ରୋମ୍, ୧୦।୯: ଏବେ ସୋସିଆଲ୍ ମିଡ଼ିଆରେ ପୋପ୍ ଫ୍ରାନ୍ସିସ୍ଙ୍କ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ପୋପ୍ କହିଛନ୍ତି ଯେ, ସ୍ବାଦିଷ୍ଟ ଖାଦ୍ୟ ଏବଂ ଶାରୀରିକ ସମ୍ପର୍କ ଦିବ୍ୟ ଅନୁଭୁତି ଆଣିଥାଏ। ଏହା ପରମ ସୁଖ ମଧ୍ୟ ଆଣେ ବୋଲି ସେ କହିଛନ୍ତି। ପୋପ୍ଙ୍କର ସାକ୍ଷାତ୍କାର ଟେରା ଫ୍ୟୁଚୁରା ନାମକ ଏକ ପତ୍ରିକାରେ ବୁଧବାର ପ୍ରକାଶ ପାଇଛି। ପୋପ୍ କହିଛନ୍ତି ଯେ, ସ୍ବାଦିଷ୍ଟ ଖାଦ୍ୟ ଏବଂ ଶାରୀରିକ ସମ୍ପର୍କରୁ ମିଳୁଥିବା ସ୍ବର୍ଗୀୟ ସୁଖ କ୍ୟାଥଲିକ୍, ଖ୍ରୀଷ୍ଟିଆନ୍ ଅବା ଅନ୍ୟ କୌଣସି ଅନ୍ତର୍ଗତ ନୁହେଁ। ଏହା ପ୍ରଭୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁଖ। ସାକ୍ଷାତ୍କାରରେ ପୋପ୍ ଇଟାଲୀର ଲେଖକ କାର୍ଲୋ ପ୍ରେଟିନିଙ୍କ ଆଲୋଚନା କରିଥିଲେ। ପ୍ରେଟିନି ଖାଦ୍ୟ ପ୍ରତି ରୁଚି ରଖିଥାନ୍ତି। ତାଙ୍କର ଏକ ପ୍ରଶ୍ନର ଉତ୍ତରରେ ପୋପ୍ ଏଭଳି ମନ୍ତବ୍ୟ ଦେଇଥିଲେ। ଚର୍ଚ୍ଚ ସବୁବେଳେ କ୍ରୁରତା, ଅମାନବୀୟ ଏବଂ ଅଶିଷ୍ଟ ଆନନ୍ଦ ପ୍ରାପ୍ତର ମାର୍ଗକୁ ନିନ୍ଦା କରିଥାଏ। ଅପରପକ୍ଷରେ ଏହା ସର୍ବଦା ମାନବୀୟ, ସରଳ ଏବଂ ନୈତିକ ସୁଖକୁ ସ୍ବୀକୃତି ଦେଇଥାଏ। ଖାଦ୍ୟର ଆନନ୍ଦ ସୁସ୍ଥ ରଖିଥାଏ। ସେହିପରି ଶାରୀରିକ ସମ୍ପର୍କ ପ୍ରେମକୁ ଅଧିକ ସୁନ୍ଦର କରି ଗଢ଼ିତୋଳିବାରେ ସହାୟକ ହୁଏ। ପରିବେଶ ଏବଂ ସାମାଜିକତା ପ୍ରତି ପୋପ୍ଙ୍କ ମତାମତ ଜାଣିବା ପାଇଁ ପ୍ରିଟିନି ଏହି ସାକ୍ଷାତ୍କାର କରିଥିଲେ।