ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି

ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍‌ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ ନିଜେ ରାଷ୍ଟ୍ରପତି। ମିଳିଥିବା ସୂଚନାରୁ ଜଣାପଡିଛି, ଏଲଗ୍ରାଭେ ବିଚରେ ଦୁଇ ମହିଳା ଏକ ଛୋଟ ନୌକା ନେଇ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲେ। ହେଲେ ଏମାନେ ପହଁରା ଜାଣି ନ ଥିବାରୁ ସମୁଦ୍ର ମଧ୍ୟରେ ଖୁବ୍‌ ଦୂରକୁ ଚାଲି ଯାଇଥିବା ବେଳେ ସେଠାରେ ନୌକାଟି ଓଲଟି ଯାଇଥିଲା। ଫଳରେ ଦୁଇ ମହିଳା ନୌକା ସହାୟତାରେ ପାଣିରୁ ବଞ୍ଚିବାକୁ ଚାହୁଁଥିଲେ। ଏହା ଦେଖିବା ପରେ ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍କେଲୋ ରେବେଲୋ ସୌସା ପାଣିକୁ ଡେଇଁ ପଡିଥିଲେ। ରାଷ୍ଟ୍ରପତି ଉକ୍ତ ବିଚ୍‌କୁ ଛୁଟି କାଟିବାକୁ ଯାଇଥିବା ବେଳେ ମହିଳା ଦ୍ୱୟଙ୍କ ଅସହାୟତାକୁ ଦେଖି ୭୧ ବର୍ଷୀୟ ରାଷ୍ଟ୍ରପତି ସେମାନଙ୍କୁ ଉଦ୍ଧାର କରିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଧାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କୁ ଉଦ୍ଧାର କରିବା ପରେ ରାଷ୍ଟ୍ରପତି ମାର୍କେଲୋ କହିଛନ୍ତି, ସମୁଦ୍ର ମଧ୍ୟରେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ଉଚ୍ଚ ଉଚ୍ଚ ଲହଡି ଉଠୁଥିଲା। ତେଣୁ ମହିଳାମାନେ ଖୁବ୍‌ ପାଣି ପିଇ ଯାଇଥିବାରୁ ନା ସେମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧି ପହଁରି ପାରୁଥିଲେ ନାଁ ନୌକା ଉପରେ ଚଢି ପାରୁଥିଲେ। ତେବେ ରାଷ୍ଟ୍ରପତି ପହଞ୍ଚିବା ବେଳକୁ ଆଉ ଏକ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଯାଇଥିଲେ ବୋଲି କୁହାଯାଏ। କରୋନା ମହାମାରୀ ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଉଥିବା ବେଳେ ଏବେ ପର୍ତ୍ତୁଗାଲରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଏହି ମହିଳାମାନେ ସେଠାରେ ନିୟୋଜିତ ହୋଇଥିବା ସୂଚନା ରହିଛି।

Share