ଯୁଦ୍ଧ ବନ୍ଦ ପାଇଁ ରୁଷିଆକୁ ନିବେଦନ କଲେ ପୋପ ଫ୍ରାନ୍ସିସ

ଭାଟିକାନ ସିଟି,୨।୧୦:ଗତ ଫେବ୍ରୁଆରୀ ୨୪ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ କେବଳ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିନାହିଁ, ବରଂ ଜନମତ ସଂଗ୍ରହ କରି ଚାରୋଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଛି। ଏଥି ସହିତ ପୋପ ଫ୍ରାନ୍ସିସ ପୁଣି ଥରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶର ମୁଖ୍ୟଙ୍କୁ ନିବେଦନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରୁ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରି ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଶାନ୍ତି ପ୍ରସ୍ତାବ ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।
ରବିବାର ସେଣ୍ଟ ପିଟର ସ୍କୋୟାରରେ ଆଞ୍ଜେଲସ ପ୍ରାର୍ଥନା ପୂର୍ବରୁ ପୋପ ଫ୍ରାନ୍ସିସ ତାଙ୍କ ଅଭିଭାଷଣରେ ଏହି ନିବେଦନ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧ ଅତ୍ୟନ୍ତ ଗମ୍ଭୀର, ବିନାଶକାରୀ ଏବଂ ବିପଜ୍ଜନକ ହୋଇପଡିଛି। ଏହା କେବଳ ଏହି ଦୁଇ ଦେଶ ନୁହେଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଦୁଇ ଦେଶର ଶାନ୍ତି କଥାବାର୍ତ୍ତାର ସର୍ତ୍ତାବଳୀ ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ସହିତ ମାନବ ଜୀବନର ପବିତ୍ର ମୂଲ୍ୟକୁ ସମ୍ମାନ ଦେବା ଉଚିତ୍‌।

Share