Categories: ବାଣିଜ୍ୟ

ପେଟ୍ରୋଲ ଦର ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ କ୍ରମାଗତ ଭାବେ ତେଲ ଦର ହ୍ରାସ ପାଉଥିବା ବେଳେ ଭାରତୀୟ ତୈଳ ବଜାରରେ ତେଲ ଦର ଦୀର୍ଘ ଦିନ ହେବ ସ୍ଥିର ରହିଛି। ଏପରିକି ତେଲ ଦର କେବେ କମିବ ସେ ନେଇ ମଧ୍ୟ କାହା ପାଖରେ ଠିକ୍‌ ସୂଚନା ନ ଥିବା ବେଳେ ରବିବାର ଏକ ସାକ୍ଷାତକାର ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, କୋଭିଡ ସମୟରେ ତୈଳ କମ୍ପାନୀଗୁଡିକ ସହିଥିବା କ୍ଷତି ଭରଣା ଓ ଅନ୍ୟନ୍ୟା କାରଣରୁ ବର୍ତ୍ତମାନ ସମୟରେ ତୈଳ ଦର ହ୍ରାସ ସମ୍ଭାବନା କ୍ଷୀଣ। ସେହିଭଳି ଗତ ଆର୍ଥିକ ବର୍ଷର କ୍ଷତି ପାଇଁ ପେଟ୍ରୋଲ ମୂଲ୍ୟରେ ହ୍ରାସ ହେବା ଜଣାପଡ଼ୁନାହିଁ।

ବିଶେଷ କରି ଦେଶର ପ୍ରମୁଖ ତୈଳ କମ୍ପାନୀ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ), ଭାରତୀୟ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ଏଚପିସିଏଲ)ପକ୍ଷରୁ ବିଗତ ୧୨ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କିଣା ଖର୍ଚ୍ଚ ତୁଳନାରେ ତେଲ ଦରରେ ପରିବର୍ତ୍ତନ ହୋଇନାହିଁ। ଫଳରେ ଆମଦାନୀ ଖର୍ଚ୍ଚ ତୁଳନାରେ ଦାମ୍‌ ନ ବଢ଼ିବା କାରଣରୁ କମ୍ପାନୀଙ୍କୁ କ୍ଷତି ଉଠାଇବାକୁ ପଡ଼ିଛି ବୋଲି କୁହାଯାଉଛି। ସେହିପରି ଗତ କିଛି ମାସ ହେଲା ଅନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲର ଦାମ୍‌ କମିବା କାରଣରୁ କମ୍ପାନୀଙ୍କ ଉପରେ କିଛି ପରିମାଣର ଚାପ କମ୍‌ ରହିଛି, କିନ୍ତୁ ସେମାନେ ଗତଥର ହୋଇଥିବା କ୍ଷତିରୁ ଭରଣା ପାଇଁ ପେଟ୍ରୋଲ୍‌-ଡିଜେଲ ମୂଲ୍ୟରେ କୌଣସି କାଟ୍‌ କରିନାହାନ୍ତି।

ତେବେ ଉପରୋକ୍ତ ତୈଳ କମ୍ପାନୀଗୁଡିକର କ୍ଷତି ଭରଣା ପରେ ତେଲ ଦର ହ୍ରାସ କରିବାକୁ କମ୍ପାନୀମାନଙ୍କ ସହ ବିଚାରବିମର୍ଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସେ କହିଛନ୍ତି, ଅନୁମାନ କରାଯାଉଛି ଯେ ‘କ୍ଷତି ଭରଣା ହେବା ପରେ ଦାମ୍‌ ହ୍ରାସ ହୋଇପାରେ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ କଞ୍ଚା ତେଲ ଦାମରେ ଆସିଥିବା ବୃଦ୍ଧି ପରେ ବି ତେଲ କମ୍ପାନୀ ପକ୍ଷରୁ ଖୁଚୁରା ଦାମରେ କୌଣସି ବୃଦ୍ଧି ହୋଇନାହିଁ। ଏପରିକି ଆମେ ତୈଳ କମ୍ପାନୀଙ୍କୁ ଦାମ୍‌ ସ୍ଥିର ରଖିବାକୁ କହିନଥିଲୁ, ହେଲେ ସେମାନେ ନିଜେ ହିଁ ନିଷ୍ପତ୍ତି ନେଇଥିଲେ ଅବଶ୍ୟ ଉଚ୍ଚ ଦାମରେ କଞ୍ଚା ତେଲ କିଣିବା ଦ୍ବାରା ଆମଦାନୀ ଖର୍ଚ୍ଚ ବଢ଼ିଥିଲା।

ବିଶେଷ କରି ୨୦୨୨ ଜୁନ୍‌ ଶେଷ ସୁଦ୍ଧା କମ୍ପାନୀଙ୍କୁ ୧ଲିଟର ପେଟ୍ରୋଲ ଉପରେ ୧୭.୪ ଟଙ୍କା ଏବଂ ଡିଜେଲ୍‌ ଉପରେ ୨୭.୨ ଟଙ୍କା ପ୍ରତି ଲିଟର କ୍ଷତି ଉଠାଇବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଆଇଓସିଏଏ,ବିପିସିଏଲ ଏବଂ ଏଚପିସିଏଲ ୨୦୨୨ ଏପ୍ରିଲ୍‌ ୬ ରେ ଶେଷ ଥର ପାଇଁ ଉଭୟ ପେଟ୍ରୋଲ, ଡିଜେଲର ଦାମରେ ସଂଶୋଧନ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ଉପରୋକ୍ତ କମ୍ପାନୀଗୁଡିକଙ୍କର ୨୧,୨୦୧.୧୮ କୋଟି ଟଙ୍କାର କ୍ଷତି ହୋଇଥିଲା।

Share