ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ ଧୀରେ ପୋଖରୀ ଭିତରକୁ ମାଡିଯାଇ ପୋତିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ସହର ପୋଖରୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ପୋଖରୀଗୁଡିକ ଦଳ, ଆବର୍ଜନା, ପଙ୍କରେ ଭର୍ତ୍ତି ହୋଇ ନିଶ୍ଚିନ୍ନ ହେବାକୁ ବସିଲାଣି। ପଦ୍ମପୁର ସହର ସବୁଠାରୁ ବୃହତ ପୋଖରୀ ହେଉଛି ମେନେଜର କଣ୍ଟା। ସରକାରୀ ରେକର୍ଡ ଅନୁସାରେ ୧୪ ଏକର ୫୦ ଡେସିମିଲ ପରିମିତ ଏହି ପୋଖରୀର ପାଣି କାଚକେନ୍ଧୁ ଭଳି ଥିଲା ଓ ସହରବାସୀ ପିଇବା ପାଇଁ ବ୍ୟବହାର କରୁଥିଲେ। ମାତ୍ର ଏହି ପୋଖରୀ ଆଜି ପରିତ୍ୟକ୍ତ ହେବା ସହିତ ଏହାର ହୁଡା ନିଶାଖୋରଙ୍କ ଆଡ୍ଡା ପାଲଟିଛି। ସବୁଠାରୁ ବିଡମ୍ବନାର ବିଷୟ ଏନଏସି ଏହି ପୋଖରୀ ପୁନରୁଦ୍ଧାର କଥା ଚିନ୍ତା ନ କରି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ହୁଡା ସୌନ୍ଦର୍ଯ୍ୟକରଣ କରିଥିଲା। ମାତ୍ର ତାହା ବି ନିଶ୍ଚିନ୍ନ ହୋଇଗଲାଣି। ନିଜର ଅସ୍ତିତ୍ୱକୁ ବଞ୍ଚାଇ ପାଇଁ ସହରର ରାଣୀ ବନ୍ଧ, ଦାନୀ ବନ୍ଧ, ବଡବନ୍ଧ, ଖଜୁରୀ ବନ୍ଧ, କଣ୍ଟାବନ୍ଧ, ବ୍ରାହ୍ମଣୀ ବନ୍ଧଗୁଡିକ ସଂଘର୍ଷ କରୁଛନ୍ତି। ପଦ୍ମପୁର ଏନଏସି ଏହି ପୋଖରୀ ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରତି ଦୃଷ୍ଟି ନ ଦେଇ ସୌନ୍ଦର୍ଯ୍ୟକରଣ ଓ ପାର୍କ ନାମରେ ପୋଖରୀ ହୁଡାରେ ଅର୍ଥ ଆତ୍ମସାତ୍ କରୁଥିବା ବେଳେ ପଦ୍ମପୁରର ଏହି ଐତିହ୍ୟ ପୋଖରୀ ଆଜି ହଜିବାକୁ ବସିଛି।
ପଦ୍ମପୁର ଏନ୍ଏସି କାଉନସିଲ ବୈଠକଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଜଳାଶୟର ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇଛି। ଏକ ମାଷ୍ଟର ପ୍ଳାନ କରି ଜଳାଶୟ ଉନ୍ନତି ପାଇଁ ପ୍ରସ୍ଥାବ ଦିଆଯାଇଛ।
-ଚିନ୍ମୟ କୁମାର ପଣ୍ଡା, ଆଇନଜୀବୀ, କାଉନସିଲର
ସହରରେ ଥିବା ପୋଖରୀଗୁଡିକର ସୀମା ନିର୍ଦ୍ଧାରଣ କରିବା ସହିତ ଏହାର ପୁନରୁଦ୍ଧାର କରି ସହରବାସିନ୍ଦାଙ୍କ ଯେମିତି ବ୍ୟବହାର ଉପଯୋଗୀ ହେବ ସେ ନେଇ ପରିଷଦ ଓ ନିର୍ବାହୀ ଅଧିକାରୀ ଧ୍ୟାନ ଦିଅନ୍ତୁ।
-ନିରୋଜ ଦୋରା, ସାମାଜିକ କର୍ମୀ
ପଦ୍ମପୁରରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ଡ୍ରୋନ ସର୍ଭେ ସରିଯାଇଛି ଓ ଡିପିଆର ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଣୀ ବନ୍ଧ ଓ ବ୍ରାହ୍ମଣୀ ବନ୍ଧର ପୁନରୁଦ୍ଧାର ପାଇଁ ଶୀଘ୍ର ଟେଣ୍ଡର ଡକାଯିବ।
-ରାମଚନ୍ଦ୍ର ମାଝି,
ଏନ୍ଏସି ନିର୍ବାହୀ ଅଧିକାରୀ