ରବିଧାନର ଅଭାବୀ ବିକ୍ରି

ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ ଜିଲାରେ ସରକାରୀ ଧାନ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ, ଚାଷ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କାଳିଆ, ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ଆଦିରେ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ସରକାର ଯୋଗାଇଛନ୍ତି। ଏଥିରେ ପ୍ରକୃତ ଚାଷୀ ଟଙ୍କା ନ ପାଇ ନିଜର ଚାଷ ଋଣର ସୁଧ ଟଙ୍କା ପୈଠ କରୁଛନ୍ତି।
ରବି ଋତୁରେ ପ୍ରତିବର୍ଷ ପ୍ରତିକୂଳ ପାଗ ଯୋଗୁ ବିଜୁଳି ସମସ୍ୟା ହେଉ ଅଥବା କାଳବୈଶାଖୀ ତ କେତେବେଳେ ଭୂତଳଜଳ ଅଭାବ କାରଣରୁ ଚାଷୀ ବିପୁଳ କ୍ଷତି ସହିଥାନ୍ତି। ସରକାର ଚାଷୀଙ୍କୁ ଯୋଜନା ମାଧ୍ୟମରେ ଟଙ୍କା ପରିବର୍ତ୍ତେ କୃଷି କ୍ଷେତ୍ରରେ ଜଳସେଚନ, ବିଜୁଳି ରିହାତି ସାଙ୍ଗକୁ ଧାନର ଅଭାବୀ ବିକ୍ରି ପ୍ରତି ଧ୍ୟାନ ଦେଲେ କୃଷି ଓ କୃଷକ ବଞ୍ଚତ୍ପାରନ୍ତା ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ଚଳିତବର୍ଷ ବ୍ଲକ ଅଧୀନ ଗଡ଼ପଦା, ରାଉତପଡ଼ା, କସିପଦା, ରୂପସା, ଆଙ୍କ, ମଥାନୀ, ବାହାର୍ଦ୍ଦା, ଦୁଧହଂସା, ରସଲପୁର, ଶ୍ରୀରାମପୁର ଆଦି ପଞ୍ଚାୟତରେ ରବି ଫସଲ ଅମଳ ସରିବାକୁ ବସିଲାଣି। ଆଗକୁ କାଳବୈଶାଖୀ ମାଡ଼ିଆସୁଥିବାରୁ ଚାଷୀ ଧାନ ଅମଳ ସାରି ସରକାରୀ ମଣ୍ଡିକୁ ଚାହିଁ ଚାହିଁ ଶେଷରେ ଜଳକର, ଋଣ ପରିଶୋଧ, ସାର, ବିଷ ଆଦିର ବକେୟା ଟଙ୍କା ଶୁଝିବାକୁ ବାଧ୍ୟ ହୋଇ ଶାଗ ମାଛ ଦରରେ କୁଇଣ୍ଟାଲ ପ୍ରତି ୧୧ଶହ ଟଙ୍କାରେ କଷ୍ଟ ଉପାର୍ଜିତ ଧାନକୁ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କେତେକ ଦଲାଲ ଏହାର ସୁଯୋଗ ନେଇ ଚାଷୀଙ୍କଠାରୁ ଶୋଷଣ କରି ଅଧିକାରୀଙ୍କୁ ଧରି ବିଭିନ୍ନ ଚାଷୀଙ୍କ ନାମରେ ମଣ୍ଡିରେ ଧାନ ଦେବାର ଯୋଜନା କରିଥିବା ଅଭିଯୋଗ ହୋଇଛି। ଶେଷରେ ସରକାର ଟାର୍ଗେଟ ପୂରଣ ହେବା ବାହାନାରେ ମଣ୍ଡିକୁ ବନ୍ଦ କରି ଦେଉଛନ୍ତି। ଫଳରେ ଚାଷୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହିତ ଚାଷ ଉପରୁ ଆସ୍ଥା ହରାଉଛନ୍ତି। ତୁରନ୍ତ ଧାନର ଅଭାବୀ ବିକ୍ରି ବନ୍ଦ ସାଙ୍ଗକୁ ସରକାରୀ ମଣ୍ଡି ଖୋଲା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଭାଜପା କୃଷକମୋର୍ଚ୍ଚା ନେତା ସୂର୍ଯ୍ୟନାରାୟଣ ସାହୁ ପ୍ରକାଶ କରିଛନ୍ତି। ବାରମ୍ବାର ଏହି ଅଭିଯୋଗ ହୋଇଆସୁଥିବା ବେଳେ ସରକାରୀ ଉଦାସୀନତା ଚାଷୀ ମାରଣନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବ୍ଲକ କଂଗ୍ରେସ ଉପସଭାପତି ଜୟନ୍ତ ମହାପାତ୍ର ପ୍ରକାଶ କରିଛନ୍ତି।

Share