ଜଳେଶ୍ୱର, ୨୮ା୫ ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏହା ବ୍ୟାପକ ଚାଷ ହୋଇଥାଏ ା ବିହନ ମିଳିବା ଓ ଅମଳ ପରେ ବିକ୍ରି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଜଳେଶ୍ୱର ଚାଷୀଙ୍କୁ ଆଗୁଆ ବହୁ ମୂଲ୍ୟରେ ବିହନ ଯୋଗାଇ ଅମଳ ପରେ କମ୍ ମୂଲ୍ୟରେ କିଣିଥାନ୍ତି ା ଜଳେଶ୍ୱରରେ ଚିନିବାଦାମ ରଖିବା ଲାଗି ସାମଗ୍ରିକ ଭାବେ ଗୋଦାମ ଘର ନ ଥିବା ଓ ବିଶେଷ ବଜାର ନ ଥିବାରୁ ଚାଷୀ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ କମ୍ ମୂଲ୍ୟରେ ବିକ୍ରି କରିଆସୁଛି ା
ଜଳେଶ୍ୱର କୃଷି ଜିଲାରେ ଧାନ ପରେ ଚିନାବାଦାମ ଚାଷ ସର୍ବାଧିକ ହୋଇଥାଏ। ବାଲେଶ୍ୱର ଜିଲାରେ ମୋଟ ୧୫ହଜାର ହେକ୍ଟର ଜମିରେ ଚିନିବାଦମ ହେଉଥିବା ବେଳେ ଜଳେଶ୍ୱର କୃଷି ଜିଲାରେ ୯୨୫୦ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ସେଥିରୁ ଜଳେଶ୍ୱରରେ ୩୦୦୦ ହେକ୍ଟର, ଭୋଗରାଇରେ ୨୮୫୦ ହେକ୍ଟର ଓ ବାଲିଆପାଳରେ ୩୪୦୦ ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ୧ହେକ୍ଟର ଜମିରେ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୨୭ କୁଇଣ୍ଟାଲ ଚିନିବାଦାମ ଅମଳ ହୋଇଥାଏ। ଜଳେଶ୍ୱରରେ କାଦ୍ରି, ସ୍ମୃତି, ଏକେ ୧୨-୨୪ ପ୍ରଜାତିର ଚିନିବାଦାମ ଚାଷ ହୋଇଥାଏ ା ଜଳେଶ୍ୱରର ଗୋବରଘଟା, ଲକ୍ଷ୍ମଣନାଥ, ରାୟାଁରାମଚନ୍ଦ୍ରପୁର, କୋଟସାହି, ପାଇକସିଦା, ଗଡସାହି ବାଲିଆପାଳ, ଝାଡପିମ୍ପଳ, ବାଇଗରବାଡିଆ, ପଶ୍ଚିମବାର୍ଡ, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଶିଖରପୁର ପଞ୍ଚାୟତରେ ଚିନିବାଦାମ ଚାଷ ହୋଇଥାଏ। ଚଳିତବର୍ଷ ଓଡିଶା ରାଜ୍ୟ ବିହନ ବିଗମ ଓ ସରକାରୀ ସ୍ତରରେ ଯୋଗାଇ ଦିଆଯାଇଥିବା ଚିନିବାଦାମ ବିହନ କିଲୋ ପ୍ରତି ୫୭ ଟଙ୍କା ହୋଇଥିଲେ ମଧ୍ୟ ତାହା ନିମ୍ନମାନର ହୋଇଥିବାରୁ ଅମଳ କମ୍ ହେଉଥିବା ଚାଷୀମାନେ କହିଛନ୍ତି ା ଅନ୍ୟପକ୍ଷରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡିଶାର ବରଗଡ ଓ କୁଆଖିଆ ଅଞ୍ଚଳର ବ୍ୟବସାୟୀମାନେ କିଲୋ ପ୍ରତି ୯୦ଟଙ୍କାରେ ବିହନ ଯୋଗାଇଥିଲେ ମଧ୍ୟ ଅମଳ ଭଲ ହୋଇଥିବା ଚାଷୀମାନେ କହିଛନ୍ତି ା ୧ହେକ୍ଟର ଜମିରେ ୧.