସ୍ତେ ଦେଶ ପାଇଁ ଏକାଠି କାମ କରିବା।
ସେ ଆହୁରି କହିଛନ୍ତି, ଗୁଣ୍ଡାଗିର ଦେଶକୁ ଆଗକୁ ବଢାଇବ ନାହିଁ। ଯଦି ଦେଶକୁ ଏକବିଂଶ ଶତାବ୍ଦୀର ଭାରତ ହେବାକୁ ପଡ଼ିବ, ତେବେ ସମସ୍ତଙ୍କୁ ପ୍ରେମ ଏବଂ ସଦ୍‌ଭାବନା ସହିତ ଏକାଠି କାମ କରିବାକୁ ପଡ଼ିବ। ଯଦି ଦେଶର ସର୍ବବୃହତ ଦଳ ରାଜଧାନୀରେ ଏଭଳି ଗୁଣ୍ଡାଗିରି କାର୍ଯ୍ୟରେ ଜାରି ରହିବ, ତେବେ ଯୁବକମାନଙ୍କୁ ଏକ ଭୁଲ ବାର୍ତ୍ତା ଯିବ।
ସୂଚନାଯୋଗ୍ୟ, ଭାଜପା ବିଧାୟକମାନେ କଶ୍ମୀର ଫାଇଲ୍ସ ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। ଏହାର ଜବାବରେ କେଜ୍‌ରିୱାଲ ଦିଲ୍ଲୀ ବିଧାନସଭାରେ ଭାଜପାକୁ ତାଚ୍ଛଲ୍ୟ କରି ୟୁଟ୍ୟୁବରେ ଫିଲ୍ମକୁ ରିଲିଜ କଲେ ସମସ୍ତେ ମାଗଣା ଦେଖିପାରିବେ। ତେଣୁ ଟିକସ ମୁକ୍ତର କୌଣସି ଆବଶ୍ୟକ ନ ଥିବା ସେ କହିଥିଲେ। କେଜ୍‌ରିଓ୍ବାଲଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆଉ କିଛି ଲୋକଙ୍କୁ ଖୋଜୁଛି। ଏହି ଘଟଣାରେ ପୋଲିସର ୬ଟି ଟିମ ନିୟୋଜିତ ଅଛନ୍ତି।

Share