ପଲିଥିନ କଟକଣା ଧର୍ମକୁ ଆଖିଠାର

ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲାସ୍ତରୀୟ ବୈଠକରେ ପଲିଥିନ ବ୍ୟବହାର ନ କରିବା ନେଇ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । ନିଷ୍ପତ୍ତି ଅନୁଯାୟୀ ସୁବର୍ଣ୍ଣପୁରରେ ୫୦ ମାଇକ୍ରୋନ୍‌ରୁ କମ୍‌ ମୋଟେଇ ବିଶିଷ୍ଟ କୌଣସି ପଲିଥିନ, ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଆଦିର ସାର୍ବଜନିନ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ପଲିଥିନ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ୫୦ ମାଇକ୍ରୋନ୍‌ରୁ କମ୍‌ ମୋଟେଇର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବିକ୍ରି କରୁଥିବା ବ୍ୟବସାୟୀ, ହୋଲସେଲରଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ମ୍ୟୁନିସିପାଲିଟି ପକ୍ଷରୁ ମଝିରେ ମଝିରେ ସହରରେ ଚଢାଉ କରାଯାଉଛି । ଏହା ସତ୍ତ୍ୱେ ପ୍ରତିଦିନ ପୌରାଞ୍ଚଳରେ ଟ୍ରାକ୍ଟର ଓ ଅନ୍ୟ ଯାନ ଯୋଗେ କୂଢ କୁଢ ପଲିଥିନ ସହରର ବିଭିନ୍ନ ସ୍ଥାନରୁ ଉଠାଯାଉଛି । ଅନ୍ୟପକ୍ଷେ ପ୍ରତିଦିନ ସହରର ୧୫ଟି ଓ୍ବାର୍ଡରୁ ୧୦ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ମ୍ୟୁନିସିପାଲିଟି ଅଞ୍ଚଳରୁ ବାହାରୁଛି । ମାତ୍ର ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସହରରେ ଠିକ୍‌ ଭାବେ କରାଯାଉନି । ଅନ୍ୟପଟେ ପ୍ରତିଦିନ ବ୍ୟାପକ ଭାବରେ ବ୍ୟବହୃତ ହେଉଥିବା ପଲିଥିନ ସହରର ସୁସ୍ଥ ପରିବେଶ ପ୍ରତି ବିପଦ ସୃଷ୍ଟି କଲାଣି। ଜିଲା ସଦର ମହକୁମା ବସଷ୍ଟାଣ୍ଡ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ପ୍ରତିଦିନ ସକାଳେ ପଲିଥିନଗୁଡିକୁ ଠୁଳ କରି ସଫେଇ କର୍ମଚାରୀଙ୍କ ଦ୍ୱାରା ନିଆଁ ଲଗାଇ ଦିଆଯାଉଛି । ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରା ଯାଇପାରୁନି । ସହରରେ ବେଧଡକ ଭାବରେ ଅତି ନିମ୍ନମାନର ପଲିଥିନ ବ୍ୟାଗ୍‌ ସବୁ ବ୍ୟବହାର କରାଯାଉଛି । ତେଣୁ ଉତ୍ତମ ପରିବେଶ ପାଇଁ ଜିଲାରେ ପଲିଥିନ କଟକଣାକୁ ଦୃଢ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ସ୍କାଡ୍‌ ଗଠନ କରାଯିବା ସହିତ ବେଆଇନ ପଲିଥିନ ବ୍ୟବହାରକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ପ୍ରକାଶ ଯେ, ପ୍ଲାଷ୍ଟିକ୍‌ର ବ୍ୟାପକ ତଥା ଅନିୟନ୍ତ୍ରିତ ବ୍ୟବହାର ସମଗ୍ର ବିଶ୍ୱକୁ ପ୍ରଭାବିତ କରିଚାଲିଛି । ପରିତ୍ୟକ୍ତ ପଲିଥିନ ବ୍ୟାଗ୍‌, ପାଣି ବୋତଲ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ପଦାର୍ଥ ପରିବେଶରେ ବ୍ୟାପକ ପ୍ରଦୂଷଣ ଘଟାଉଛି । କାରଣ ପ୍ଲାଷ୍ଟିକ ଅଣୁଜୀବ ମାନଙ୍କ ଦ୍ୱାରା ବିଘଟିତ ହୁଏ ନାହିଁ ଏବଂ ଦୀର୍ଘ ସମୟ ଧରି ପରିବେଶରେ ଗଚ୍ଛିତ ରୁହେ । ପଲିଥିନ ମିଶା ଖାଦ୍ୟ ଖାଇବା ପରେ ବୁଲା ଗାଇ, ଗୋରୁ ଅସୁସ୍ଥ ହେଉଛନ୍ତି । ପଲିଥିନ ଦ୍ୱାରା ଜଳ ଓ ପରିବେଶ ପ୍ରଦୂଷିତ ହେଉଛି । ସୁବର୍ଣ୍ଣପୁର ସହରର ବର୍ଜ୍ୟବସ୍ତୁ ଓ ମଇଳା ଡ୍ରେନ୍‌ ଦ୍ୱାରା ସିଧାସଳଖ ମହାନଦୀର ବିଭିନ୍ନ ଘାଟରେ ମିଶୁଛି । ଏଥିଯୋଗୁ ନଦୀ ଜଳ ଜହର ହେଉଥିଲା ବେଳେ ପ୍ରଶାସନ କିମ୍ବା ମ୍ୟୁନିସିପାଲିଟି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । କିଛି ବର୍ଷ ପୂର୍ବରୁ ଯୁବ ସାମାଜିକ କର୍ମୀ ଘାସିରାମ ପଣ୍ଡା ଏଥିନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ତେବେ ସହରରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରା ଯାଇଥିବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ପ୍ରକୃତ ପକ୍ଷେ ମ୍ୟୁନିସିପାଲିଟି ପକ୍ଷରୁ ସେମିତି କିଛି ଦୃଢ ପଦକ୍ଷେପ ନିଆଯାଇନାହିଁ।

Share