Categories: ଜାତୀୟ

ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲରେ ସିଜେଆଇଙ୍କୁ ରଖିବାକୁ ଦାବି କରିଥିଲେ ଆଡଭାନୀ

ନୂଆଦିଲ୍ଲୀ,୧୧।୮: ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ ଗୁରୁବାର ପାର୍ଲାମେଣ୍ଟରେ ଏକ ବିଲ ଉପସ୍ଥାପନ ହୋଇଥିଲା, ଯେଉଁଥିରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଏକ ହାଇ ପାଓ୍ବାର କମିଟି ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏହି କମିଟିରୁ ବାହାର କରାଯାଇଛି। ଏହି ବିଲ ଅନୁଯାୟୀ ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟ ମନ୍ତ୍ରୀ ସାମିଲ ହେବେ। ପୂର୍ବରୁ ଏହି କମିଟିରେ ସିଜେଆଇ ରହିଆସୁଥିଲେ। ଏହି କାରଣରୁ, ଏହି ପ୍ରସଙ୍ଗରେ ଆଲୋଚନା ହେଉଛ। ଅନ୍ୟପକ୍ଷରେ, ବରିଷ୍ଠ ଭାଜପା ନେତା ଏଲ.କେ ଆଡଭାନୀଙ୍କ ଚିଠିକୁ କିଛି ଲୋକ ମନେ ରଖିଛନ୍ତି ଯେଉଁଥିରେ ଏଭଳି ନିଯୁକ୍ତିରେ ପକ୍ଷପାତିତାକୁ ଏଡାଇବା ପାଇଁ କମିଟିରେ ସିଜେଆଇଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଥିଲା।

ଇଣ୍ଡିଆନ ଏକ୍ସପ୍ରେସ ଏକ ରିପୋର୍ଟରେ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଏବଂ ବାକି ନିର୍ବାଚନ କମିଶନରଙ୍କୁ ସରକାର ସମ୍ବିଧାନର ଧାରା ୩୨୪ (୨) ଅନୁଯାୟୀ ନିଯୁକ୍ତ କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ପାର୍ଲାମେଣ୍ଟ ଦ୍ୱାରା କରାଯାଇଥିବା କୌଣସି ଆଇନର ପ୍ରାବଧାନ ଅନୁଯାୟୀ, ସମୟ ସମୟରେ ନିର୍ବାଚନ କମିଶନଙ୍କ ନିଯୁକ୍ତି କରିପାରିବେ।

Share