ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍‌ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ ରଙ୍ଗ ହୋଇଯାଇଛି ଏବଂ ନଦୀ ସଲଗ୍ନ ଅଞ୍ଚଳରେ ଦୁର୍ଗନ୍ଧ ହୋଇଛି। ଏହାକୁ ନେଇ ପାରାଦୀପର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ଏପରି ଦୂଷିତ ତୈଳଯୁକ୍ତ ପ୍ରଦୂଷଣ ନିକଟରେ ଥିବା ତୈଳବିଶୋଧନାଗାର ପ୍ରକଳ୍ପରୁ ବାହାରୁଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡ଼ା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇରୁ ତୈଳ ବିଶୋଧନାଗାର ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)ରେ କିଛି ବୈଷୟିକ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେଠାରେ ବର୍ଜ୍ୟପାଣି ସେମାନେ ସିଧାସଳଖ ସମୁଦ୍ରରେ ଛାଡୁଛନ୍ତି ବୋଲି ଶ୍ରୀକାନ୍ତ କୁହନ୍ତି। ଗତ ଶନିବାର ବିପୁଳ ପରିମାଣର ବର୍ଜ୍ୟ ନିକଟସ୍ଥ ନଦୀ ଓ ସମୁଦ୍ରରେ ଛାଡ଼ିଥିଲେ। ସେହିଦିନ ଅଭିଯୋଗ ହେବା ପରେ ତୈଳବିଶୋଧନାଗାରର ୭ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଶନିବାର ରାତିଠାରୁ ସୋମବାର ପର୍ଯ୍ୟନ୍ତ ସେହି ସମୁଦ୍ର କୂଳରେ ତୈଳବିଶୋଧନାଗାର କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରୁଛନ୍ତି। ସେହି ସମୟ ମଧ୍ୟରେ ପାଖରେ ଥିବା ନଦୀଗୁଡିକରେ ମାଛ ମଡ଼କ ହୋଇଛି। ଏହାକୁ ନେଇ ପରିବେଶ ସୁରକ୍ଷା ଟ୍ରଷ୍ଟ ସମ୍ପାଦକ ଶିବ ବିଶ୍ବାଳ କୁହନ୍ତି, ବିଶୋଧନାଗାର ପାଣି ଛାଡ଼ିବା ଯୋଗୁ ନଦୀ ସମୁଦ୍ର ପାଣି ଦୂଷିତ ହେବା ସହ ମାଛ ଓ ଅନ୍ୟ ଜଳଜୀବ ମରି ଯାଇଛନ୍ତି। ଏହାର ତୁରନ୍ତ ନିରାକରଣ ବ୍ୟବସ୍ଥା କରାଯିବା ପାଇଁ ସେ ଲିଖିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଆହ୍ବାନ କମ୍ବାଇନ୍ସ ନାମକ ସ୍ବେଚ୍ଛାସେବୀ ସଂଗଠନ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି ଏପରି ପ୍ରଦୂଷଣ ଯୋଗୁ ପାରାଦୀପର ନଦୀ ଓ ସବୁଜିମା ଉପରେ ଗଭୀର ପ୍ରଭାବ ପକାଇଛି। ପାଣିର ନମୁନା ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଆସିଥିବା ପରିବେଶ ଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର କୁହନ୍ତି, ଆମେ ପାଣିର ନମୁନା ନେଇଛୁ। ଅଧିକ ମାଛ ମରିଛନ୍ତି। ପରୀକ୍ଷା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ। ତୈଳବିଶୋଧନାଗାର ଲୋକସମ୍ପର୍କ ଅଧିକାରୀ ସଂଗ୍ରାମ ମିଶ୍ର କୁହନ୍ତି ଆମର କୌଣସି ବର୍ଜ୍ୟ ପାଣି ଛଡ଼ାଯାଇନାହିଁ। ସମୁଦ୍ର କୂଳରେ ପାଇପଲାଇନ୍‌ ମରାମତି କାର୍ଯ୍ୟ ସମ୍ପର୍କରେ ପଚାରିଲେ କୁହନ୍ତି, ତାହା ଖରାପ ଥିଲା। ସେଥିପାଇଁ ମରାମତି ହେଉଛି। ରାତିରେ ମରାମତି ସମ୍ପର୍କରେ କୁହନ୍ତି ଦିନବେଳେ ଜୁଆର ରହୁଥିବାରୁ ରାତିରେ ମରାମତି ହେଉଛି।

Share