ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା କେବେ କାହା ସହିତ ହୋଇଯାଏ କେହି ଜାଣିପାରନ୍ତି ନାହିଁ। ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ନେଇ ଏଇ ପ୍ରେମ ଆଗାଏ। କେବେ ଏହା ସଫଳ ହୋଇଯାଏ ତ କେବେ ରହିଯାଏ ଅଧା। ଅନେକ ସମୟରେ ପରିଣୟର ବି ରୂପ ନିଏ। ପୁଣି କେବେ କେବେ କିଛି ସଫଳ ପ୍ରେମକାହାଣୀ ବିଭିନ୍ନ ଘଟଣା ଓ ଦୁର୍ଘଟଣାର ବଶବର୍ତ୍ତୀ ହୋଇ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଯାଏ। ଯେମିତିକି ଏଠାରେ ଉଲ୍ଲେଖ କରାଯାଇଥିବା କିଛି ନିଆରା ସତ ପ୍ରେମକାହାଣୀ; ଯାହା ଦିନେ ଖୁବ୍ ଭାଇରାଲ୍ ହୋଇ ସମସ୍ତଙ୍କୁ ଚକିତ କରିଥିଲା…
୧୮ ମାସ ପରେ ଫେରିପାଇଲେ ସ୍ତ୍ରୀଙ୍କୁ: ଜୁନ୍ ୨୦୧୩ରେ ଉତ୍ତରାଖଣ୍ଡରେ ଯେଉଁ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେକଥା ଭାବିଲେ ଲୋମ ଟାଙ୍କୁରି ଉଠେ। ଏହି ବନ୍ୟା ଜଳରେ କେତେ ଯେ ଲୋକ ଭାସିଗଲେ, କେତେ ବେସାହାରା ହେଲେ ତା’ର ଆକଳନ କରିବା ସମ୍ଭବ ନୁହେଁ। ଏହି ମହାବିପତ୍ତି କେବଳ ଧନଜୀବନ ନଷ୍ଟ କରିଥିଲା ତାହା ନୁହେଁ, ସଚ୍ଚା ପ୍ରେମ କରୁଥିବା ଏକ ଦମ୍ପତିଙ୍କୁ ମଧ୍ୟ ପରସ୍ପରଠାରୁ ଏମିତି ଅଲଗା କରିଦେଲା ଯେ, ସେମାନଙ୍କର ପୁନର୍ମିଳନ ହେବା ପାଇଁ ପାଖାପାଖି ଅଠର ମାସରୁ ଅଧିକ ସମୟ ଲାଗିଗଲା, ସେ ପୁଣି ବହୁ ବାଧାବିଘ୍ନକୁ ସାମ୍ନା କରିକରି। ଘଟଣାଟି ଥିଲା ଏମିତି: ରାଜସ୍ଥାନର ବିଜେନ୍ଦ୍ର ସିଂ ରାଠୋର ହେଉଛନ୍ତି ପାଞ୍ଚଟି ପିଲାଙ୍କ ଜନକ। ସେ ଏକ ଟ୍ରାଭେଲ୍ ଏଜେନ୍ସିରେ କାମ କରନ୍ତି। ଜୁନ୍ ୨୦୧୩ରେ ତାଙ୍କ ଧର୍ମପତ୍ନୀ ଲୀଲା ଚାରିଧାମ ଯାତ୍ରାରେ ଯିବା ପାଇଁ ଇଚ୍ଛାପ୍ରକାଶ କରିବାରୁ ସେ ଟିକେ ଚିନ୍ତାରେ ଥା’ନ୍ତି। ଠିକ୍ ଏହି ସମୟରେ ତାଙ୍କ ଟ୍ରାଭେଲ୍ ଏଜେନ୍ସିର ଏକ ଟ୍ରୁପ୍ କେଦାରନାଥ ଯାତ୍ରା ପାଇଁ ବାହାରିବାରୁ ପିଲାମାନଙ୍କର ଦାୟିତ୍ୱ ଘର ଲୋକଙ୍କୁ ହସ୍ତାନ୍ତର କରି ପତ୍ନୀପତି ଦୁହେଁ ସେହି ଟ୍ରୁପ୍ରେ ସାମିଲ ହୋଇ କେଦାରନାଥରେ ଯାଇ ପହଞ୍ଚନ୍ତି। ସେଠାରେ ସେମାନେ ଏକ ଲଜ୍ରେ ରୁହନ୍ତି। ଆଖପାଖ ସ୍ଥାନ ବୁଲାବୁଲି କରିବା ପରେ ସ୍ତ୍ରୀ ଲୀଲାଙ୍କୁ ଲଜ୍ରେ ଛାଡ଼ି କିଛି କାମରେ ବିଜେନ୍ଦ୍ର ଟିକେ ବାହାରକୁ ଚାଲିଯାଆନ୍ତି। ହଠାତ୍ ଏହି ସମୟରେ ଚାରିଆଡ଼େ ହାହାକାର ଖେଳିଯାଏ। କିଛିଦିନ ଧରି ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବା ଯୋଗୁ ଉତ୍ତରାଖଣ୍ଡସ୍ଥିତ ଅଧିକାଂଶ ନଦୀର ଜଳସ୍ତର ଖୁବ୍ ବଢିଯାଇଥାଏ। ଏପରିକି କେଦାରନାଥ ମନ୍ଦିରର ନିକଟ ଦେଇ ଯାଇଥିବା ମନ୍ଦାକିନୀ ନଦୀର ଜଳସ୍ତର ବି ବିପଦସଙ୍କୁଳ ଉପର ଦେଇ ପ୍ରବାହିତ ହେଉଥାଏ। ଚାହୁଁଚାହୁଁ କିଛି ମୁହୂର୍ତ୍ତ ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଏହି ବନ୍ୟାଜଳ କେଦାରନାଥ ଆଡ଼କୁ ବି ମାଡି ଆସିଲା। ଜଳର ସ୍ରୋତ ଏତେ ଭୟଙ୍କର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ଏହା ଅନେକ ଘରଦ୍ୱାର, ଲଜ୍, ଦୋକାନ ବଜାର ସହିତ ଶହ ଶହ ଲୋକଙ୍କୁ ଭସାଇ ନେଲା। ଜଳର ପ୍ରଖର ଗତି ଯୋଗୁ ଭୂସ୍ଖଳନ ହୋଇ ଅନେକ ଘରଦ୍ୱାର ମୂଳରୁ ଭୁଶୁଡି ପଡ଼ି ପାଣିରେ ଜଳମଗ୍ନ ହୋଇଯାଉଥିଲା। ଚାରିଆଡ଼େ ରକ୍ଷା କର! ରକ୍ଷା କର! ଆକୁଳ ଚିତ୍କାର ସାଙ୍ଗକୁ କାନ୍ଦବୋବାଳି ଶୁଭୁଥିଲା। ଏହି ଭୟଙ୍କର ପରିସ୍ଥିତିର ଶିକାର ବିଜେନ୍ଦ୍ର ବି ହୋଇଥିଲେ। ଭଗବାନଙ୍କ ଆଶୀର୍ବାଦରୁ ବହୁ କଷ୍ଟରେ ନିଜ ଜୀବନକୁ ବଞ୍ଚାଇ ସ୍ତ୍ରୀ ଲୀଲାଙ୍କୁ ଖୋଜିବା ପାଇଁ ସିଏ ଯେତେବେଳେ ଲଜ୍ ପାଖକୁ ଯିବାକୁ ଚାହିଁଲେ, ସେଠାରେ ତାଙ୍କୁ ଆଉ ଲଜ୍ ମିଳିଲାନି। ଲୋକଙ୍କଠାରୁ ଶୁଣିବାକୁ ପାଇଲେ ବନ୍ୟାଜଳରେ ଉକ୍ତ ଲଜ୍ଟି ଭୁଶୁଡି ଯାଇଛି, ଆଉ ସେଥିରେ ଥିବା ସମସ୍ତ ଲୋକ ପାଣିରେ କୁଆଡ଼େ ଭାସି ଯାଇଛନ୍ତି। କିନ୍ତୁ ଏକଥାକୁ ଆଦୌ ବିଶ୍ୱାସ କରିପାରିଲେନି ବିଜେନ୍ଦ୍ର। ତାଙ୍କ ମନ କହୁଥିଲା ଲୀଲା ବଞ୍ଚତ୍ଛନ୍ତି, ଆଉ ଦିନେ ନା ଦିନେ ସିଏ ତାଙ୍କୁ ଖୋଜି ବାହାର କରିବେ। ଏହିପରି ଦିନ ପରେ ଦିନ ବିତି ଚାଲିଥାଏ। ପାଗଳପ୍ରାୟ ହୋଇ ଲୀଲାଙ୍କୁ ଖୋଜୁଥା’ନ୍ତି ବିଜେନ୍ଦ୍ର। ସମ୍ବଳ ବୋଲି ତାଙ୍କ ପାଖରେ ଥାଏ ଅଳ୍ପ କିଛି ଟଙ୍କା ଆଉ ସ୍ତ୍ରୀଙ୍କର ଗୋଟିଏ ଫଟୋ। ସେହି ଫଟୋକୁ ଆଖପାଖର ଲୋକଙ୍କୁ ଦେଖାଇ ବିଜେନ୍ଦ୍ର ପଚାରୁଥାନ୍ତି, ‘ମୋ ସ୍ତ୍ରୀଙ୍କୁ କେହି ଦେଖିଛ କି’! କିନ୍ତୁ ସମସ୍ତଙ୍କଠାରୁ ସେ ନାସ୍ତିବାଣୀ ଶୁଣୁଥା’ନ୍ତି। ୟା’ରି ଭିତରେ ସରକାରଙ୍କ ତରଫରୁ ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ଏକ ତାଲିକା ପ୍ରକାଶ ପାଏ; ଯେଉଁଥିରେ ଲୀଲାଙ୍କର ମଧ୍ୟ ନାମ ରହିଥାଏ। କିନ୍ତୁ ତାହାକୁ ଅସ୍ବୀକାର କରନ୍ତି ବିଜେନ୍ଦ୍ର। ଏପରିକି ସରକାରଙ୍କ ତରଫରୁ ଦିଆଯାଉଥିବା କ୍ଷତିପୂରଣକୁ ବି ସେ ଗ୍ରହଣ କରନ୍ତି ନାହିଁ। ନିଜ ଉଦ୍ୟମରେ ସ୍ତ୍ରୀଙ୍କୁ ଖୋଜି ବାହାର କରିବାକୁ ସେ ଆହୁରି ଦୃଢ଼ମନା ହୋଇଯା’ନ୍ତି; ଯେଉଁଥିପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ପଡ଼େ। ଫଳରେ ବାଧ୍ୟ ହୋଇ ଗାଁକୁ ଫେରିଯାଇ ନିଜ ପୈତୃକ ସମ୍ପତ୍ତିକୁ ବିକ୍ରି କରି ପିଲାମାନଙ୍କୁ ବୁଝାଇ ଶୁଝାଇ ବିଜେନ୍ଦ୍ର ପୁଣି ଫେରିଆସନ୍ତି କେଦାରନାଥକୁ। କେଦାରନାଥର ଆଖପାଖରେ ଯେତେ ଛୋଟମୋଟ ଗାଁ ରହିଛି ସବୁଠିକୁ ସେ ଯାଇ ଲୀଲାଙ୍କୁ ଖୋଜୁଥା’ନ୍ତି। ଏହିପରି ୧୮ ମାସ ବିତିଯାଏ। ଜାନୁୟାରୀ ୨୦୧୫ ଏକ ନୂଆ ସକାଳ ନେଇ ଆସେ ବିଜେନ୍ଦ୍ରଙ୍କ ଜୀବନରେ। ଲୀଲାଙ୍କର ଫଟୋ ଦେଖି ଗଙ୍ଗୋଲି ନାମକ ଏକ ଗାଁର କିଛି ଲୋକ ବିଜେନ୍ଦ୍ରଙ୍କୁ କୁହନ୍ତି ଯେ, ଏହିପରି ଜଣେ ମହିଳା କିଛିଦିନ ହେବ ଆମର ଏହି ଗାଁରେ ବୁଲୁଛି। ହେଲେ ତା’ର ମାନସିକ ଅବସ୍ଥା ଠିକ୍ ଥିଲା ପରି ଲାଗୁନି। ଏକଥା ଶୁଣି ବିଜେନ୍ଦ୍ର ଭୋ ଭୋ ହୋଇ କାନ୍ଦିବାକୁ ଲାଗନ୍ତି ଆଉ ନେହୁରା ହୁଅନ୍ତି ସେହି ମହିଳାଙ୍କ ପାଖକୁ ତାଙ୍କୁ ଟିକେ ନେଇଯିବାକୁ। ସେମାନଙ୍କ ସହାୟତାରେ ଯେତେବେଳେ ବିଜେନ୍ଦ୍ର ଯାଇ ସେହି ମହିଳାଙ୍କ ନିକଟରେ ପହଞ୍ଚନ୍ତି, ସେଠି ସତକୁ ସତ ଲୀଲା ହିଁ ଥା’ନ୍ତି। ତା’ପରେ ବିଜେନ୍ଦ୍ରଙ୍କର ଖୁସି ବନ୍ଧବାଡ଼ ମାନେନାହିଁ। ସ୍ତ୍ରୀ ଲୀଲାଙ୍କୁ ଧରି ବିଜେନ୍ଦ୍ର ଖୁବ୍ କାନ୍ଦନ୍ତି; ହେଲେ ଲୀଲାଙ୍କର କିଛି ବି ପ୍ରତିକ୍ରିୟା ନ ଥାଏ। ଯେହେତୁ ତାଙ୍କର ମାନସିକ ଅବସ୍ଥା ଭଲ ନ ଥାଏ, ସେ ଖାଲି ବଲବଲ ହୋଇ ବିଜେନ୍ଦ୍ରଙ୍କୁ ଚାହୁଁଥା’ନ୍ତି।
