Advertisement

‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ପରିବାରଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସା ପ୍ରାୟ ସାଢ଼େ ୬ଟାରେ ସେ ଘରକୁ ଫେରିଥିଲେ। ଭଲ ଲାଗୁ ନ ଥିବା କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ। ଏପରିକି ସେ ଶୋଇବାକୁ ଯାଉଥିବା କହି କେହି ତାଙ୍କୁ ନ ଉଠାଇବାକୁ ତାଗିଦ କରିିଥିଲେ। ପରେ ରାଜଧାନୀରେ ବର୍ଷାପବନ ଯୋଗୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ଏହା ଆସିବା ପରେ ରାତି ୧୦ଟା ବେଳକୁ ପରିବାରଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ଅକ୍ଷୟ କୌଣସି ଜବାବ ଦେଇ ନ ଥିଲେ। ତାଙ୍କ କବାଟ ବାଡେଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହା ପରେ ପରିବାରଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେ ଏକ ବେଡ୍‌ସିଟ୍‌ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ଏହି ଘଟଣାରେ ରବିବାର ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share