ନିମ୍ନମାନର ଡ୍ରେନ୍‌ କାମ, ଭାଙ୍ଗିଲାଣି ସ୍ଲାବ୍‌

ନବରଙ୍ଗପୁର,୩।୭ (ସଦାସିବ ପ୍ରହରାଜ): ନବରଙ୍ଗପୁର ପୌରାଞ୍ଚଳର ୧୨ନମ୍ବର ୱାର୍ଡର ସାଇନଗର ୩ ନଂ ଗଳିରେ ପୌର ସଂସ୍ଥା ପକ୍ଷରୁ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯିବା ସହ ତା’ ଉପରେ ସିମେଣ୍ଟ ସ୍ଲାବ୍‌ ପକାଯାଇଥିଲା। ମାତ୍ର ଏହି କାମ ନିମ୍ନମାନର ହୋଇଥିବା ଯୋଗୁ କାମ ସମ୍ପୂର୍ଣ୍ଣ ହେବାର ୨ ମାସ ବିତିନି କିନ୍ତୁ ଡ୍ରେନର ସ୍ଲାବଗୁଡିକ ଭାଙ୍ଗି ଭୁଶୁଡି ଗଲାଣି। ଡ୍ରେନ୍‌ର ଡିଜାଇନ ଠିକ ନ ଥିବାରୁ ଡ୍ରେନ ପାଣି ମଧ୍ୟ ନିଷ୍କାସନ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସାମାନ୍ୟ ବର୍ଷା ହେଲେ ସାହି ଭିତର ଦୁର୍ଗନ୍ଧମୟ ହୋଇପଡ଼ୁଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଗଳିର ପାଣି ତୃତୀୟ ଗଳି ଭିତରେ ପ୍ରବେଶ କରିବା ଦ୍ୱାରା ଅନେକ ଘର ଚାରି ପାଖରେ ଅଣ୍ଟାଏ ଲେଖା ପାଣି ଜମି ରହୁଛି। ଏହାଦ୍ୱାରା ଘରର ମୂଳଦୁଆ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୌର ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଖୁବଶୀଘ୍ର କାମ ଆରମ୍ଭ କରାଯିବ ଏବଂ ଲୋକଙ୍କ ପ୍ରତି ଯେମିତି ସମସ୍ୟା ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

Share