ଭୁବନେଶ୍ୱର, ୩।୪(ବ୍ୟୁରୋ): ଆସୁଛି ଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସମ୍ପର୍କରେ ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ସମ୍ଭାବନା ରହିଛି। ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ କ’ଣ ରହିବ ତାହା ଏଯାଏ ଆକଳନ କରାଯାଇ ନାହିଁ ବୋଲି ଉମାଶଙ୍କର କହିଛନ୍ତି।
ଅନ୍ୟପକ୍ଷେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ରବିବାର ୮ ସହରରେ ତାପମାତ୍ରାରେ ୪୦ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଟିଟିଲାଗଡ଼ରେ ସର୍ବାଧିକ ୪୧.୬ଡିଗ୍ରୀ ତାପମାତ୍ରା ରହିଥିଲା।