କରୋନା ଭ୍ୟାକ୍ସିନ ନେବାର ଦୁଇ ଦିନ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ଲିସବନ୍‌,୫ ।୧: କରୋନା ଭାଇରସକୁ ଦୂରେଇ ଦେବାକୁ ଏବେ ପ୍ରାୟ ସବୁଦେଶର ନଜର ଭ୍ୟାକ୍ସିନ ବା ଟିକା ଉପରେ । କେତେକ ବିକାଶଶୀଳ ଦେଶ କିଛି ଭ୍ୟାକ୍ସିନ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ଦେଶ ଏବେବି ପରୀକ୍ଷା କରିବାରେ ଲାଗି ପଡିଛନ୍ତି । ତେବେ ପର୍ତ୍ତୁଗାଲରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଫାଇଜର କରୋନା ଭ୍ୟାକ୍ସିନ ଦେବାର ୨ ଦିନ ପରେ ତାଙ୍କର ମୃତ୍ୟୁ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ ୨ ସନ୍ତାନର ମା’ ସୋନିୟା ଏସେବେଦୋ ପର୍ତ୍ତୁଗିଜ ଇନଷ୍ଟିଚ୍ୟୁଟ ଅଫ୍ ଅଙ୍କୋଲୋଜିର ପୋଟୋରେ ପେଡିଆଟ୍ରିକ୍ ବିଭାଗରେ କାମ କରନ୍ତି । ଡିସେମ୍ବର ୩୦ରେ ସେ କରୋନାର ଫାଇଜର ଟିକା ନେଇଥିଲେ । ଏହାପରେ ତାଙ୍କ ନିକଟରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନ ଥିଲା । ଏମିତିକି ତାଙ୍କଠାରେ କରୋନାର କୌଣସି ଲକ୍ଷଣ ବି ଦେଖା ଯାଇ ନ ଥିବା କହିଛନ୍ତି ତାଙ୍କ ପିତା । ହେଲେ ଜାନୁୟାରୀ ୧ରେ ତାଙ୍କର ହଠାତ୍ ଘରେ ଥିବା ବେଳେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁର ପ୍ରକୃତ କାରଣ କ’ଣ ଏବେ ପର୍ଯ୍ୟନ୍ତ ତାହା ଜଣା ନ ଥିବା ବେଳେ ଏବେ ତାଙ୍କ ପିତା ଝିଅ ମୃତ୍ୟୁର କାରଣ ଖୋଜୁଛନ୍ତି । ସୋନିୟାଙ୍କ ଝିଅ କହିଛନ୍ତି ତାଙ୍କ ମା’ଙ୍କଠାରେ କରୋନା ଲକ୍ଷଣ ନ ଥିଲା ହେଲେ ସେ ଯେଉଁଠି ଟିକା ନେଇଥିଲେ ସେଠାରେ ସାମାନ୍ୟ ଦରଜ ଥିଲା ।

Share