ବଦନାମ କରିବାକୁ ରାଜନୈତିକ ଚକ୍ରାନ୍ତ: ସନାତନ

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ନମ୍ବିରାସ୍ଥିତ ବାସଭବନ ଓ ଉଚ୍ଚବାଲିସ୍ଥିତ କାର୍ଯ୍ୟାଳୟକୁ ଶନିବାର ସାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ କେତେଜଣ ଲୋକ ଘେରାଓ କରିଥିଲେ। ଆନ୍ଦୋଳନକାରୀ ୧୦ ବର୍ଷ ତଳେ ବିଭିନ୍ନ ଖଣିରେ ଅଂଶୀଦାର ଥିବା କହି ଲାଭାଂଶ ଦାବି କରିଥିଲେ। ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ନେଇ ସନାତନ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ନିଜ ମତ ରଖି ଘେରାଉ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ ଚାଲିଛି।
ସେ ଆହୁରି କହିଛନ୍ତି, ଖଣି ଅଞ୍ଚଳରେ ମେଶିନ ମାଇନ୍ସର ପ୍ରଚଳନ ପରେ ଶ୍ରମିକ ଛଟେଇ ହୋଇ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ଧରି ତାଙ୍କର ପରିବହନ ବ୍ୟବସାୟର ଲାଭାଂଶରୁ ଗରିବ ଲୋକମାନଙ୍କୁ ସାହାଯ୍ୟ କରି ଆସୁଥିଲେ। ତାଙ୍କଠାରୁ କେହି କୌଣସି ପ୍ରକାର ପ୍ରାପ୍ୟ ପାଇବାର ନାହିଁ। ଘେରାଓରେ ସାମିଲ ଥିବା ଦାବିଦାରମାନଙ୍କ ପାଖରେ ସେଭଳି ପ୍ରମାଣ ନାହିଁ। ଯଦି ସେମାନଙ୍କ ନିକଟରେ କୌଣସି ତଥ୍ୟ ପ୍ରମାଣ ଥାଏ ସେମାନେ ଆଇନର ଆଶ୍ରୟ ନେଇପାରନ୍ତି। ମାତ୍ର ପରିବାର ନେଇ ସେ ପୈତୃକ ଗ୍ରାମ ନମ୍ବିରାରେ ରହିଆସୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ଘର ଘେରାଓ କରି ପାଟିତୁଣ୍ଡ କରିବା ଏକ ଅଗଣତାନ୍ତ୍ରିକ ପ୍ରକ୍ରିିୟା ବୋଲି ସେ କହିଛନ୍ତି। ଆସନ୍ତା ନିର୍ବାଚନରେ ପୁଣି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେବା ପରେ ବିରୋଧୀ ଗୋଷ୍ଠୀ ସ୍ଥାନୀୟ ଲୋକଙ୍କୁ ଆଣି ତାଙ୍କ ଘର ସମ୍ମୁଖରେ ହଟ୍ଟଗୋଳ କରୁଛନ୍ତି। ତାଙ୍କୁ ବଦନାମ କରିବା ପାଇଁ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି। ସେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଆସିଛନ୍ତି। ତାଙ୍କର ମଧ୍ୟ ଅନେକ ସମର୍ଥକ ଜିଲାବ୍ୟାପୀ ରହିଛନ୍ତି। ଆନ୍ଦୋଳନକାରୀଙ୍କ ସହ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଲେ ତାହାକୁ ଆୟତ୍ତ କରିବା ତାଙ୍କ ପକ୍ଷରେ ମଧ୍ୟ ଅସମ୍ଭବ ହୋଇପଡ଼ିବ ବୋଲି ମଧ୍ୟ ସନାତନ କହିଥିଲେ।

Share