ତା’ପରେ ବିଜେନ୍ଦ୍ର ଲୀଲାଙ୍କୁ ନେଇ ନିଜ ଗାଁକୁ ଫେରିଯାନ୍ତି। ସେଠି ତାଙ୍କର ଚିକିତ୍ସା କରାଇ, ଖୁବ୍ ଯତ୍ନ ନେଇ ତାଙ୍କୁ ଠିକ୍ କରିବାକୁ ଖୁବ୍ ଚେଷ୍ଟା କରନ୍ତି। ବିଜେନ୍ଦ୍ରଙ୍କର ଆଦରଯତ୍ନ ସାଙ୍ଗକୁ ପିଲାମାନଙ୍କ ଗହଣରେ ରହି ଲୀଲା ଧୀରେ ଧୀରେ ଠିକ୍ ହେବାକୁ ଲାଗନ୍ତି। ପୁଣି ବିଜେନ୍ଦ୍ରଙ୍କର ଉଜୁଡ଼ା ସଂସାର ହସିଉଠେ। ତେବେ ଏହା ଶୁଣିବାକୁ କାହାଣୀ ପରି ଲାଗୁଥାଇପାରେ କିନ୍ତୁ ଏହା ଏକ ନିଚ୍ଛକ ସତ ଘଟଣା; ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଆଉ ଲୋକେ ବିଜେନ୍ଦ୍ରଙ୍କର ଏତାଦୃଶ ଭଲପାଇବାକୁ ଖୁବ୍ ତାରିଫ ମଧ୍ୟ କରିଥିଲେ।
ପରସ୍ପରର କଥା ବୁଝିପାରୁ ନ ଥିଲେ ତଥାପି ପ୍ରେମକଲେ, ବାହାହେଲେ: ଏହି ଭାଇରାଲ୍ ପ୍ରେମକାହାଣୀ ହେଉଛି ବ୍ରିଟେନ୍ର ଲ୍ୟୁକ୍ ଡିକିନ୍ସନ୍ ଆଉ ୟୁକ୍ରେନ୍ର ବୀରା କ୍ଲିମୋଭାଙ୍କର। ଏକଦା ଦୁଇଜଣ ଯାକ ରିଫ୍ୟୁଜି ବା ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବାର କାମ କରୁଥିଲେ। ବୀରା ନିଜେ ବି ଥିଲେ ଜଣେ ଶରଣାର୍ଥୀ। ଫେସ୍ବୁକ୍ ମାଧ୍ୟମରେ ସେମାନେ ପରସ୍ପରକୁ ଜାଣିବାର ସୁଯୋଗ ପାଇଲେ। କିନ୍ତୁ ଗୋଟେ ସମସ୍ୟା ଥିଲା। ଦୁଇଜଣଙ୍କର ଭାଷା ଅଲଗା ଥିବାରୁ ପରସ୍ପରର ଭାଷାକୁ ବୁଝି ପାରୁ ନ ଥିଲେ। ସେଥିପାଇଁ ସେମାନେ ଗୁଗଲ୍ ଟ୍ରାନ୍ସଲେଟ୍କୁ ବ୍ୟବହାର କରି ଚାଟିଂ ମାଧ୍ୟମରେ ଭାବର ଆଦାନପ୍ରଦାନ କରୁଥିଲେ। ଭାଷା ବାଧକ ସାଜିଥିଲେ ବି ସେମାନଙ୍କର ସମ୍ପର୍କ ଦିନକୁ ଦିନ ନିବିଡ଼ ହେଉଥିଲା ଆଉ କଥା ବିବାହ ସମ୍ପର୍କ ଆଡ଼କୁ ମଧ୍ୟ ଗତି କରୁଥିଲା। ଲ୍ୟୁକ୍ ସିନା ଅବିବାହିତ ଥିଲେ କିନ୍ତୁ ବୀରା ପୂର୍ବରୁ ବିବାହିତା ଥିଲେ ଆଉ ତାଙ୍କର ୧୫ ବର୍ଷର ଏକ ଝିଅ ମଧ୍ୟ ଥିଲା। କିନ୍ତୁ ସ୍ବାମୀ ତାଙ୍କ ପାଖରେ ରହୁ ନ ଥିଲେ। ଏକାକୀ ଜଣେ ମହିଳା ୧୫ ବର୍ଷର ଝିଅକୁ ଧରି ଶରଣାର୍ଥୀ ଭାବେ ବଞ୍ଚତ୍ବା କେତେ ଯେ କଷ୍ଟ ସେକଥା ଲ୍ୟୁକ୍ ହୃଦୟଙ୍ଗମ କରିପାରି ବୀରାଙ୍କୁ ବିବାହର ପ୍ରସ୍ତାବ ଦେଲେ। ଆଉ ବୀରାଙ୍କୁ ୟୁକ୍ରେନ୍ ଛାଡ଼ି ବ୍ରିଟେନ୍କୁ ଚାଲି ଆସିବାକୁ ମଧ୍ୟ କହିଲେ। ବୀରା ବି ଝିଅ ସହିତ ବ୍ରିଟେନ୍ ଯିବା ପାଇଁ ଟ୍ରାଭେଲ୍ ଆପ୍ରୁଭାଲ୍ କରାଇ ସାରିଥିଲେ। କିନ୍ତୁ ହଠାତ୍ ଏକ ଅଘଟଣ ଘଟିଲା। ୨୪ ଫେବୃୟାରୀ ୨୦୨୨ରେ, ଏକ ଭୟଙ୍କର ବମ୍ବବ୍ଲାଷ୍ଟରେ ୟୁକ୍ରେନ୍ରେ ଥିବା ବୀରାଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଜୀବନ ରକ୍ଷା କରିବା ପାଇଁ ବୀରା ଓ ତାଙ୍କ ଝିଅ କିଛି ଲୋକଙ୍କ ସହାୟତାରେ ହଲାଣ୍ଡରେ ଯାଇ କିଛିଦିନ ରହିଲେ। ପରେ ସେଠାରୁ ମା’ଝିଅ ବହୁ ଉଦ୍ୟମ କରି ଏପ୍ରିଲ୍ ୬ରେ ଯାଇ ବ୍ରିଟେନ୍ରେ ପହଞ୍ଚତ୍ଲେ। ସେଠି ପ୍ରଥମେ ବୀରା ଇଂଲିଶ୍ ଶିଖିବାକୁ ଚେଷ୍ଟା କଲେ, ତା’ସହିତ ଡ୍ରାଇଭିଂ ବି ଶିଖିଲେ; ଯଦ୍ଦ୍ବାରା ସେଠାରେ ତାଙ୍କୁ କିଛି କାମ ମିଳିଯାଇପାରିବ। ଏଥିସହିତ ଲ୍ୟୁକ୍ଙ୍କ ସହ ଇଂଲିଶ୍ରେ କଥା ହୋଇ ତାଙ୍କୁ ଯେମିତି ସର୍ପ୍ରାଇଜ୍ ଦେଇପାରିବେ। ଏମିତି କିଛିଦିନ ବିତିଯିବା ପରେ ଜୁଲାଇରେ ଲ୍ୟୁକ୍ ଓ ବୀରାଙ୍କର ଦେଖାହେଲା। ବୀରା ସେତେବେଳକୁ କିଛି କିଛି ଇଂଲିଶ୍ ଶିଖିସାରିଥିଲେ। ଏକଥା ଲ୍ୟୁକ୍ ଜାଣିବା ପରେ ବହୁତ ଖୁସି ହୋଇଥିଲେ। ଆଉ ସେହିଦିନ ହିଁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁଦିନ ସେମାନେ ବିବାହ କଲେ ସେଦିନ ଉଭୟେ ଆମନ୍ତ୍ରିତ ଅତିଥିଙ୍କୁ ନିଜ ନିଜ ଭାଷାରେ ସ୍ବାଗତ କରି ଆପ୍ୟାୟିତ କରାଇଥିଲେ। ଏହି ଘଟଣା ବି ସେତେବେଳେ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଥିଲା।
ଭଲପାଇବା ପରେ ପ୍ରେମିକ ଭିନ୍ନକ୍ଷମ ହେଲେ,
ପ୍ରେମିକା ପାଇଁ ପୁଣି ନୂଆ ଜୀବନ ପାଇଲେ
