Categories: ରାଜ୍ୟ

ପୋପ୍‌ ଫ୍ରାନ୍‌ସିସ୍କୋଙ୍କୁ ଭେଟିପାରନ୍ତି ନବୀନ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ସପ୍ତାହରେ ସମ୍ଭବତଃ ୨୨ ତାରିଖରେ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିିବେ। ଏହି ଗସ୍ତ ସମୟରେ ସେ ଭାଟିକାନ୍‌ ସିଟିରେ ଥିବା କ୍ୟାଥ୍‌ଲିକ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍‌ସିସ୍କୋଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇଥିବା କୁହାଯାଉଛି। ଯଦି ପୋପ୍‌ଙ୍କୁ ସେ ଭେଟନ୍ତି, ତେବେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଏହି ସୁଯୋଗ ପାଇବେ। ନବୀନଙ୍କ ବିଦେଶ ଗସ୍ତ ନେଇ ଏଯାଏ ସରକାରୀ ଭାବେ କୌଣସି ସୂଚନା ଦିଆଯାଇନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ଏହି ଗସ୍ତ ସମୟରେ ବିଭିନ୍ନ ଉଦ୍ୟୋଗୀଙ୍କୁ ଭେଟିବେ। ଏଥିସହ ପ୍ରବାସୀ ଓଡ଼ିଆଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍‌ ୨୮ରେ ସେ ୟୁଏଇରେ ଶିଳ୍ପପତି ଏବଂ ଅନ୍ୟମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ପୋପ୍‌ଙ୍କ ସହ ନବୀନଙ୍କ ଏହି ପ୍ରସ୍ତାବିତ ଭେଟଘାଟ ଭାବମୂର୍ତ୍ତିକୁ କିଛି ମାତ୍ରାରେ ଉପରକୁ ନେବାର ପ୍ରୟାସ ବୋଲି କୁହାଯାଇପାରେ। ଏଭଳି ଉଚ୍ଚସ୍ତରୀୟ ବୈଠକରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ନବୀନଙ୍କ ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପ୍‌ଙ୍କୁ ଭେଟିବାର ସୂଚନା ରହିଥିଲା। ମମତା ଇଟାଲୀ ଯିବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଅନୁମତି ଦେଇ ନ ଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପୋପ୍‌ଙ୍କୁ ସାକ୍ଷାତ୍‌ କରିଥିଲେ।

Share