ଝାରସୁଗୁଡ଼ା,୧୫।୬(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲାର କେନ୍ଦୁପତ୍ର ୩୦ ବର୍ଷ ତଳେ ଚାହିଦା ବେଶ ରହିଥିବା ବେଳେ ଶିଳ୍ପାୟନ ପ୍ରଭାବରେ କେନ୍ଦୁପତ୍ର ଆଗାମୀ ଦିନରେ ହ୍ରାସ ପାଇବା ସହ ବନ୍ଦ ହେବା ନେଇ ସମ୍ଭାବନା ରହିଛି। ଝାରସୁଗୁଡ଼ା ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟ ଅଧୀନରେ ୬ଟି ରେଞ୍ଜ ଅଫିସ ଝାରସୁଗୁଡ଼ା, ବେଲପାହାଡ଼, କଦମଡିହି, କନିକା, ଡୁଡୁକା ଓ ଗୋପାଳପୁର ରହିଛି। ଓଡ଼ିଶା କେନ୍ଦୁପତ୍ର ୧୯୭୩ରେ ପ୍ରତିଷ୍ଠା ହୋଇଥିବାବେଳେ ସେ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ରହିଥିଲେ। ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ରହିଥିବା ବେଳେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ଅନ୍ୟତମ। ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ଅଧୀନରେ ହଜାର ହଜାର କେନ୍ଦୁପତ୍ର ତୋଳାଳି କାମ କରୁଥିବା ବେଳେ ଶହ ଶହ ସିଜିନାଲ କର୍ମଚାରୀ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ଏବେ ଦିନକୁ ଦିନ ଝାରସୁଗୁଡ଼ାରେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଛି। ପ୍ରତିବର୍ଷ ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳାମାନେ କେନ୍ଦୁପତ୍ର କାମରେ ନିୟୋଜିତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି। କେନ୍ଦୁପତ୍ର ସିଜନ ବର୍ଷର ମାର୍ଚ୍ଚରେ ଏବଂ ଗୋଛ କଟା ଏପ୍ରିଲରେ, ଫଡି ମରାମତି ମେ ମାସରେ, କେନ୍ଦୁପତ୍ର ତୋଳା ଜୁନରୁ, କେନ୍ଦୁପତ୍ର ବନ୍ଧେଇ ଅକ୍ଟୋବର ପର୍ଯ୍ୟନ୍ତ ହୋଇଥାଏ। କେନ୍ଦୁପତ୍ର ସିଜନରେ ସିଜିନାଲ କର୍ମଚାରୀ ନିୟୋଜିତ ହେଉଥିବା ବେଳେ ରେଞ୍ଜର, ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ତଦାରଖ କରିଥାନ୍ତି। ବର୍ତ୍ତମାନ ଝାରସୁଗୁଡ଼ା କେନ୍ଦୁପତ୍ର ବନଖଣ୍ଡ ଅଧୀନରେ ୩୦୩ ଫଡି ରହିଛି। ଦିନ ଥିଲା ଝାରସୁଗୁଡ଼ା କେନ୍ଦୁପତ୍ର ଚାହିଦା କାହିଁରୁ କାହିଁ ଥିଲା। ୨୦୦୦ ବେଳକୁ ଝାରସୁଗୁଡ଼ା ଜିଲାରେ ଅନେକେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ସହିତ ଲକ୍ଷ ଲକ୍ଷ ଗଛ କାଟିବା ଦ୍ବାରା ପରିବେଶ ପ୍ରଦୂଷଣ ଅନୁକୂଳ ପାଗ ନ ହେବାରୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇଛି। ଆଗ ଭଳି କେନ୍ଦୁପତ୍ରରେ ପୁରୁଷ ମହିଳା କାମ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଚଳିତବର୍ଷ ଫେବୃଆରୀ ୨୦ ତାରିଖରୁ କେନ୍ଦୁପତ୍ର ଗୋଛାକଟା ଆରମ୍ଭ ହୋଇଥିବା ବେଳେ କିଛି ଦିନ ତଳେ ଝାରସୁଗୁଡ଼ା ଜିଲାରେ ଗତ କିଛିଦିନ ତଳେ ହୋଇଥିବା କାଳବୈଶାଖୀ ଯୋଗୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ଦେଖିବାକୁ ଗଲେ ଜିଲାର ବିଭିନ୍ନ ଜଙ୍ଗଲରୁ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଥିବାରୁ ଜଙ୍ଗଲ କେନ୍ଦୁପତ୍ର ନିଆଁ ଯୋଗୁ ଜଳି ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଝାରସୁଗୁଡ଼ା କେନ୍ଦୁପତ୍ର ବନଖଣ୍ଡ ଅଧୀନର ଝାରସୁଗୁଡ଼ା ରେଞ୍ଜ ଅଧୀନ ବାଗଡିହି ରେଳଷ୍ଟେଶନରୁ ଦୀର୍ଘ ବର୍ଷରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି। ଗତ ୩ ମାସ ତଳେ ବାଗଡିହି ରେଳଷ୍ଟେଶନରୁ କେନ୍ଦୁପତ୍ର ଚୋରା ଚାଲାଣ ନେଇ କୌଣସି ସୂତ୍ରରୁ ଜଙ୍ଗଲ ବିଭାଗ ଅଧିକାରୀ ଖବର ପାଇ କେନ୍ଦୁପତ୍ର ସିଜ କରିବାରେ ସକ୍ଷମ ହୋଇଥିଲେ। ପ୍ରତିବର୍ଷ କେନ୍ଦୁପତ୍ର ଉତ୍ପାଦନର ଲାଭରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀଙ୍କୁ ନୋସ ପଇସା ଦେଇ ଆସୁଛନ୍ତି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ଟିଟିଲାଗଡ଼, ପଦ୍ମପୁର, ରାଉରକେଲା ଅଞ୍ଚଳର କେନ୍ଦୁପତ୍ର ଉତ୍ପାଦନ ବେଶ ଉଚ୍ଚ କୋଟିର। କେନ୍ଦୁପତ୍ର ଉତ୍ପାଦନକୁ ସିଜନାଲ କର୍ମଚାରୀ, ମୁନସୀ, ଚଉରାଶି ଚେକର, ବାଇଡିଙ୍ଗ ଚେକର, ସାରକିଲ ଚେକର, ହେଡଚେକରମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏମାନଙ୍କ ପାଇଁ କେନ୍ଦୁପତ୍ର ବଞ୍ଚିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭ରେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନରେ ୧୧୮୦୦.୮୦ କୁଇଣ୍ଟାଲ, ୨୦୧୮ରେ ୮୩୮୦.୮୦ କୁଇଣ୍ଟାଲ, ୨୦୧୯ରେ ୫୯୮୮.୬୦ କୁଇଣ୍ଟାଲ, ୨୦୨୦ରେ ୫୦୮୨.୬୦ କୁଇଣ୍ଟାଲ, ୨୦୨୧ରେ ୮୦୫୯.୨୦ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ହୋଇଥିବା ସୂଚନା ମିଳିଛି। ୨୦୨୨ ଓ ୨୦୨୩ରେ ପାଖାପାଖି ୧୦ ହଜାର କୁଇଣ୍ଟାଲ ଉତ୍ପାଦନର ଟାର୍ଗେଟ ଦେଇଥିବା ବେଳେ ୮୬୩୨.୮୦ ଓ ୫୨୦୪ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ହୋଇଥିବା ଅନୁମାନ କରାଯାଇଛି। ବିଗତ ବର୍ଷରେ ଅଦିନିଆ ବର୍ଷା, କରାମାଡ଼, ମେଘୁଆ ପାଗ ତଥା ଶିଳ୍ପ ପ୍ରତିଷ୍ଠା ଦ୍ବାରା ପରିବେଶ ପ୍ରଦୂଷଣ ଓ ଗଛ କାଟିବା ଯୋଗୁ ଝାରସୁଗୁଡ଼ା କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଥିବା ବେଳେ ଆଗାମୀ ଦିନରେ ଏପରି ସ୍ଥିତି ଉପଜେ ତାହା ହେଲେ କେନ୍ଦୁପତ୍ର ଉତ୍ପାଦନ ଆହୁରି ଦ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।