ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି କରୋନା ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇଛନ୍ତି ତେବେ ତାଙ୍କ ନିକଟରେ ପୁଣିଥରେ ସଂକ୍ରମଣ ଦେଖାଦେବାର ଅମ୍ଭାବନା ଅଧିକ ରହିଛି। ତେଣୁ ଅତିକମ୍‌ରେ ରିପୋର୍ଟ ୨ ଥର ନେଗେଟିଭ ଆସିବା ଓ କରୋନାର କୌଣସି ଲକ୍ଷଣ ଦେଖା ନ ଯିବା ପରେ ରୋଗୀଙ୍କୁ ଛୁଟି ଦେବା ଆବଶ୍ୟକ। ଦିଲ୍ଲୀ ପୋଲିସର ଜଣେ ୫୦ ବର୍ଷୀୟ ଯବାନ କରୋନାରେ ସଂକ୍ରମିତ ହେବା ପରେ ୧୫-୨୨ ମେ’ ମଧ୍ୟରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଯାଇଥିଲେ। ତେବେ ତାଙ୍କ ନିକଟରେ ପୁଣିଥରେ ଜୁଲାଇ ୧୦ରେ କରୋନା ପଜିଟିଭ ମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସେହପିରି ୟୁଏଇରୁ କେରଳ ଆସିଥିବା ୨ ଜଣ ବ୍ୟକ୍ତି ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ଏବେ ପୁଣି ସେମାନେ ସଂକ୍ରମିତ ଥିବା ସୂଚନା ରହିଛି। ହାବାର୍ଡ ୟୁନିଭର୍ସିଟିର ୟୁମ୍ୟୁନୋଲୋଜିଷ୍ଟ ଡାକ୍ତର ମାଇକଲ ମିନା କହିଛନ୍ତି, ପୁଣିଥରେ କରୋନା ସଂକ୍ରମଣ ହେବା କଷ୍ଟ। ଯଦି ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇଛନ୍ତି ତେବେ ତାଙ୍କ ନିକଟରେ ଦ୍ୱିତୀୟ ଥର ସଂକ୍ରମଣର ଆଶଙ୍କା ଅଧିକ ରହିଛି। ସେ କହିଛନ୍ତି ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡିଜ ତିଆରି ହୋଇଥାଏ। ଏହାର ସ୍ତର ୨-୩ ମାସ ମଧ୍ୟରେ କମ୍‌ ହୋଇଥାଏ। କିନ୍ତୁ ଏହାର ଅର୍ଥନୁହେଁ ବ୍ୟକ୍ତି ଜଣଙ୍କ ପୁଣିଥରେ କରୋନାରେ ସଂକ୍ରମିତ ହେବେ କାରଣ ଏହି ସମ୍ଭାବନା କମ୍‌ଥାଏ।

Share