ଭୁବନେଶ୍ୱର,୨୨।୩: ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା ହୋଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜୟଙ୍କୁ ହଠାତ୍ ହଟାଯିବା ପରେ ରାଜ୍ୟ କଂଗ୍ରେସରେ ସବୁକିଛି ଠିକ୍ ଚାଲିନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।
ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଭକ୍ତଚରଣ ଦାସ କାର୍ଯ୍ୟ କରିବେ । ବିଜୟ ପଟ୍ଟନାୟକ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପରିବର୍ତ୍ତେ ନିର୍ବାଚନ ସମନ୍ବୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଭକ୍ତଚରଣ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ବିଜୟଙ୍କୁ ଗତବର୍ଷ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା।