ଶୈଳବାଳାରୁ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ ବାର୍ତ୍ତା: ଆଜିଠୁ ପ୍ରତି ସୋମବାର ଗାଡ଼ି ମନା

କଟକ ଅଫିସ,୨୮ା୧୧: ନାରୀ ଶିକ୍ଷାର ପ୍ରାଚୀନ ଶିକ୍ଷାନୁଷ୍ଠାନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏକ ଅଭିନବ ଢଙ୍ଗରେ ପ୍ରଦୂଷଣମୁକ୍ତ କ୍ୟାମ୍ପସର ବାର୍ତ୍ତା ଆରମ୍ଭ କରିଛି। ନଭେମ୍ବର ୨୮ ତାରିଖରୁ ଆରମ୍ଭ କରି ପ୍ରତି ସୋମବାର କଲେଜ କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରାଯିବ। ସେଥିପାଇଁ କେହି ଗାଡ଼ି ନେଇ କଲେଜ ପରିସରକୁ ପ୍ରବେଶ କରିବେ ନାହିଁ। ଏ ନେଇ କଲେଜ ବୈଠକରେ ଆଲୋଚନା ହେବା ପରେ ଗତ ଶନିବାର କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜରେ ପଢୁଥିବା ପାଖାପାଖି ୩,୫୦୦ ଛାତ୍ରୀ, ୮୦ ଅଧ୍ୟାପିକା ଅଧ୍ୟାପକଙ୍କ ସହ ୭୦ କର୍ମଚାରୀ ଏହି ନିୟମକୁ ପ୍ରଥମଥର ପାଇଁ ସୋମବାରଠାରୁ ପାଳନ କରିବେ। ଏଭଳି ନିଆରା ପ୍ରୟାସ ଉକ୍ତ ଶିକ୍ଷାନୁଷ୍ଠାନକୁ ନିଶ୍ଚିତ ଭାବେ ପ୍ରଶଂସା ସାଉଁଣ୍ଟିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

 

ମୁଖ୍ୟତଃ କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ସମସ୍ତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କୁହାଯାଇଛି ପ୍ରତି ସୋମବାର ଗାଡ଼ି ନେଇ କଲେଜ ଆସିବେ ନାହିଁ। ଏହାଦ୍ୱାରା ପରିବେଶ ସୁରକ୍ଷାରେ ଆମର ଯୋଗଦାନ ରହିବା ସହ ପେଟ୍ରୋଲ ସଞ୍ଚୟ ହୋଇପାରିବ। ଏହା ମାଧ୍ୟମରେ ଅନ୍ୟ ଶିକ୍ଷାନୁଷ୍ଠାନକୁ ମଧ୍ୟ ଆମ କଲେଜ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ର ବାର୍ତ୍ତା ଦେବ।
-ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ, ଅଧ୍ୟକ୍ଷା

ପ୍ରତି ସୋମବାର ସମସ୍ତଙ୍କୁ କଲେଜ ପରିସରକୁ ଗାଡି ଆଣିବାକୁ ବାରଣ କରାଯାଇଛି। ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟରେ ଆସିବେ। କ୍ୟାମ୍ପସ୍‌ ଭିତରକୁ କେବଳ ସାଇକେଲ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ପ୍ରଦୂଷଣମୁକ୍ତ କ୍ୟାମ୍ପସ ପାଇଁ ଏଭଳି ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି।
-ଡ. ଯାମିନୀ ରଞ୍ଜନ ମହାନ୍ତି, ଆଡ୍‌ମିନିଷ୍ଟ୍ରେଟିଭ ବର୍ସାର
ଦୈନନ୍ଦିନ ସହରର ପ୍ରଦୂଷଣ ଭିତରେ ଯିବାଆସିବା କରିବାକୁ ପଡ଼ୁଛି। ଆଧୁନିକତାର ଅଗ୍ରଗତି ସହ ତାଳ ଦେଇ ମଣିଷ ପ୍ରକୃତି ଉପରେ କରୁଥିବା ଅତ୍ୟାଚାରର ପରିଣାମ ଆମକୁ ଭୋଗିବାକୁ ପଡ଼ୁଛି। ସେ ଦୃଷ୍ଟିରୁ ଆମ କଲେଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସପ୍ତାହରେ ଗୋଟିଏ ଦିନ ସୋମବାର ମୁଁ ସାଇକେଲରେ କଲେଜ ଆସିବି। ଏହାଦ୍ୱାରା ଆମ କଲେଜ କ୍ୟାମ୍ପସ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ହୋଇପାରିବ।
-ତନୁଶ୍ରୀ ଜେନା, ଛାତ୍ରୀ, ଯୁକ୍ତ ୩ ଦ୍ୱିତୀୟ ବର୍ଷ

କଲେଜ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ବାଗତ କରୁଛି। ପ୍ରଥମଥର ପାଇଁ କଟକ ସହରବାସୀ ଓ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ ପ୍ରଦୂଷଣମୁକ୍ତର ବାର୍ତ୍ତା ପ୍ରଦାନ କରାଯିବ। ଏଥିରେ ଆମେମାନେ ଶତ ପ୍ରତିଶତ ସହଯୋଗ କରିବୁ। ନିଜ ଗାଡ଼ିକୁ ଘରେ ରଖି ପ୍ରତି ସୋମବାର କଲେଜ ପଢ଼ିବାକୁ ଆସିବୁ।
-ସାଲୋନୀ କର, ଛାତ୍ରୀ, ଯୁକ୍ତ ତିନି ପ୍ରଥମ ବର୍ଷ