Advertisement

ସୁଧୁରୁନି ବସ୍ତି ଅଞ୍ଚଳର ଦୁରବସ୍ଥା

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଅଧୀନରେ ରହିଛି ସମୁଦାୟ ୪୧ଟି ଓ୍ବାର୍ଡ। ପ୍ରତି ଓ୍ବାର୍ଡରେ ରହିଛି ମୋଟ ୧୩୨ ବସ୍ତି। ୬୦ଭାଗ ବସ୍ତିରେ ବିଜୁ ଆଦର୍ଶ କଲୋନୀ ଯୋଜନାରେ ବିପୁଳ ଅନୁଦାନ ମିଳୁଥିବାରୁ ରାସ୍ତାଘାଟ,ଡ୍ରେନେଜ ସହିତ ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ହେଉଛି। ମାତ୍ର ୪୦ଭାଗ ବସ୍ତିରେ ଏପର୍ଯ୍ୟନ୍ତ ବିଜୁ ଆଦର୍ଶ କଲୋନୀ ଯୋଜନା ମୁତାବକ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇପାରି ନ ଥିବା ଓ୍ବାର୍ଡ ନଂ.୬ ବାଲୁଘାଟ, ରୂପଟୋଲା, ମନୀ କଲୋନୀ, ବଙ୍ଗଳାଟୋଲା, ଓ୍ବାର୍ଡ ନଂ.୧୬ ଦୁର୍ଗାପୁର, ଓ୍ବାର୍ଡ ନଂ.୧୯ ମାଲଗୋଦାମ ଆଦି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ବସ୍ତିଗୁଡିକର ରାସ୍ତାଘାଟ ବହୁ ପୁରୁଣା ହୋଇଯାଇଥିବା ବେଳେ ଦୀର୍ଘବର୍ଷ ଧରି ମରାମତି ହେଉନାହିଁ। ରାସ୍ତାରେ ମାସ ମାସ ଧରି ଅଳିଆ ଆବର୍ଜନା ପଡି ରହୁଛି। ଡ୍ରେନଗୁଡିକ ସଫା ହେଉନାହିଁ। ଫଳରେ ଅଳିଆ ଆବର୍ଜନା ଗଦା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ଡ୍ରେନ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡିଲେଣି। ଗୋଟିଏ ପଟେ ସହରର ମୁଖ୍ୟ ମାର୍ଗଗୁଡିକ ଚକ୍‌ଚକ୍‌ ହେଉଥିବା ବେଳେ ଅନ୍ୟପଟେ ବସ୍ତି ରାସ୍ତାର ଉନ୍ନତୀକରଣ ହୋଇପାରୁ ନାହିଁ। ଦୁର୍ଗାପୁର ପାହାଣ୍ଡଟୋଲି ଅଞ୍ଚଳର ବିଭିନ୍ନ ରାସ୍ତାଗୁଡିକରୁ କଂକ୍ରିଟ ଉଠିଯାଇଛି। ଏଥିସହ ପାନପୋଷ ଶବ ବ୍ୟବଚ୍ଛେଦ କେନ୍ଦ୍ରରୁ ନମାଜ ହଜ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ହେଲା ଶୋଚନୀୟ ଅବସ୍ଥାରେ ପଡିରହିଛି। ପ୍ରକାଶ ଥାଉକି, ଆର୍‌ଏମ୍‌ସି ଅଧୀନ ୧୩୨ଟି ବସ୍ତିର ସମସ୍ତ ରାସ୍ତାଘାଟ ବିଜୁ ଆଦର୍ଶ କଲୋନୀ ଯୋଜନା ଅନ୍ତର୍ଭକ୍ତ। ଆର୍‌ଏମ୍‌ସିର ଅଧିକାଂଶ ବସ୍ତିଅଞ୍ଚଳର ସାମଗ୍ରିକ ବିକାଶ ବିଜୁ ଆଦର୍ଶ କଲୋନୀ ଯୋଜନାରେ ସାଧିତ ହୁଏ। କିଛି ବସ୍ତିର ରାସ୍ତା କାମ ବାକି ଥିବାବେଳେ ଆଗକୁ ଜାଗା ମିଶନ ଯୋଜନାରେ ରାସ୍ତାଘାଟ ମରାମତି,ପୁନରୁଦ୍ଧାର ଓ ବିକାଶମୂଳକ କାର୍ଯ୍ୟ ସାଧନ ହେବାକୁ ରହିଥିବା ଜଣାପଡିଛି। ଆର୍‌ଏମ୍‌ସିର ବାର୍ଷିକ ବଜେଟର ୨୫ ପ୍ରତିଶତ ଅର୍ଥ କେବଳ ବସ୍ତି ବିକାଶରେ ପ୍ରତି ବର୍ଷ ଖର୍ଚ୍ଚ ହୁଏ। ଯଦି ଏତେ ଅନୁଦାନ ଆସୁଛି ତେବେ ବସ୍ତି ଅଞ୍ଚଳର ରାସ୍ତାଘାଟ ଏବଂ ଡ୍ରେନେଜର ଉନ୍ନତୀକରଣ କାହିଁକି କରାଯାଉ ନାହିଁ ବୋଲି ବସ୍ତିବାସୀ ପ୍ରଶ୍ନ କରିଛନ୍ତି। ଏନେଇ ଆର୍‌ଏମ୍‌ସି ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ପଚାରିବାରୁ, ସହରାଞ୍ଚଳ ବସ୍ତିଗୁଡିକର ରାସ୍ତାଘାଟ ଓ ଡ୍ରେନେଜ ଫାଇଲମାନ ଖୋଲାଯିବ। ନିର୍ବାଚନ ଥିବାରୁ ଏବଂ ଆଚରଣ ବିଧି ଯୋଗୁ ବସ୍ତି ରାସ୍ତାର ସମାଧାନ ପରେ କରାଯିବ। ମାତ୍ର ଡ୍ରେନେଜ ସଫେଇ ଏବେ କରାଯିବ ବୋଲି କୁଲକର୍ଣ୍ଣୀ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share