ରାହୁଲ୍ ସିଂ ଦିଓ୍ବାକର ଏବଂ ଅନାମିକା ଭରତିଆଙ୍କର ପ୍ରେମ କାହାଣୀ ଆରମ୍ଭ ହୁଏ ଉତ୍ତରପ୍ରଦେଶର ଫତେଗଡ଼ରୁ। ସେତେବେଳେ ଉଭୟଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥାଏ। ଉଭୟେ ପଡ଼ୋଶୀ ଥା’ନ୍ତି। ମନରେ ଭଲପାଇବା ଥିଲେ ବି ପରସ୍ପରକୁ କେହି କିଛି ବି କହି ନ ଥାନ୍ତି। ଏମିତି ସମୟ ବିତିଚାଲେ। ୨୦୦୮ରେ ପାଖରେ ପଡ଼ିଥିବା ଏକ ମେଳାକୁ ବୁଲିଗଲାବେଳେ ରାହୁଲ୍ ଅନାମିକାକୁ ଏକ ବୁକେ ଦେଇ ଆଇ ଲଭ୍ ୟୁ କୁହନ୍ତି। ବାସ୍ ତା’ପରଠୁ ପରିବାର ଲୋକଙ୍କ ଅଗୋଚରରେ ସେମାନଙ୍କର ସମ୍ପର୍କ ନିବିଡ଼ ହୋଇଚାଲେ। କିନ୍ତୁ ସେମାନଙ୍କର ଭଲପାଇବାକୁ ହଠାତ୍ କାହାର ନଜର ଲାଗିଗଲା ଭଳି ୨୦୧୬ ମାର୍ଚ୍ଚ ୧୩ରେ ରାହୁଲ୍ ଏକ ସଡ଼କ ଦୁର୍ଘଟଣାର ଶିକାର ହୁଅନ୍ତି, ଯେଉଁଥିରେ ରାହୁଲଙ୍କର ଅଣ୍ଟାଠାରୁ ତଳଭାଗ ପର୍ଯ୍ୟନ୍ତ ଅଙ୍ଗ ପାରାଲିସିସ୍ ହୋଇଯାଏ। ଆଉ ସିଏ ହୁଇଲ୍ ଚେୟାର୍ ସାହାଯ୍ୟରେ ଯା’ଆସ କରିବାକୁ ଲାଗନ୍ତି। ପ୍ରେମିକର ଏଭଳି ଦୁସ୍ଥ ଅବସ୍ଥାରେ ତାଙ୍କୁ ସାହସ ଦେବା ସହ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ଅନାମିକା ଦିନରାତି ଏକ କରିଦିଅନ୍ତି। ଏପରିକି ରାହୁଲ୍ଙ୍କ ବାପା ଯିଏକି ଜଣେ ଆର୍ମି ଅଫିସର୍, ମା’ ଓ ଭଉଣୀ ଉଭୟ ଶିକ୍ଷକତା କରୁଥିବାରୁ ଦିନଯାକ ଘରେ କେହି ରୁହନ୍ତି ନାହିଁ। ସେ ସମୟରେ ବି ଅନାମିକା ରାହୁଲ୍ଙ୍କ ପାଖେ ପାଖେ ରହି ତାଙ୍କୁ ଗାଧୋଇ ଦେବା, ଖୁଆଇ ଦେବା ଆଦି କାମ କରିଥାନ୍ତି। ଏପରିକି ରାହୁଲ ଦୁଃଖରେ ଭାଙ୍ଗିପଡିଲେ ତାଙ୍କୁ ଅନାମିକା ଦୃଢ଼ ହେବାପାଇଁ ପ୍ରେରଣା ଦେଇଥାନ୍ତି। ଏମିତି ଦୁଇମାସ ବିତିଯାଏ। ତା’ପରେ ରାହୁଲଙ୍କ ପରିବାର ଲକ୍ଷ୍ନୌ ସିଫ୍ଟ ହୋଇ ଚାଲିଯାନ୍ତି। ପୁଣି ଅଲଗା ହୋଇଯାନ୍ତି ରାହୁଲ୍, ଅନାମିକା। ଦେଖା ସିନା ହୋଇପାରନ୍ତିନି ହେଲେ ଫୋନ୍ରେ ସେମାନେ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି। ଏମିତି ୪ବର୍ଷ ବିତିବା ପରେ ଆଉ ଧୈର୍ଯ୍ୟ ଧରି ରହିପାରନ୍ତିନି ଅନାମିକା। ପରିବାର ଲୋକଙ୍କୁ ନ ଜଣାଇ ଅନାମିକା ଲକ୍ଷ୍ନୌ ଚାଲିଯାନ୍ତି, ଆଉ ନିଜ ମନକଥା ରାହୁଲଙ୍କ ପରିବାର ଲୋକଙ୍କୁ ଜଣାନ୍ତି। କିନ୍ତୁ ରାହୁଲଙ୍କ ବାପା ଭିନ୍ନ ଜାତିର ଆଳ ଦେଖାଇ ସେ କଥାକୁ ଟାଳି ଦିଅନ୍ତି। ପୁଣି ନିରାଶ ହୋଇ ଫେରନ୍ତି ଅନାମିକା। କିଛିଦିନ ପରେ ଅନାମିକା ଶୁଣିବାକୁ ପାଆନ୍ତି ଯେ, ରାହୁଲ୍ ଚଣ୍ଡିଗଡ଼ସ୍ଥିତ ସ୍ପାଇନାଲ୍ ରିହାବ୍ ସେଣ୍ଟରକୁ ଚିକିତ୍ସା ପାଇଁ ଯାଉଛନ୍ତି। ଏକଥା ଜାଣି ଅନାମିକା ସେଠି ବି ଯାଇ ପହଞ୍ଚତ୍ୟାନ୍ତି। ରିହାବ୍ ସେଣ୍ଟରର କର୍ମଚାରୀଙ୍କୁ ସେମାନଙ୍କର ସମ୍ପର୍କ ବିଷୟରେ ଜଣାଇ ସେଠାରେ ରହି ରାହୁଲ୍ଙ୍କର ଖୁବ୍ ଯତ୍ନ ନିଅନ୍ତି ଅନାମିକା। ଧୀରେ ଧୀରେ ତାଙ୍କ ପ୍ରେମକାହାଣୀ ଚର୍ଚ୍ଚା ହୋଇ ରିହାବ୍ ସେଣ୍ଟରର ସିଇଓଙ୍କ କାନକୁ ଯାଏ। ସିଏ ରାହୁଲ୍ଙ୍କ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି ଆଉ ଶେଷରେ ରାହୁଲ୍ଙ୍କ ବାପା ବି ଏହି ବିବାହ ପାଇଁ ରାଜି ହୁଅନ୍ତି। ବିବାହ ଦିନ ରାହୁଲ ହୁଇଲ୍ଚେୟାରରେ ବସି ଅନାମିକାଙ୍କ ସହ ସାତ ଫେରେ ନେଉଥିବାର ଦୃଶ୍ୟ ଇଣ୍ଟରନେଟ୍ରେ ବେଶ୍ ଭାଇରାଲ୍ ବି ହୋଇଥିଲା।
ଭଲ ପାଇ ବିରୋଧର ଶିକାର ହେଲେ ଓ ମୃତ୍ୟୁ ପରେ ବିବାହ ବନ୍ଧନରେ ବାନ୍ଧିହେଲେ: ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଗୁଜୁରାଟର ତାପି ଜିଲା ଅନ୍ତର୍ଗତ ନଓ୍ବୋଲା ଗାଁରେ। ଏହି ଗାଁର ଗଣେଶ ଓ ରଞ୍ଜନା ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ବିବାହ କରିବାକୁ ନିଷ୍ପତି ବି ନେଇଥିଲେ। କିନ୍ତୁ ଏକଥାକୁ ଉଭୟଙ୍କ ପରିବାର ଲୋକେ ଘୋର ବିରୋଧ କରୁଥିଲେ। ସେମାନଙ୍କୁ ବୁଝାଇବାକୁ ଯେତେ ଚେଷ୍ଟା କଲେ ବି ପ୍ରତିଥର ସେମାନଙ୍କର ଚେଷ୍ଟା ବିଫଳ ହୋଇଯାଉଥିଲା। ଏପରିକି ଘର ଲୋକଙ୍କଠାରୁ ଗଣେଶ ଓ ରଞ୍ଜନାଙ୍କୁ ଅନେକ କଟୁ କଥା ଶୁଣିବାକୁ ମଧ୍ୟ ପଡୁଥିଲା। ଶେଷରେ ସେମାନେ ଏକ କଠୋର ନିଷ୍ପତି ନେବାକୁ ବାଧ୍ୟ ହେଲେ। ଯଦି ସେମାନଙ୍କୁ ତାଙ୍କ ସମାଜ ଆଉ ତାଙ୍କ ପରିବାର ଏକାଠି କରିବାକୁ ଦେବନାହିଁ, ତା’ହେଲେ ସେମାନେ ଏ ସଂସାର ତ୍ୟାଗ କରିଦେବେ। ଶେଷରେ ସେୟା ହିଁ ହେଲା। ଅଗଷ୍ଟ ୨୦୨୨ରେ ସେମାନେ ଆତ୍ମହତ୍ୟା କରିଦେଲେ। ସେମାନଙ୍କର ଆତ୍ମହତ୍ୟା କରିବାର ଘଟଣା ଯେତେବେଳେ ଉଭୟଙ୍କ ପରିବାର ଲୋକେ ଜାଣିଲେ ସେମାନଙ୍କ ଆଖିରୁ ନିଦ ହଜିଗଲା। ସାମାନ୍ୟ ଜିଦ୍ ପାଇଁ ଯେ, ଦୁଇଟି ପିଲାଙ୍କର ଜୀବନ ଦୀପ ଅକାଳରେ ଲିଭିଗଲା ସେ କଥାକୁ ସେମାନେ ହୃଦୟଙ୍ଗମ କଲେ। ନିଜ ଭୁଲ୍କୁ କିପରି ସୁଧାରିବେ ଆଉ ଦୁଇ ପ୍ରେମୀଯୁଗଳଙ୍କର ଆତ୍ମାକୁ କିପରି ଶାନ୍ତି ଦେବେ ସେହି ଚିନ୍ତାରେ ସେମାନେ ରହିଲେ। ଏ ଘଟଣାର କିଛିଦିନ ପରେ ଉଭୟ ପରିବାର ସଦସ୍ୟ ଏକାଠି ବସି ଗୋଟିଏ ନିଷ୍ପତି ନେଲେ, ଜୀବିତ ଅବସ୍ଥାରେ ନହେଲା ନାହିଁ ମୃତ୍ୟୁ ପରେ ସେମାନେ ଗଣେଷ ଓ ରଞ୍ଜନାଙ୍କର ପ୍ରତୀକାତ୍ମକ ବିବାହ କରି ସେମାନଙ୍କୁ ଏକାଠି କରାଇଦେବେ। ସେଥିପାଇଁ ସେମାନେ ଗଣେଷ ଓ ରଞ୍ଜନାଙ୍କର ପ୍ରତିମୂର୍ତ୍ତି ତିଆରି କରି ତାଙ୍କୁ ବରବଧୂରେ ସଜାଇଦେଲେ। ରୀତିନୀତି ଅନୁସାରେ ସେମାନଙ୍କର ବିବାହ କାର୍ଯ୍ୟ ବି ସମ୍ପନ୍ନ କଲେ। ଏହି ମାଙ୍ଗଳିକ କାର୍ଯ୍ୟରେ ଗାଁର ସବୁ ଲୋକ ସାମିଲ ହୋଇ ବରବଧୂଙ୍କୁ ଶୁଭାଶିର୍ବାଦ ବି କଲେ। ଏଭଳି ଏକ ବିଚିତ୍ର ବାହାଘରକୁ ନେଇ ଏଇ କିଛିଦିନ ତଳେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା। ଆଉ ସଭିଁଙ୍କ ମୁହଁରେ ଗୋଟିଏ କଥା ହିଁ ଶୁଣିବାକୁ ମିଳୁଥିଲା- କାସ୍, ଉଭୟଙ୍କ ପରିବାର ଲୋକେ ଏହି କଥା ସମୟ ଥାଉ ଥାଉ ଚିନ୍ତା କରିଥାନ୍ତେ କି, ତା’ହେଲେ ଗଣେଷ ଓ ରଞ୍ଜନା ମୃତ୍ୟୁ ପରେ ନୁହଁ ବରଂ ଜୀବିତାବସ୍ଥାରେ ହିଁ ସ୍ବୀମୀସ୍ତ୍ରୀର ପବିତ୍ର ସମ୍ପର୍କରେ ବାନ୍ଧି ହୋଇଯାନ୍ତେ।
କେବଳ ଏଇ କେତୋଟି ଘଟଣା ନୁହେଁ, ଆମ ସମାଜରେ ଆହୁରି ଅନେକ ଏମିତି ପ୍ରେମକାହାଣୀ ରହିଛି, ଯାହା ଟିକେ ଭିନ୍ନ ହେବା ସହ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ସେ ଯାହା ବି ହେଉ, ପ୍ରେମ ସେହି ସ୍ଥାନରେ ସଫଳତା ପାଏ, ଯେଉଁଠି ସମ୍ପର୍କରେ ବିଶ୍ୱାସ, ଉତ୍ତମ ବୁଝାମଣା ସହ ନିସ୍ବାର୍ଥପର ଭଲ ପାଇବା ରହିଥାଏ।