Categories: ଜାତୀୟ

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତରେ ସହାୟତା ପାଇଁ ପୋର୍ଟାଲ ଲଞ୍ଚ୍‌ ହେଲା

ନୂଆଦିଲ୍ଲୀ,୧୯।୭: ଦୀର୍ଘଦିନ ଧରି ଅପେକ୍ଷା କରିଥିବା ୧୦ କୋଟି ସାହାରା ଜମାକାରୀଙ୍କୁ ଅର୍ଥ ଫେରାଇବାରେ ସହାୟତା ପାଇଁ ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ ମଙ୍ଗଳବାର ଶୁଭାରମ୍ଭ ହୋଇଛି। ସାହାରା ଗ୍ରୁପ୍‌ର ୪ଟି କୋଅପରେଟିଭ୍‌ ସୋସାଇଟିରେ ଜମାକାରୀମାନେ ରଖିଥିବା ଟଙ୍କା ଫେରିପାଇବା ପ୍ରକ୍ରିୟାକୁ ଏହି ପୋର୍ଟାଲ ସହଜ କରାଇବ ବୋଲି ଏହାର ଲଞ୍ଚ୍‌ ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜମାକାରୀଙ୍କୁ ପରୀକ୍ଷାମୂଳକ ଭାବେ ୧୦ ହଜାର ଟଙ୍କା ଫେରସ୍ତ କରାଯିବ। ଏହା ସଫଳ ହେଲେ ଧୀରେ ଧୀରେ ଉକ୍ତ ପରିମାଣକୁ ବଢ଼ାଯିବ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଫେରିପାଇବା ପାଇଁ ୧.୭ କୋଟି ଜମାକାରୀ ରିଫଣ୍ଡ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଏବଂ ସେମାନେ ପଞ୍ଜୀକରଣ କରିବାର ୪୫ ଦିନ ମଧ୍ୟରେ ଏହାକୁ ଫେରିପାଇବେ ବୋଲି ଶାହା କହିଛନ୍ତି। ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ ଗ୍ରାହକଙ୍କ ଆଧାର ନମ୍ବରକୁ ସେମାନଙ୍କ ମୋବାଇଲ ଫୋନ୍‌ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରିବ। ଆପଣ ପାଇଥିବା ଟଙ୍କା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ହେବ। ଏହା କରିବା ପରେ ଗ୍ରାହକ ଏକ ଫର୍ମ ଡାଉନ୍‌ଲୋଡ୍‌ କରିପାରିବେ। ଏହାକୁ ପୂରଣ କରି ପୋର୍ଟାଲରେ ଅପ୍‌ଲୋଡ୍‌ କଲେ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଗ୍ରାହକ ଜନସେବା କେନ୍ଦ୍ରର ଡିଜିଟାଲ ସେବାକୁ ବ୍ୟବହାର କରିପାରିବେ ବୋଲି ଶାହା କହିଛନ୍ତି।

Share