ଭୁବନେଶ୍ୱର,୭।୭(ବ୍ୟୁରୋ): ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ବାହାରୁଥିବା ଦୂଷିତ ଜଳ ନଦୀରେ ମିଶୁଛି। ସେହି ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଏଥିଯୋଗୁ ସମୁଦ୍ର କୂଳରେ ପ୍ରଦୂଷଣ ବଢ଼ିଯାଉଛି। ସମଗ୍ର ଦେଶର ଉପକୂଳ ଏବଂ ୩୫୧ଟି ନଦୀ ପ୍ରଦୂଷିତ ହୋଇଛି। ସେହି ନଦୀଗୁଡିକ ମଧ୍ୟରେ ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଭଳି ବଡ଼ ବଡ଼ ନଦୀର ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଏହାର ଜଳ ବିନା ବିଶେଧାନରେ ସମୁଦ୍ରରେ ମିଶୁଛି। ଫଳରେ ଉପକୂଳ ଅତିମାତ୍ରାରେ ପ୍ରଦୂଷଣ ହେଉଛି। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ରାଜ୍ୟଗୁଡ଼ିକର ସମୁଦ୍ରକୂଳକୁ ପ୍ରଦୂଷଣମୁକ୍ତ କରିବା ଲାଗି ପଦକ୍ଷେପ ନେବାକୁ ଟ୍ରିବ୍ୟୁନାଲ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ଉପକୂଳ ପ୍ରଦୂଷଣ ସମ୍ପର୍କିତ ଏକ ମାମଲାର ଶୁଣାଣିକରି ଏନ୍ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଏକ ଚିଠି ହସ୍ତଗତ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି।
ସ୍ବେରେଜ ପାଣି, ଅଳିଆ ଆବର୍ଜନା ଗଦାହେବା ଯୋଗୁ ଉପକୂଳ ବହୁମାତ୍ରାରେ ପ୍ରଦୂଷିତ ହୋଇଛି। ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ଯୋଗୁ ଉପକୂଳ ୮୦ ପ୍ରତିଶତ ପ୍ରଦୂଷିତ ହୋଇଥିବା କୁହାଯାଇଛି। ସ୍ବେରେଜ ପାଣିକୁ ସିଧାସଳଖ ନଦୀରେ ଛାଡ଼ିବା ଯୋଗୁ ତାହା ଉଭୟ ନଦୀ ଓ ସମୁଦ୍ର ଜଳକୁ ପ୍ରଦୂଷିତ କରିଛି।
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦେଶର ୭,୬୬୬ କି.ମି. ଉପକୂଳ ବିପଦସଙ୍କୁଳ ହୋଇପଡ଼ିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୬୩ ନିୟୁତ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଉପକୂଳରେ କୋଲକତା, ଚେନ୍ନାଇ, ମୁମ୍ବାଇ, କୋଚି, ବିଶାଖାପାଟଣା ଭଳି ୭୭ଟି ବୃହତ୍ ସହର ରହିଛି। ନଦୀକୁ ସିଧାସଳଖ ପ୍ରଦୂଷିତ ଜଳ ଛଡ଼ାଯାଉଥିବାରୁ ଉପକୂଳ ଜଳ ଅତିମାତ୍ରାରେ ପ୍ରଦୂଷଣ ହେଉଛି। ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୨୧ଟି ସହରରୁ ପ୍ରାୟ ଦୈନିକ ୬,୦୬୬ ନିୟୁତ ସ୍ବେରେଜ ଜଳ ବାହାରୁଛି। ସେହିପରି ୧୦ଟି ଉପକୂଳବର୍ତ୍ତୀ ରାଜ୍ୟରେ ଥିବା ୪୮,୧୮୮ଟି ଶିଳ୍ପରୁ ପ୍ରାୟ ଦୈନିକ ୫୨୭୯ ନିୟୁତ ଲିଟର ବିଷାକ୍ତ ଜଳ ବାହାରୁଛି। ଏହାକୁ ରୋକିବା ସହିତ ନଦୀକୁ ଦୂଷିତ ଜଳ ଛାଡୁଥିବା ଶିଳ୍ପାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି ।