Categories: ଜାତୀୟ

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି । ପଞ୍ଜାବର ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର କହିଥିଲେ କି କ୍ୟାପଟେନ ଅମରିନ୍ଦର ସିଂଙ୍କ ପାକିସ୍ତାନୀ ବାନ୍ଧବି ଅରୁସା ଆଲମଙ୍କର ଆଇଏସ୍ ଲିଙ୍କ ରହିଛି । ଏହାର ଯାଞ୍ଚ କରାଯାଉ । ଏହାପରେ କ୍ୟାପଟେନ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ରନ୍ଧୱାଙ୍କୁ ଟାର୍ଗେଟ କରିଛନ୍ତି । ସେ ରନ୍ଧୱାଙ୍କ କାର୍ଯ୍ୟକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି । କ୍ୟାପଟେନ କହିଛନ୍ତି ରନ୍ଧୱା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏମିତି ଏକ କାମରେ ଲଗାଇ ଦେଇଛନ୍ତି ଯାହାର କୌଣସି ଆଧାର ହିଁ ନାହିଁ ।
କ୍ୟାପଟେନ ତାଙ୍କ ପ୍ରଥମ ଟୁଇଟରେ ରନ୍ଧୱାଙ୍କୁ ପଚାରିଛନ୍ତି, ଆପଣ ମୋ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ କେବେ କାହିଁକି ଅରୁସା ଆଲମଙ୍କ କଥା ତ ଉଠାଇ ନାହାନ୍ତି । ୧୬ ବର୍ଷ ହେବ ସେ ସରକାରଙ୍କ ଅନୁମତି କ୍ରମେ ଭାରତ ଆସୁଛନ୍ତି । ହେଲେ ଆପଣ ଏବେ ଅଭିଯୋଗ କରୁଛନ୍ତି । ସେତେବେଳେ କ’ଣ ଉପା ଓ ଏନ୍‌ଡିଏ ସରକାରଙ୍କ ଆଇଏସ୍ ସହ ସଲାସୁତୁରା ଥିଲା ।
ଦ୍ୱିତୀୟ ଟୁଇଟରେ କ୍ୟାପଟେନ କହିଛନ୍ତି, ଦେଶକୁ ଏବେ ଆତଙ୍କବାଦର ଭୟ ରହିଛି, ଆଗକୁ ପର୍ବ ଆସୁଛି ରାଜ୍ୟରେ ଆଇନ ବ୍ୟବସ୍ଥା ଉପରେ ନଜର ରଖିବା ଛାଡି ଡିଜିପିଙ୍କୁ ଏକ ଆଧାର ହିନ କାମରେ ଲାଗାଇ ଦିଆଯାଇଛି । ଏମିତି ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କ୍ୟାପଟେନ ଅମରିନ୍ଦର ସିଂ ଗୃହମନ୍ତ୍ରୀ ରନ୍ଧୱାଙ୍କୁ ଟାର୍ଗେଟ କରିଛନ୍ତି ।

Share