୫ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ପ୍ରାୟ ୨୫କୁଇଣ୍ଟାଲ ଅମଳ ହୋଇଥାଏ। ୧ହେକ୍ଟର ଜମିରେ ୯ହଜାର ଟଙ୍କାର ବିହନ, ୯ହଜାର ଟଙ୍କାର ସାର, କୀଟନାଶକ ଓ ମଲ୍ଟି ଭିଟାମିନ୍, ୧୦ହଜାର ଟଙ୍କାର ଶ୍ରମିକ ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୭୦ରୁ ୮୦ହଜାର ଟଙ୍କା ମିଳିଥାଏ। କିନ୍ତୁ ବଜାର ନ ଥିବାରୁ କିମ୍ବା ସାଇତି ରଖିବା ଲାଗି ସ୍ଥାନାଭାବ ଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଏହାକୁ ବିକ୍ରି କରିବା ଲାଗି ସରକାର ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ଓ ଲକ୍ଷ୍ମଣନାଥ ପଞ୍ଚାୟତରେ ଥିବା ୨ଟି ସେବା ସମବାୟ ସମିତି (ପ୍ୟାକ୍ସ)ର ବ୍ୟବସ୍ଥା କରିଥିଲେ। ଏଫଏକ୍ୟୁ ମାନ୍ୟତା ଓ ଅନ୍ୟ କେତେକ ଅସୁବିଧା ଦର୍ଶାଇ କୁଇଣ୍ଟାଲ ପ୍ରତି ୧୦ କିଲୋ କଟ୍ନୀ, ଛଟ୍ନୀ ହେଉଥିବାରୁ ଚାଷୀମାନେ ସେଠାରେ ବିକ୍ରି କରିବାକୁ ପସନ୍ଦ କରୁନାହାନ୍ତି ା ଚାଷୀମାନେ ସମବାୟ ସମିତିରେ ବିକ୍ରି ମୂଲ୍ୟ ପାଇବାରେ ବିଳମ୍ବ, ସମବାୟ ବ୍ୟାଙ୍କକୁ ଦୌଡିବା ଏବଂ କର୍ମଚାରୀଙ୍କ ଅସହଯୋଗ ଯୋଗୁ ଚାଷୀମାନେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି ା ଅନ୍ୟପକ୍ଷରେ ଚିନାବାଦାମ ପ୍ରୋସେସିଂର ବ୍ୟବସ୍ଥା ନ ଥିବାରୁ ପଶ୍ଚିମବଙ୍ଗ ବ୍ୟବସାୟୀ କିଣି ନେଇ ଦୀଘା, କାନ୍ଥି, ଖଡଗପୁର, ବେଲଦା କିମ୍ବା କୋଲକାତା ନେଇ ମଞ୍ଜି ବାହାର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କରୁଥିବାରୁ ସେଠାରେ ଚାହିଦା ଅଧିକ ହୋଇଥାଏ। ଅନ୍ୟପକ୍ଷରେ ଉପତ୍ନ୍ନ ହେଉଥିବା ସ୍ଥାନଗୁଡିକରେ ଗୋଦାମ ଘର ନିର୍ମାଣ କରି ଗଚ୍ଛିତ କରି ରଖିପାରିଲେ ପରେ ତାହା ଅଧିକ ମୂଲ୍ୟରେ ବିକ୍ରି କରି ଚାଷୀ ଅଧିକ ଲାଭବାନ ହୋଇପାରନ୍ତା ା ଏ ସମ୍ପର୍କରେ ଚାଷୀ ରବୀନ୍ଦ୍ର ଜେନା, ଭାନୁଚରଣ ପ୍ରମାଣିକ, ଭାସ୍କର ମହାନ୍ତି, ଜଗନ୍ନାଥ ରଣା, ବ୍ରଜେନ୍ଦ୍ର ମହାନ୍ତି, ଗଜେନ୍ଦ୍ର ମହାନ୍ତି, କାଳିଚରଣ ବେହେରା ପ୍ରମୁଖ ଚାଷୀ ସ୍ବତନ୍ତ୍ର ସୁବିଧା ସୁଯୋଗ ବ୍ୟବସ୍ଥା, ଅମଳପରେ ବଜାର ସୃଷ୍ଟି କରିବା ଓ ପ୍ରକ୍ରିୟାକରଣର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା