ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର, ୨୧ା୪(ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗକରି କିଛିଦିନ ତଳେ ଭାଜପା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ଏବଂ ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଉକ୍ତ ଘଟଣାରେ ଗିରଫ ହୋଇ କେତେଜଣ କର୍ମୀ ଜେଲ ଯାଇଥିଲେ। ତେବେ ଏମାନଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ ମିଳିବା ପରେ ଏହାକୁ ନେଇ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୋଲିସ ଷଡ଼ଯନ୍ତ୍ରର ଶିକାର ହୋଇ ଜେଲ ଯାଇଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ଘଟଣାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟୁଇଟ୍‌କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଟୁଇଟ୍‌ରେ ସେ କହିଛନ୍ତି , ଭାଜପା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗତ ଫେବୃୟାରୀ ୨୮ରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୋଲିସ ଦ୍ୱାରା ଷଡ଼ଯନ୍ତ୍ରର ଶିକାର ହୋଇ ସେମାନଙ୍କୁ ଜେଲଲ ଯିବାକୁ ପଡ଼ିଥିଲା। ଏହି ଘଟଣାକୁ ୫୦ ଦିନରୁ ଊର୍ଦ୍ଧ୍ୱ ହେଲାଣି। ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା। ହେଲେ ପୋଲିସ ପ୍ରଶାସନ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବେ ନୁହେଁ ବରଂ ଅପରାଧୀ ଭଳି ବ୍ୟବହାର କରିଥିଲା, ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ହାଇକୋର୍ଟ ଗୁରୁବାର ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶ ଆଇନ ବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଧର୍ମେନ୍ଦ୍ରଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ନେତା ଗୌତମ ବୁଦ୍ଧ ଦାସ କହିଛନ୍ତି, ଜଣେ ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଓଡ଼ିଶା ଭାଜପା ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ତାଙ୍କ ସହଯୋଗୀମାନେ ଜାମିନରେ ଜେଲରୁ ମୁକୁଳୁଛନ୍ତି। ଫେବୃୟାରୀ ୨୮ରେ ଏମାନେ ବିକ୍ଷୋଭ ନାଁରେ ଭୁବନେଶ୍ୱରର ଛାତି ଉପରେ କିପରି ଆତଙ୍କ ସୃଷ୍ଟି କରିଥିଲେ ରାଜ୍ୟବାସୀ ତାହା ଦେଖିଛନ୍ତି। ସେଦିନ ସେମାନଙ୍କ ବର୍ବରତାପୂର୍ଣ୍ଣ ଆକ୍ରମଣରେ ଜଣେ ଏସ୍‌ପିଙ୍କ ସମେତ ୨୧ ପୋଲିସ ଆହତ ହୋଇଥିଲେ। ଦୁର୍ଭାଗ୍ୟର ବିଷୟ ହେଉଛି ଏଭଳି ଜଘନ୍ୟ ମାମଲାରେ ଲିପ୍ତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ରାଜ୍ୟ ଭାଜପାର କେତେଜଣ ନେତା ସମର୍ଥନ କରୁଛନ୍ତି। ରାଜ୍ୟରେ ଭାଜପାର ଏହି ନେତାଙ୍କୁ ସଚେତନ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆଗକୁ ବି ପ୍ରତ୍ୟାଖ୍ୟାନ କରିବେ ବୋଲି ଗୌତମ କହିଛନ୍ତି।

Share