Advertisement

ମୋଦିଙ୍କ ଉତ୍ତରାଧିକାରୀକୁ ନେଇ ତେଜିଲା ରାଜନୀତି: ସଞ୍ଜୟଙ୍କ ପରେ ଫଡନବୀସ କହିଲେ ଏମିତି…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗପୁର ଗସ୍ତ ଉପରେ ଶିବସେନା (UBT) ନେତା ସଞ୍ଜୟ ରାଉତଙ୍କ ବୟାନ ଏକ ଭିନ୍ନ ମୋଡ଼ ଦେଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ରବିବାର ନାଗପୁର ଯାଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ଏହି ବାର୍ତ୍ତା ଦେଇଥିଲେ ଯେ, ସେ ଅବସର ନେଉଛନ୍ତି ଏବଂ ତାଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ଆସିବେ।

ତାଙ୍କର ଏହି ଦାବିଗୁଡ଼ିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ମୋଦୀ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଦେଶକୁ ନେତୃତ୍ୱ ଦେଇ ଚାଲିବେ। ପରବର୍ତ୍ତୀ ନିର୍ବଚନରେ (୨୦୨୯) ଆମେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବୁ। ତାଙ୍କ ଉତ୍ତରାଧିକାରୀଙ୍କୁ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ସେ (ମୋଦି) ଆମର ନେତା ଏବଂ ଏହି ପଦବୀରେ ରହିବେ। ନତା ସକ୍ରିୟ ଥିବା ସମୟରେ ଉତ୍ତରାଧିକାର ବିଷୟରେ ଆଲୋଚନା କରିବା ଭାରତୀୟ ସଂସ୍କୃତିରେ ଅନୁପଯୁକ୍ତ। ତାହା (ଆମେ ଯାହା ବିଷୟରେ କହୁଛୁ) ହେଉଛି ମୋଗଲ ସଂସ୍କୃତି। ଏହା ବିଷୟରେ ଆଲୋଚନା କରିବାର ସମୟ ଏପର୍ଯ୍ୟନ୍ତ ଆସିନାହିଁ।

ଏହାପୂର୍ବରୁ ଶିବସେନା (UBT) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ କହିଥିଲେ, ମୋଦି ସେପ୍ଟେମ୍ବରରେ ତାଙ୍କର ଅବସର ଆବେଦନ ଲେଖିବା ପାଇଁ RSS ମୁଖ୍ୟାଳୟ ଯାଇଥିଲେ। ୧୦-୧୨ ବର୍ଷ ମଧ୍ୟରେ, ସେ କେବେ RSS ମୁଖ୍ୟାଳୟ ଯାଇ ନ ଥିଲେ। ତେଣୁ ସେ ମୋହନ ଭାଗବତଙ୍କ ପାଖକୁ ଯାଇ କହିଥିଲେ, ମୁଁ ଅବସର ନେବାକୁ ଯାଉଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୧ ବର୍ଷ ପରେ ପ୍ରଥମ ଥର ପାଇଁ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଉପସ୍ଥିତ ଥିଲେ।

 

Share