ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେଥିମଧ୍ୟରୁ କେବଳ ବାୟୁ ପ୍ରଦୂଷଣ ୬୬.୭ ଲକ୍ଷଙ୍କ ଜୀବନ ନେଇଛି ବୋଲି ଲାନ୍ସେନ୍ ପ୍ଲାନେଟାରି ହେଲ୍ଥ ଦ୍ୱାରା ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ସ୍ଥିତି ବେଶ୍ ଗମ୍ଭୀର ରହିଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ସର୍ବାଧିକ ରହିଛି। ୨୦୧୯ରେ ଦେଶରେ ୨୪ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି।
ଅନୁସାରେ, ୨୦୧୯ରେ ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ ୧୬.୭ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଜଳ ପ୍ରଦୂଷଣ ଯୋଗୁ ୫ ଲକ୍ଷଙ୍କ ମୃତ୍ୟୁ ହୋଇଥିବାବେଳେ କାର୍ଯ୍ୟସ୍ଥଳୀରେ ପ୍ରଦୂଷଣ ୧ ଲକ୍ଷ ଏବଂ ସୀସା ସଂସ୍ପର୍ଶରେ ଆସି ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଛି। ଏହା ତଳକୁ ଚାଇନା ରହିଛି। ଚାଇନାରେ ପ୍ରଦୂଷଣ ଯୋଗୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱବ୍ୟାପୀ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ଜଳ ପ୍ରଦୂଷଣ ହୋଇଥିବାବେଳେ ଲିଡ୍ ଏକ୍ସପୋଜର (ସୀସା ସଂସ୍ପର୍ଶରେ ଆସିବା) ଏହି ମୃତ୍ୟୁ ମଧ୍ୟରୁ ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଏଥିଯୋଗୁ ମୋଟ ୯ ଲକ୍ଷ ଲୋକଙ୍କ ଅକାଳରେ ଜୀବନ ଯାଇଛି।
ବିଷାକ୍ତ ସାମଗ୍ରୀ ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮ ଲକ୍ଷ ୭୦ ହଜାର ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ ବିକାଶ ଏଜେଣ୍ଡାରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥାନିତ ହୋଇଥିଲେ ହେଁ ଏଥିଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ବିଶେଷ କରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ଏଥିଯୋଗୁ ଦେଶଗୁଡ଼ିକର ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ହେଲ୍ଥ ଆଣ୍ଡ୍ ପଲ୍ୟୁସନ ଉପରେ ଜେନେଭା ଗ୍ଲୋବାଲ ଆଲାଏନ୍ସର ରିଚାର୍ଡ ଫୁଲେର କହିଛନ୍ତି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ଶିଳ୍ପଜନିତ ପ୍ରଦୂଷଣ ସ୍ତର ବଢ଼ିଥିବା ରିପୋର୍ଟରେ କୁହାଯାଇଛି।
ପ୍ରଦୂଷଣ ଯୋଗୁ ଅତ୍ୟଧିକ ମୃତ୍ୟୁ ବିଶ୍ୱ ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରିଛି। ୨୦୧୯ରେ ଏହି କାରଣରୁ ୪.୬ ଟ୍ରିଲିୟନ ଡଲାର ଆର୍ଥିକ କ୍ଷତି ହୋଇଛି, ଯାହା କି ମୋଟ ବିଶ୍ୱ ଅର୍ଥନୀତିର ୬.୨ ପ୍ରତିଶତ। ଜଳବାୟୁ ପରିବର୍ତ୍ତନ ଉପରେ ସ୍ବାଧୀନ ଆନ୍ତଃ ସରକାରୀ ପ୍ୟାନେଲ୍ (ଆଇପିପିସି) ଭଳି ପ୍ରଦୂଷଣ ଉପରେ ଏକ ପଲିସି ପ୍ୟାନେଲ ଗଠନ କରିବା ନିମନ୍ତେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି।