ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହା ଅନ୍ତର୍ଜାତୀୟସ୍ତରରେ ଅବିଶ୍ୱାସ ସୃଷ୍ଟି କରୁଛି। ଏହି କାରଣରୁ ଆଫଗାନିସ୍ତାନକୁ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ପ୍ରଦାନ କରାଯାଇଥିବା ଆନ୍ତର୍ଜାତୀୟ ସହାୟତା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଏବେ ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶରେ ଜାରି ରହିଥିବା ସମସ୍ତ ପ୍ରକଳ୍ପର ଫଣ୍ଡିଂକୁ ରୋକା ଯାଇଛି। ୨୦୦୨ଠାରୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆଫଗାନିସ୍ତାନରେ ୫.୩ ଶହ କୋଟି ଡଲାରରୁ ଅଧିକ ନିବେଶ କରାଯାଇଛି। ଏବେ ତାଲିବାନ କ୍ଷମତାକୁ ଆସିବା ପରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ତାଲିବାନ ଆତଙ୍କବାଦୀ ସଂଗଠନ ହାତରେ ଖର୍ଚ୍ଚ ପାଇଁ କାଣିକଉଡ଼ି ନାହିଁ। ପ୍ରଥମେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପକ୍ଷରୁ ୭୦୬ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ କରାଯାଇଥିଲା। ଏହା ପରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ମଧ୍ୟ ଜରୁରୀକାଳୀନ ଭଣ୍ଡାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ଅଧୀନରେ ତାଲିବାନ ୪୬ ମିଲିୟନ ଡଲାରର ବିପୁଳ ପରିମାଣର ଅର୍ଥ ଆଉ ବ୍ୟବହାର କରିପାରିବ ନାହିଁ ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ସହିତ ଅନ୍ୟ କୌଣସି ପ୍ରକାରର ନୂତନ ସହାୟତା ଆଇଏମ୍‌ଏଫ୍‌ ପକ୍ଷରୁ ଆଫଗାନିସ୍ତାନକୁ ଯୋଗାଇ ଦେବାକୁ ମନା କରାଯାଇଥିଲା। ତାଲିବାନର ନିୟନ୍ତ୍ରଣ ଆଫଗାନିସ୍ତାନର ଭବିଷ୍ୟତ ପାଇଁ ଅନିଶ୍ଚିତତା ସୃଷ୍ଟି କରୁଥିବାରୁ ଜରୁରୀକାଳୀନ ରିଜର୍ଭରେ ବ୍ୟବହାର ଅବରୋଧ କରାଯାଇଛି।
ଅର୍ଥର ଅଭାବ ଯୋଗୁ କ୍ଷମତା ଦଖଲ କରିଥିବା ତାଲିବାନ ଏବେ କାଙ୍ଗାଳ ହୋଇଯାଇଛି। ଦେଶର ମୁଦ୍ରାକୋଷ ବ୍ୟବହାର ଉପରେ କଟକଣା ଯୋଗୁ ଅଗାମୀ ଦିନରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।

Share