ପଲିଥିନ କଟକଣାକୁ ମାନିଲେନି

ବ୍ରହ୍ମପୁର,୨୭।୧୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସମେତ ଭୁବନେଶ୍ୱର,କଟକ, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ଗତ ୫ ବର୍ଷ ତଳେ କେତେକ ନିର୍ଦ୍ଦିଷ୍ଟ ପଲିଥିନ ଓ ପ୍ଲାଷ୍ଟିକକୁ ରାଜ୍ୟ ସରକାର ବ୍ୟାନ କରିଥିଲେ। ସେହି ଅନୁସାରେ ୫ ସହରରେ ପଲିଥିନ ବ୍ୟବହାର ଉପରେ ଲଗାମ ଲଗାଯାଇଥିଲା। କିନ୍ତୁ ଏ ଯାଏ ସହରର ସବୁଠି ପଲିଥିନ ବ୍ୟବହାର ହେଉଛି। କେବଳ ବ୍ରହ୍ମପୁର ସହରରୁ ଦିନକୁ ୩୦ ଟନ ପଲିଥିନ ବାହାରୁଥିବା ଜଣାପଡିବା ପରେ କଟକଣାକୁ କେହି ମାନୁ ନ ଥିବା ସ୍ପଷ୍ଟ ହୋଇଛି।
ରାଜ୍ୟକୁ ପଲିଥିନ୍‌ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ୨୦୧୮ ସେପ୍ଟେମ୍ବର ୨୯ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉପରୋକ୍ତ ୫ ମହାନଗର ନିଗମରେ କେତେକ ନିର୍ଦ୍ଦିଷ୍ଟ ପଲିଥିନକୁ ବ୍ୟାନ କରାଯାଇଥିଲା। ବିଶେଷ କରି ପଲିଥିନ ବ୍ୟାଗ ଉତ୍ପାଦନ ଓ ବ୍ୟବହାର ଉପରେ କଟକଣା ଲାଗିଥିଲା। ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ପରିମାଣର ପଲିଥିନ ଜବତ କରାଯିବା ସହ କେତେକ ଦୋକାନୀଙ୍କୁ ଜରିମାନା କରାଯାଇଥିଲା। ସେ ସମୟରେ କାଗଜ ଓ କପଡ଼ା ବ୍ୟାଗ ବ୍ୟବହାର ବଢିଥିଲା। ଲୁଚାଛପାରେ ଅନେକ ଅଞ୍ଚଳରେ ପଲିଥିନ ବ୍ୟାଗ ଚାଲିଥିଲା। ପଲିଥିନ ବନ୍ଦ ହୋଇଯିବା ପରେ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା। ବିଇଏମସି ପକ୍ଷରୁ ଚଢ଼ାଉ ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ଦୋକାନୀ ଓ ଲୋକେ ବ୍ୟବହାର କରୁଛନ୍ତି। ଏବେ ଏହା ନିତିଦିନିଆ ବ୍ୟବହାର ହୋଇଯାଇଛି। ବ୍ରହ୍ମପୁର ସହରରୁ ବାହାରୁଥିବା ଆବର୍ଜନାରେ ଅଧିକ ପଲିଥିନ ଓ ପ୍ଲାଷ୍ଟିକ ରହୁଥିବା ଜଣାପଡିଛି। ମହୁଡା ନିକଟରେ ଥିବା ବିଇଏମସିର କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରୁ ମିଳିଥିବା ତଥ୍ୟ ମୁତାବକ ଦୈନିକ ପ୍ରାୟ ୧୦୦ରୁ ୧୨୨ ଟନ ଆବର୍ଜନା ସେଠାକୁ ଯାଉଛି। ସେଠାରେ ପୃଥକ କରାଯିବା ପରେ ପ୍ରାୟ ୬୦ରୁ ୭୦ ଟନ ଆବର୍ଜନା ମୋ ଖତ ପାଇଁ ବାହାରୁଥିବାବେଳେ ପ୍ରାୟ ୩୦ ଟନ ପଲିଥିନ ବାହାରୁଛି। ଗୋଟିଏ ଟନ ପ୍ଲାଷ୍ଟିକ ବାହାରୁଛି। ପଲିଥିନ ରିସାଇକ୍ଲିଂ ହୋଇପାରୁ ନ ଥିବାରୁ ତାହାକୁ ସିମେଣ୍ଟ ଓ ପାଓ୍ବାର ପ୍ଲାଣ୍ଟକୁ ପଠାଯାଉଛି। ପ୍ଲାଷ୍ଟିକଗୁଡିକ କବାଡିଆଙ୍କୁ ଦିଆଯାଉଛି ବୋଲି ଉକ୍ତ କେନ୍ଦ୍ରର ଅପରେଶନ କମ୍‌ ମେକାନିକାଲ ମ୍ୟାନେଜର ସମୀର ତରାସିଆ ପ୍ରକାଶ କରିଛନ୍ତି। ସହରରୁ ଏତେ ପରିମାଣରେ ପଲିଥିନ ବାହାରୁଥିଲା ବେଳେ ଆଗାମୀ ଦିନରେ ଯଦି ଏଥିରେ ଲଗାମ ଦିଆ ନ ଯାଏ ତେବେ ପରିବେଶ ଓ ପ୍ରାଣୀସମ୍ପଦ ଉପରେ ଏତେ ପ୍ରଭାବ ପଡିବା ସହ ଜୈବବିବିଧତା କ୍ଷୁଣ୍ଣ ହେବ ତାହା ନିଃସନ୍ଦେହରେ କୁହାଯାଇପାରେ ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ବିଇଏମସିର କମିଶନର ଜେ. ସୋନାଲଙ୍କୁ ପଚାରିବାରୁ ସେ କହିଛନ୍ତି, ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ପଲିଥିନ ବ୍ୟବହାର ନ କରିବା ପାଇଁ ଲୋକ ସଚେତନ ହେବା ଦରକାର। ଲୋକଙ୍କୁ ବିଇଏମସି ପକ୍ଷରୁ ସଚେତନ କରାଯାଉଛି। ଆଗାମୀ ଦିନରେ ଧିରେ ଧିରେ ପଲିଥିନ ବ୍ୟବହାର କମିବ ବୋଲି ସେ କହିଛନ୍ତି।