
ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା ଦୋକାନଠାରୁ ଆରମ୍ଭ କରି ଛୋଟିଆ ଘରକୁ ଧୂଳିସାତ୍ କରି ଦିଆଯାଉଛି ତ ଆଉକେବେ ଉଚ୍ଚ ନ୍ୟାୟାଳୟର ଆଦେଶ ସତ୍ତ୍ୱେ ଥିଲାବାଲାଙ୍କ ଅଟ୍ଟାଳିକାକୁ ପୌର ପ୍ରଶାସନର ହାତ ପାଉନାହିଁ। ଯଦିଓ ଲୋକଙ୍କ ଚାପରେ ଥିଲାବାଲାଙ୍କ ଘରକୁ ବୋଲଡୋଜର ପହଞ୍ଚୁଛି, ତେବେ ଲୋକ ଦେଖାଣିଆଁ ଆଂଶିକ ଉଚ୍ଛେଦ କରାଯାଉଛି। ଗରିବଙ୍କ ଦେକାନକୁ ଉଚ୍ଛେଦ କରାଯାଉଛି। ଦୋକାନ ଗୃହ ନିର୍ମାଣ ପାଇଁ ଜାଗା ଦିଆଯାଇ ଉଚ୍ଛେଦରେ ପ୍ରଭାବିତ ଦୋକାନୀଙ୍କୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଉଛି। ଏହାପରେ ଗରିବ ଦୋକାନୀମାନେ ସମ୍ପୃକ୍ତ ସ୍ଥାନରେ ଦୋକାନ ଗୃହ ନିର୍ମାଣ କରୁଛନ୍ତି। ମାତ୍ର ଦୋକାନ ଗୃହ ନିର୍ମାଣ ସରିବା ପରେ ପୌର ପ୍ରଶାସନ ପୁଣି ସେହି ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗି ଦେଉଛି। ବରଗଡ଼ ଗୁରୁଦ୍ୱାରା ଛକ-ରେଳ ଷ୍ଟେଶନ ରୋଡ୍ରେ ଗରିବ ଦୋକାନୀଙ୍କ ପ୍ରତି ଏଭଳି ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବାରମ୍ବାର ରାୟ ଦେବା ସତ୍ତ୍ୱେ ସମ୍ପୃକ୍ତ ଜବରଦଖଲ ଅଂଶକୁ ଦୀର୍ଘ ୩ବର୍ଷ ହେଲା, ପୌର ପ୍ରଶାସନ ସମ୍ପୁର୍ଣ୍ଣ ଉଚ୍ଛେଦ କରି ପାରିନାହିଁ।
ସୂଚନା ଅନୁଯାୟୀ, ସହରର କିଛି ଗରିବ ଲୋକେ ଗୁରୁଦ୍ୱାରା ଛକ ନିକଟରେ ଦୋକାନ କରିଥିଲେ। ମାତ୍ର ଗୁରୁଦ୍ୱାରା ଛକ-ରେଳ ଷ୍ଟେଶନ ରାସ୍ତା ପ୍ରଶସ୍ତିକରଣ ପାଇଁ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇଥିଲା ଏବଂ ଏହି ରାସ୍ତାର ଅନ୍ୟ ସ୍ଥାନରେ ଦୋକାନ ଗୃହ ନିର୍ମାଣ ପାଇଁ ସେମାନଙ୍କୁ ଜାଗା ସହିତ ଅସ୍ଥାୟୀ ଲାଇସେନ୍ସ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ଦୋକାନୀମାନେ ଧାର, କରଜ କରି ସେହି ଜାଗାରେ ନୂତନ ଦୋକାନ ଗୃହ ନିର୍ମାଣ କରଥିଲେ। କିଛି ଦୋକାନ ଗୃହ ନିର୍ମାଣାଧୀନ ଥିବାବେଳେ ଆଉକିଛି ଦୋକାନ ଗୃହ ସମ୍ପୂର୍ଣ୍ଣ ହୋଇଥିଲା। ସେହି ଦୋକାନରେ ବିଭିନ୍ନ ସାମଗ୍ରୀ ବିକ୍ରିବଟା କରି ଗରିବ ଲୋକେ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ମଙ୍ଗଳବାର ସମ୍ପୃକ୍ତ ଦୋକାନୀଙ୍କୁ କୌଣସି ଆଗୁଆ ନୋଟିସ୍ ନ ଦେଇ ପୌର ଓ ରାଜସ୍ବ ବିଭାଗ ଅଧିକାରୀମାନେ ପୋଲିସ ଉପସ୍ଥିତିରେ ସେହି ଦୋକାନ ଗୃହ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିରେ ସମ୍ପୃକ୍ତ ଦୋକାନୀମାନଙ୍କୁ ସେମାନଙ୍କ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି। ଜଣେ ଦୋକାନୀ କାର୍ତ୍ତିକେଶ୍ୱର ମେହେର କହିଛନ୍ତି, ପୌର ପ୍ରଶାସନ ଯେଉଁ ଜାଗାରେ ଦୋକାନ ଗୃହ ନିର୍ମାଣ ପାଇଁ କହିଥିଲା, ସେଠାରେ ସେ ଦୋକାନ ନିର୍ମାଣ କରିଥିଲେ। ଧାର, କରଜ କରି ଦୋକାନ ନିର୍ମାଣରେ ୪୫ରୁ ୫୦ହଜାର ଟଙ୍କା ଯାଏ ଖର୍ଚ୍ଚ କରିଥିଲେ। ଏଥିପାଇଁ ପୌର ପ୍ରଶାସନ ଏକ ଅସ୍ଥାୟୀ ଲାଇସେନ୍ସ ଦେଇଥିଲେ। ସେହି ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ସେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଦୋକାନ ଗୃହକୁ ପୌର ପ୍ରଶାସନ ପୁଣି ଉଚ୍ଛେଦ କରିଥିବାରୁ ସେ କିଭଳି ଧାର, କରଜ ପରିଶୋଧ କରିବେ ଏବଂ ପରିବାର ପ୍ରତିପୋଷଣ କରିବେ, ସେହି ଚିନ୍ତା ଏବେ ତାଙ୍କୁ ଘାରିଛି ବୋଲି କହିଛନ୍ତି। ସେହିପରି ବରଗଡ଼ର ଜଣେ ଆଡ଼ଭୋକେଟ୍ ଅନୁପ କୁମାର ଶତପଥୀ ପୌର ପ୍ରଶାସନର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ନିନ୍ଦା କରିଛନ୍ତି। ବରଗଡ଼ ନାଗରିକ ମଞ୍ଚ ଗତ କିଛିଦିନ ତଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଜିଲାପାଳଙ୍କୁ ଭେଟି ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି କରିଥିଲେ। ଯେତେଦିନ ଯାଏ ଏହି ସ୍ଥାନର ଉଚ୍ଛେଦ ସମ୍ପୂର୍ଣ୍ଣ ନ ହୋଇଛି, ସେତେଦିନ ଯାଏ ଅନ୍ୟ ସ୍ଥାନରେ ଉଚ୍ଛେଦ ନ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରାଯାଇଥିଲା। ମାତ୍ର ତାକୁ ଭ୍ରୂକ୍ଷେପ ନ କରି ପୌର ପରିଷଦ ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ବଦଳରେ ଯେଉଁ ଗରିବ ଦୋକାନୀଙ୍କୁ ବିନା ନୋଟିସ୍ରେ ଉଚ୍ଛେଦ କଲା, ଆଗାମୀ ଦିନରେ ବିଭାଗୀୟ ଅଧିକାରୀମାନେ ତାର ପରିଣାମ ନିଶ୍ଚୟ ଭୋଗିବେ ବୋଲି ଶତପଥୀ କହିଛନ୍ତି।
ପ୍ରକାଶଥାଉକି, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ୨୦୨୩ ରୁ ସହରବାସୀଙ୍କ ଦାବି ହୋଇ ଆସୁଛି। ଉଚ୍ଛେଦ ସପକ୍ଷରେ ୩ଥର ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଇ ସାରିଲେଣି। କିନ୍ତୁ ଯାଏ ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇ ନାହିଁ। ପର୍ଯ୍ୟାୟକ୍ରମେ ଉଚ୍ଛେଦ ଚାଲିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ଉଦାସୀନତାରୁ ସହରରେ ଅସନ୍ତୋଷ ଲାଗି ରହିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି।