ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ, ୯।୫: ଦେଶରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନାରେ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ହେଉନାହିଁ। କୋଭିଡ୍‌ କେୟାର ସେଣ୍ଟରରେ କରୋନା ରୋଗୀଙ୍କୁ ଭର୍ତ୍ତି କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ଜାତୀୟ ନୀତିରେ ସଂଶୋଧନ କରିଛି। ସଂଶୋଧିତ ନୀତି ଅନୁଯାୟୀ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହେବା ଲାଗି ପଜିଟିଭ୍‌ ରିପୋର୍ଟ ଦେଖାଇବା ଜରୁରୀ ନୁହେଁ। ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ରୋଗୀଙ୍କୁ ଚିକିତ୍ସା ସେବାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ସନ୍ଦିଗ୍ଧ ମାମଲାକୁ ମଧ୍ୟ କୋଭିଡ୍‌ କେୟାର ସେଣ୍ଟର (ସିସିସି), ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର(ଡିସିଏଚ୍‌ସି), ଡେଡିକେଟେଡ କୋଭିଡ୍‌ ହସ୍ପିଟାଲ (ଡିସିଏଚ୍‌)ର ସସ୍ପେକ୍ଟ ଓ୍ବାର୍ଡରେ ଭର୍ତ୍ତି କରାଯିବ। ରୋଗୀ ଅନ୍ୟ ସହରର ହୋଇଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଆବଶ୍ୟକ ଅମ୍ଳଜାନ ଏବଂ ଔଷଧ ଯୋଗାଇ ଦିଆଯିବ। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନ ଥିବା ବ୍ୟକ୍ତି ବେଡ୍‌ ଦଖଲ କରି ରହିପାରିବେ ନାହିଁ। ସଂଶୋଧିତ ଡିସ୍‌ଚାର୍ଜ ନୀତି ଅନୁଯାୟୀ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରୁ ଘରକୁ ପଠାଇ ଦିଆଯିବ। ଏନେଇ ୩ ଦିନ ମଧ୍ୟରେ ଆବଶ୍ୟକ ନିର୍ଦ୍ଦେଶନାମା ଓ ସର୍କୁଲାର ଜାରି କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛି।

Share