Advertisement

ବିବାହ ପୂର୍ବରୁ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୪ା୬(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମରେ ବିବାହ ପୂର୍ବରୁ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଓ ବିବାହ ପରେ ତାହାକୁ ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଗଣେଶ ସେଠୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ।
ପ୍ରକାଶ ଯେ, ହିଞ୍ଜିଳି ଥାନା ଅଞ୍ଚଳର ଘଟିଥିବା ଏହି ଘଟଣାର ପୀଡ଼ିତାଙ୍କୁ ଅଭିଯୁକ୍ତ ବିବାହ ପୂର୍ବରୁ ନାବାଳିକା ବୟସରେ ବଳାତ୍କାର କରିବା ସହ ତାଙ୍କ ନଗ୍ନ ଭିଡିଓ ରଖି ବିଭିନ୍ନ ସମୟରେ ବ୍ଲାକମେଲ କରି ଶାରୀରିକ ଶୋଷଣ କରୁଥିଲେ। ଭୟ ଓ ଲଜ୍ଜାରେ ନାବାଳିକା ଜଣକ ଏହି ବିଷୟ ନେଇ ଘରେ କହି ନ ଥିଲେ। ପରେ ଯୁବତୀଙ୍କ ବିବାହ ହୋଇଥିଲା। ବିବାହ ପରେ ମଧ୍ୟ ଅଭିଯୁକ୍ତ ପୂର୍ବ ପରି ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେ ରାଜି ହୋଇ ନ ଥିଲେ। ଫଳରେ ଅଭିଯୁକ୍ତ ପୂର୍ବରୁ ଉତ୍ତୋଳନ କରିଥିବା ନାବାଳିକା ସମୟର ନଗ୍ନ ଭିଡିଓ ମହିଳାଙ୍କ ସ୍ବାମୀଙ୍କ ପାଖକୁ ପଠାଇ ପାରିବାରିକ ଅଶାନ୍ତି ସୃଷ୍ଟି କରିଥିଲେ। ଏପରିକି ଉକ୍ତ ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଫଳରେ ମହିଳାଙ୍କୁ ତାଙ୍କ ସ୍ବାମୀ ଘରୁ ବାହାର କରିଦେଇଥିଲେ। ଏଥିନେଇ ପୀଡ଼ିତାଙ୍କ ଅଭିଯୋଗ ପରେ ହିଞ୍ଜିଳି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel