ଜଗତ୍ସିଂହପୁର ଅଫିସ,୨ା୧୧: ପୋଲିଂ କର୍ମଚାରୀ ବୁଥ୍ମୁହାଁ ହୋଇଛନ୍ତି। କର୍ମଚାରୀମାନେ ସ୍ଥାନୀୟ ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା ପୋଲିଂ ପାର୍ଟି ପ୍ରେରଣ କେନ୍ଦ୍ରରେ ପହଞ୍ଚିଲା ପରେ ପରେ ସେମାନଙ୍କୁ ବିଭିନ୍ନ ବୁଥ୍କୁ ପଠାଇ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି। ମୋଟ ୧୯୪୦ ଜଣ ପ୍ରିଜାଇଡିଂ ପୋଲିଂ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୋଲିଂ ପାର୍ଟିଙ୍କୁ ୩୭ଟି କାଉଣ୍ଟର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ସେମାନଙ୍କୁ ନେବା ଆଣିବା ପାଇଁ ୧୫୭ ବସ୍ ବ୍ୟବସ୍ଥା କରାଯାଇଛି।ଏଥିସହ ୩୩ ଜଣ ସେକ୍ଟର ଅଫିସର, ୬୨ ସିଏପିଏଫ୍, ୩୭ ୱେବ୍ କାଷ୍ଟିଙ୍ଗ୍, ୪୦ ମାଇକ୍ରୋ ଅବଜରଭର୍ ଓ ୫ଟି ଭିଡିଓଗ୍ରାଫି ଦଳକୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ମହାବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପି. ରାଜେନ୍ଦ୍ର ଚୋଲନ୍ ପୂର୍ବାହ୍ନରେ ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚି କାଉଣ୍ଟରଗୁଡିକ ବୁଲି ଦେଖିଥିଲେ।