Categories: ଜାତୀୟ

୧୫ ବର୍ଷ ମଧ୍ୟରେ ଭାଜପା ଦେଇଛି ୩ ଆବର୍ଜନା ପାହାଡ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ନେଇ ଭାଜପା ଏବଂ ଆମ ଆଦମୀ ପାର୍ଟି(ଏଏପି) ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ସକାଳେ ଗାଜିପୁର ଲ୍ୟାଣ୍ଡଫିଲ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୧୫ ବର୍ଷ ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ ପାଇଁ ଭାଜପା କ’ଣ କାମ କରିଛି? କେବଳ ତିନୋଟି ବଡ ଅଳିଆ ପାହାଡ ନିର୍ମାଣ କରଛି। ଦିଲ୍ଲୀ ଭିତରେ ଆମେ କେଉଁ କାମ କରିଛୁ ଭାଜପା ମୋତେ ପଚାରିବା ଉଚିତ୍‌। ମୋତେ ଏହା ପଚାରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ, କେବଳ ଦିଲ୍ଲୀର ଲୋକମାନେ କହିବେ ଯେ ଆମ ଆଦମୀ ପାର୍ଟି ଦିଲ୍ଲୀ ପାଇଁ କ’ଣ କରିଛି।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରି କେଜ୍‌ରିଓ୍ବାଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସିଥିଲେ। ସେ ମୋତେ ଗାଳି ଦେଇ ଦିଲ୍ଲୀ ଏମସିଡିକୁ ଫଣ୍ଡ୍‌ ଦେଇ ନ ଥିବାର ଅଭିଯୋଗ କରିଛନ୍ତି। ମୁଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ ଯେ ସେ ଏମ୍‌ସିଡିକୁ କେତେ ଫଣ୍ଡ ଦେଇଛନ୍ତି।
ସୂଚନାଯୋଗ୍ୟ, କେଜ୍‌ରିଓ୍ବାଲ ଆଜି ଦିଲ୍ଲୀ ଗାଜିପୁର ଆସିବାକୁ ଘୋଷଣା କରିଥିଲେ। ସେ ସେଠାକୁ ଯିବା ପୂର୍ବରୁ ଦିଲ୍ଲୀ ଭାଜପା କର୍ମୀମାନେ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଭାଜପା କର୍ମୀମାନେ ‘କେଜ୍‌ରିୱାଲ ଗୋବ୍ୟାକ୍‌’, ‘କେଜ୍‌ରିୱାଲ ହାଏ-ହାଏ’ ସ୍ଲୋଗାନ ଦେଇଥିଲେ।

Share