ପୋଲିଂ ଅଧିକାରୀଙ୍କୁ ମତଦାନ ସୁଯୋଗ ମିଳୁ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭାରତୀୟ ସମ୍ବିଧାନରେ ମତଦାନ ହେଉଛି ନାଗରିକର ଗଣତାନ୍ତ୍ରିକ ଅଧିକାର। ଏଥିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଏପରିକି ନିର୍ବାଚନ କମିଶନଙ୍କ ମଧ୍ୟ ଏହି କ୍ଷମତା ନାହିଁ। ନିର୍ବାଚନ ପରିଚାଳନା ପାଇଁ ସରକାରୀ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକ ରହିଥାଏ। ନିର୍ବାଚନ ଦାୟିତ୍ୱରେ ଥିବା କାରଣରୁ ସେମାନେ ମତ ସାବ୍ୟସ୍ତ କରିପାରନ୍ତି ନାହିଁ। ତେଣୁ ସେମାନଙ୍କ ପାଇଁ ପୋଷ୍ଟାଲ ଭୋଟ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଜ୍ୟରେ ଅନୁଷ୍ଠିତ ହେଉଥିବା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୋଲିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଭୋଟ ଦେବାରୁ ବଞ୍ଚତ୍ତ କରାଯାଇଛି, ଯାହା ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସମୟରୁ ଦଳ ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଆସିଛି। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେଣୁ ବହୁସଂଖ୍ୟାରେ ଭୋଟର ମତଦାନରୁ ବଞ୍ଚିତ ହେବେ। ତେଣୁ ପୋଲିଂ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ମତଦାନ ସୁଯୋଗ ଦେବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି।

Share