ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨ କୋଟିର ଭୋଟ ବାକ୍ସ ଭାଜପା ପକେଟକୁ ଆସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ଭାଜପା ପାଇଁ ସହକ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତ ସମୟରେ ମତୁଆ ସମ୍ପ୍ରଦାୟର ସଂସ୍ଥାପକ ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳ ଓରାକାଣ୍ଡି ମନ୍ଦିରରେ ପହଞ୍ଚିଛନ୍ତି। ୨୦୧୫ରେ ବାଂଲାଦେଶ ଗସ୍ତ ସମୟରେ ମନ୍ଦିରକୁ ଆସିବାର ଇଛା ଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନ ଥିଲା ବୋଲି ମୋଦି ଶନିବାର କହିଛନ୍ତି। ମାତ୍ର ଶେଷରେ ଏବେ ଏହା ପୂରଣ ହୋଇଛି। ସେହିପରି ବୋରୋ ମା’ଙ୍କ ଆଶୀର୍ବାଦ ମିଳିଥିବା ନେଇ ମୋଦି ବାଂଲାଦେଶରେ ମତୁଆ ସମ୍ପ୍ରଦାୟଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ମତୁଆ ସମ୍ପ୍ରଦାୟଙ୍କ ସମର୍ଥନ ଯୋଗୁ ଲୋକ ସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳ ରହିଥିଲା। ଏବେ ତାହାର ପୁନରାବୃତ୍ତି ପାଇଁ ବିଧାନସଭା ନିର୍ବାଚନ ସମୟରେ ମୋଦି ବାଂଲାଦେଶ ଗସ୍ତ କରି ମତୁଆ ସମ୍ପ୍ରଦାୟ ସମର୍ଥନ ହାସଲ କରିବାର ଉଦ୍ୟମ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share