ପଜିଟିଭ୍‌ କଏଦୀଙ୍କୁ ଜେଲ ମନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଏଣିକି ପଜିଟିଭ୍‌ କଏଦୀଙ୍କୁ ଜେଲ୍‌ ମନା। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଜେଲ୍‌ ବିଭାଗ ପକ୍ଷରୁ ଗୁରୁବାର ଏନେଇ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ଜେଲ୍‌ରେ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବା ସହିତ କଏଦୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଗୃହ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୨୮ ତାରିଖରେ ଜାରି ହୋଇଥିବା ଗାଇଡ୍‌ଲାଇନ ପାଳନ କରିବାକୁ କୁହାଯାଇଛି। ଏନେଇ ରାଜ୍ୟର ସମସ୍ତ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହି ଏସ୍‌ଓପି ପଠାଯାଇଛି।
ଜାରି ଏସ୍‌ଓପି ଅନୁସାରେ, ସମସ୍ତ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯିବ। ପଜିଟିଭ୍‌ ବାହାରିଲେ ତାଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଇ ଦିଆଯିବ। କୌଣସି କରୋନା ସଂକ୍ରମିତ କଏଦୀଙ୍କୁ ଜେଲରେ ରଖାଯିବ ନାହିଁ। ସମ୍ପୃକ୍ତ କଏଦୀଙ୍କୁ ହସ୍ପିଟାଲ ନେବାବେଳେ ସୁରକ୍ଷା କ୍ଷେତ୍ରକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏସ୍କର୍ଟ ଯୋଗାଇ ଦିଆଯିବ। କୌଣସି ମାମଲାର ତଦନ୍ତ ଓ ତଥ୍ୟ ସଂଗ୍ରହ ପାଇଁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ କିମ୍ବା ଅନ୍ୟ କର୍ତ୍ତୃପକ୍ଷ ରିମାଣ୍ଡରେ ନେଇଥାନ୍ତି। ରିମାଣ୍ଡରେ ନେବା ପୂର୍ବରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥାଏ। ହେଲେ ଏସ୍‌ଓପି ଅନୁସାରେ ଏଣିକି କୋର୍ଟରେ ହାଜର କରିବା ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ କରୋନା ଟେଷ୍ଟ କରାଯିବ। ଯଦି ଅଭିଯୁକ୍ତଙ୍କ ରିପୋର୍ଟ ନେଗେଟିଭ ଆସିବ ତା’ହେଲେ ତାଙ୍କୁ ରିମାଣ୍ଡରେ ନିଆଯାଇପାରିବ। ଯଦି ଏହି ପ୍ରକ୍ରିୟାରେ କୌଣସି ଅଭିଯୁକ୍ତ କରୋନା ପଜିଟିଭ୍‌ ଥିବା ଜଣାପଡ଼ନ୍ତି। ତା’ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋଭିଡ୍‌ ହସ୍ପିଟାଲ ପଠାଇ ଦିଆଯିବ। ଅଭିଯୁକ୍ତ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାଙ୍କୁ ଜେଲ୍‌କୁ ସ୍ଥାନାନ୍ତର କରାଯିବ। ସେହିପରି ରିମାଣ୍ଡରେ ଯାଇଥିବା ଅଭିଯୁକ୍ତମାନେ ଜେଲ୍‌କୁ ଫେରିବା ପୂର୍ବରୁ ତାଙ୍କର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ଯେଉଁମାନଙ୍କର ନେଗେଟିଭ୍‌ ଆସିବ, ତାଙ୍କୁ ହିଁ କେବଳ ଜେଲକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାପରେ ଅଭିଯୁକ୍ତଙ୍କୁ ଜେଲ୍‌ର ଆଇସୋଲେଶନ ୱାର୍ଡରେ ରଖାଯିବ।

Share