ଡେଲାଙ୍ଗ,୨୧।୨(ଡି.ଏନ୍.ଏ): ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଆଗାମୀ ୨୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୧ଟା ପଯର୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ବ୍ଲକର ୨୧ଟି ପଞ୍ଚାୟତରେ ୧ ଲକ୍ଷ ୨ ହଜାର ୫୫୨ ଭୋଟର ମତଦାନ କରିବେ। ରବିବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲିଂ ଦଳ ପହଞ୍ଚିଥିଲେ। ବ୍ଲକ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡଙ୍ଗୀ, ଜିପିଓ ରତିକାନ୍ତ ସାହୁ, ସହକାରୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ ପ୍ରମୁଖ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ। ଜେନାପୁର, ଗୁଆଳିପଡା, ଘନିପୁର, ଚାଇଁପୁର, ସାଉରିଆ, ଅରିସଲ, ଗଡମୋଟରୀ, କଲ୍ୟାଣପୁର, ମୁନିନ୍ଦା ପ୍ରଭୃତି ପଞ୍ଚାୟତର ୫୨ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଦାନ ଦିନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ରବିବାରଠାରୁ କେନ୍ଦ୍ରରେ ପୋଲିସ ପାଟ୍ରୋଲିଂ କରୁଥିବା ଆଇଆଇସି ଅନିଲ କୁମାର ମହାନ୍ତି କହିଛନ୍ତି। ଭୋଟ ପରେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।