ଆଜିକାଲି ଭିଡିଓ ଗେମ କେବଳ ଛୋଟ ପିଲା ନୁହେଁ ପ୍ରାୟ ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର। ଯଦି ଏହା ସୀମା ଟପିଯାଏ ତେବେ ତାହା ଦୈନନ୍ଦିନ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଭିଡିଓ ଗେମ୍ ଖେଳିଲେ ତାହାର ସକାରାତ୍ମକ ପ୍ରଭାବ ମାନସିକତା ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ଟୋକିଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ବିଷୟକୁ ନେଇ ସର୍ଭେ କରାଯାଇଥିଲା। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରତିଦିନ ଅଳ୍ପ ସମୟ ଏହା ସହ ଜଡ଼ିତ ରହୁଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ଥିବାର ଜଣାପଡ଼ିଥିଲା। ହେଲେ ଭିଡିଓ ଗେମ୍ ଖେଳିବାକୁ ଏକ ରୀତିମତ ଅଭ୍ୟାସରେ ପରିଣତ କରିବା ଠିକ୍ ନୁହେଁ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।