Categories: ଜାତୀୟ

୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ନେଇଛି ପ୍ରଦୂଷଣ

ନୂଆଦିଲ୍ଲୀ,୨୩।୧୨: ପ୍ରଦୂଷଣ ଯୋଗୁ ଭାରତରେ ୨୦୧୯ରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୧୮ ପ୍ରତିଶତ। ଏସମ୍ପର୍କରେ ଦ ଲାସେଣ୍ଟ୍‌ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୭ ତୁଳନାରେ ୨୦୧୯ରେ ପ୍ରଦୂଷଣ ଜନିତ ମୃତ୍ୟୁ ହାର ଅଧିକ ରହିଛି। ୨୦୧୭ରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେତେବେଳେ ଏହା ଦେଶର ମୋଟ ମୃତକଙ୍କ ସଂଖ୍ୟାର ୧୨.୫ ପ୍ରତିଶତ ଥିଲା। ପ୍ରଦୂଷଣ ଯୋଗୁ କ୍ରୋନିକ୍‌ ଅବଷ୍ଟ୍ରକ୍ଟିଭ୍‌ ପୁଲମୋନାରୀ ସମସ୍ୟା, ରେସ୍ପିରାଟୋରୀ ସଂକ୍ରମଣ, ଫୁସ୍‌ଫୁସ୍‌ କର୍କଟ, ହାର୍ଟ ସମସ୍ୟା, ଷ୍ଟ୍ରୋକ୍‌, ଡାଇବେଟିସ୍‌, ସ୍ନାୟୁ ସମସ୍ୟା, କାଟାରାକ୍ଟ ଆଦି ସମସ୍ୟା ବଢ଼ିବାରେ ଲାଗିଛି। ଏହାଯୋଗୁ ଦେଶର ୩୬୮୦ କୋଟି ଡଲାରର କ୍ଷତି ହୋଇଛି। ଯାହାକି ମୋଟ ଜିଡ଼ିପିର ୧.୩୬ ପ୍ରତିଶତ। ପ୍ରଦୂଷଣ ତାଲିକାରେ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଶୀର୍ଷରେ ରହିଛନ୍ତି। ନୂଆଦିଲ୍ଲୀରେ ସ୍ଥିତି ଅଧିକ ସଙ୍କଟ ଜନକ ରହିଛି। ଦିଲ୍ଲୀ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏଠାକାର ସ୍ଥିତି ଖରାପ ହେବାରେ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି।

Share